୪ ଟି ଆମ୍ବର ମୂଲ୍ୟ ୨ଲକ୍ଷ
ଉତ୍ତର ପ୍ରଦେଶର ସହାରନପୁରର ଜଣେ କୃଷକ ସନ୍ଦୀପ ଚୌଧୁରୀ ବିଶ୍ୱର ସବୁଠାରୁ ଦାମୀ 'ମିୟାଜାକି' ପ୍ରଜାତିର ମାତ୍ର ୪ଟି ଆମ୍ବକୁ ପ୍ରାୟ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି । କୃଷକ ସନ୍ଦୀପଙ୍କ ୩ ବର୍ଷର କଠିନ ପରିଶ୍ରମ ପରେ ଏହି ସଫଳତା ମିଳିଛି, ଯେଉଁଥିରେ ଜଣେ ଲୋକ ୧ କିଲୋଗ୍ରାମ ଓଜନର ୪ଟି ଆମ୍ବକୁ ୨ ଲକ୍ଷ ଟଙ୍କାରେ କିଣିଛନ୍ତି । ପ୍ରାରମ୍ଭରେ ଏହି ଡିଲ ୩.୫ ଲକ୍ଷ ଟଙ୍କାରେ ସ୍ଥିର ହୋଇଥିଲା, ମାତ୍ର ବ୍ୟକ୍ତି ଜଣକ ଏହି ଆମ୍ବଗୁଡ଼ିକୁ ନିଜ ମା'ଙ୍କ ପାଇଁ କିଣିବାକୁ ଚାହୁଁଥିବାରୁ ସନ୍ଦୀପ ଏହାର ଦାମ ୧.୩୯ ଲକ୍ଷ ଟଙ୍କା କମ୍ କରି ଦେଇଥିଲେ । ସନ୍ଦୀପଙ୍କ ବଗିଚାରେ ବର୍ତ୍ତମାନ ଏହି ପ୍ରଜାତିର ପ୍ରାୟ ୪୦ଟି ଗଛ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଯେତେବେଳେ ମିୟାଜାକି ଆମ୍ବ ଚାଷ ଆରମ୍ଭ କରିଥିଲେ, ସେତେବେଳେ ଲୋକମାନେ ଆମ୍ବ ଲକ୍ଷାଧିକ ଟଙ୍କାରେ କିପରି ବିକ୍ରି ହେବ ବୋଲି କହି ତାଙ୍କର ମଜାକ ଉଡ଼ାଉଥିଲେ । ମାତ୍ର ଆଜି ତାଙ୍କ ଉତ୍ପାଦିତ ଆମ୍ବ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇ ତାଙ୍କ ପରିଶ୍ରମର ଫଳ ଦେଇଛି ।




