ଭାଲୁ ହେବାପାଇଁ ୧୪ ଲକ୍ଷ ଦରମା
ଚୀନ୍ର ହେନାନ ପ୍ରଦେଶରେ ଥିବା ଲୁଓହେ ୱାଇଲ୍ଡଲାଇଫ୍ ଜୁ’ରେ ଭାଲୁ ସାଜିବା ପାଇଁ ଏକ ଅଜବ ଚାକିରି ବାହାରିଛି । ଯେଉଁଥିରେ ମନୋନୀତ ବ୍ୟକ୍ତିଙ୍କୁ କଳା ଭାଲୁର କଷ୍ଟ୍ୟୁମ୍ ପିନ୍ଧି ଚିଡ଼ିଆଖାନାରେ ବୁଲିବା ସହ ପର୍ଯ୍ୟଟକମାନଙ୍କ ସହ କଥାହେବାକୁ ପଡ଼ିବ । ତେବେ ଏଥିପାଇଁ ବାର୍ଷିକ ୧ ଲକ୍ଷ ୟୁଆନ୍ ବା ପ୍ରାୟ ୧୪ ଲକ୍ଷ ଟଙ୍କାର ଦରମା ପ୍ୟାକେଜ୍ ମିଳିବ । ଏହି ଚାକିରିର ସର୍ତ୍ତ ମୁତାବକ ଡ୍ୟୁଟି ସମୟରେ କଥାବାର୍ତ୍ତା କରିବା ସମ୍ପୂର୍ଣ୍ଣ ମନା ହୋଇଥିବାବେଳେ ଆବଶ୍ୟକ ପଡ଼ିଲେ କର୍ମଚାରୀମାନେ କେବଳ ଭାଲୁ ଭଳି ଶବ୍ଦ କରିପାରିବେ । ଏଥିରେ ଦୈନିକ ୬ ଘଣ୍ଟାର ସିଫ୍ଟ ସହ ମାସକୁ ୪ ଦିନ ଛୁଟି ମିଳିବା ସହ ଥକିଗଲେ ଆରାମ କରିବାର ସୁବିଧା ମଧ୍ୟ ରହିଛି । ସବୁଠାରୁ ମଜାଦାର କଥା ହେଉଛି, ପର୍ଯ୍ୟଟକମାନଙ୍କ ସାମ୍ନାରେ ବିଭିନ୍ନ ପ୍ରକାରର ଅଜବ ହରକତ ବା ଅଙ୍ଗଭଙ୍ଗୀ କରିବା ମଧ୍ୟ ଏହି କାମର ଏକ ଅଂଶ ବିଶେଷ । ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ଚାକିରିର ବିଜ୍ଞାପନ ଭାଇରାଲ୍ ହେବା ମାତ୍ରେ ୧୦୦ରୁ ଅଧିକ ଲୋକ ଏଥିପାଇଁ ଆବେଦନ କରିଥିଲେ ଏବଂ ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ପଦବୀ ପୂରଣ ହୋଇଯାଇଛି ।




