ତିମି ପେଟରୁ ଫେରିଲେ ଜୀବନ୍ତ
ଅମେରିକାର ମାସାଚୁସେଟ୍ସରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନାଅନୁସାର ୫୬ ବର୍ଷୀୟ ମାଇକେଲ୍ ପ୍ୟାକାର୍ଡ ନାମକ ଜଣେ ବ୍ୟକ୍ତି ଏକ ବିଶାଳକାୟ ହମ୍ପବ୍ୟାକ୍ ତିମିର ପାଟି ଭିତରକୁ ଚାଲିଯିବା ପରେ ମଧ୍ୟ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ବାହାରି ଆସି ଏକ ନୂଆ ଜୀବନ ପାଇଛନ୍ତି । ଜୁନ୍ ୨୦୨୧ରେ କେପ୍ କଡ୍ ସମୁଦ୍ରରେ ପ୍ରାୟ ୪୫ ଫୁଟ ଗଭୀରତାରେ ଲବଷ୍ଟର ଧରିବା ପାଇଁ ବୁଡ଼ିଥିବା ସମୟରେ ହଠାତ୍ ଉକ୍ତ ବ୍ୟକ୍ତିଙ୍କୁ ଏକ ମାଛ ଗିଳିଦେଇଥିଲା । ତେବେ ପ୍ରଥମେ କୌଣସି ବଡ଼ ଶାର୍କ ତାଙ୍କୁ ଗିଳି ଦେଇଥିବା ସେ ଭାବିଥିଲେ । ହେଲେ ଦାନ୍ତ ଅନୁଭବ ନହେବା ପରେ ଏହା ଏକ ହମ୍ପବ୍ୟାକ୍ ତିମି ବୋଲି ସେ ଅନୁମାନ କରିଥିଲେ । ତେବେ ପ୍ରାୟ କିଛି ସମୟ ପର୍ଯ୍ୟନ୍ତ ସେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ହେଲେ ପରେ ସେହି ବିଶାଳ ତିମିଟି ତାଙ୍କୁ ବାହାରକୁ ଓଗାଳି ଦେଇଥିଲା । ଯାହାପରେ ତାଙ୍କ ସାଥୀମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ପହଞ୍ଚାଇଥିଲେ । ତେବେ ଏହି କାହାଣୀ ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।




