ହିନ୍ଦୁ ଓ ମୁସଲମାନଙ୍କର ସଦ୍ଭାବନାର ରଥଯାତ୍ରା
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ରେମେଣ୍ଡା ଗାଁରେ ସ୍ୱାଧୀନତା ପୂର୍ବରୁ ଭିନ୍ନ ଏକ ରଥଯାତ୍ରା ପାଳିତ ହୋଇଆସୁଛି । ଏଠାରେ ଗାଁ ମୁଖିଆ ଭାବେ ରଥଯାତ୍ରାରେ ଗାଁର ମୁସଲମାନ ଗୌନ୍ତିଆ ପରିବାରର ମୁଖ୍ୟ ଛେରାପହଁରା କରିବାର ଏକ ଭିନ୍ନ ପରମ୍ପରା ଆଜି ମଧ୍ୟ ବଳବତ୍ତର ରହିଛି । ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ବାର୍ତ୍ତାବହ ସାଜିଥିବା ଏହି ରଥଯାତ୍ରା ମହାନ୍ ଉତ୍କଳୀୟ ଜଗନ୍ନାଥ ସଂସ୍କୃତିର ଏକ ନିଆରା ଭାବ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ […]
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ରେମେଣ୍ଡା ଗାଁରେ ସ୍ୱାଧୀନତା ପୂର୍ବରୁ ଭିନ୍ନ ଏକ ରଥଯାତ୍ରା ପାଳିତ ହୋଇଆସୁଛି । ଏଠାରେ ଗାଁ ମୁଖିଆ ଭାବେ ରଥଯାତ୍ରାରେ ଗାଁର ମୁସଲମାନ ଗୌନ୍ତିଆ ପରିବାରର ମୁଖ୍ୟ ଛେରାପହଁରା କରିବାର ଏକ ଭିନ୍ନ ପରମ୍ପରା ଆଜି ମଧ୍ୟ ବଳବତ୍ତର ରହିଛି । ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ବାର୍ତ୍ତାବହ ସାଜିଥିବା ଏହି ରଥଯାତ୍ରା ମହାନ୍ ଉତ୍କଳୀୟ ଜଗନ୍ନାଥ ସଂସ୍କୃତିର ଏକ ନିଆରା ଭାବ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମନ୍ୱୟ ଓ ସଦ୍ଭାବନାକୁ ପାଥେୟ କରି ଆଜିବି ରେମେଣ୍ଡା ରଥଯାତ୍ରା ଓଡ଼ିଶା ଓ ଛତିଶଗଡ ସୀମାନ୍ତରେ ଜଗନ୍ନାଥପ୍ରେମୀଙ୍କୁ ଭାବାବେଗ ମଧ୍ୟକୁ ଟାଣିଆଣେ । ଗ୍ରାମବାସୀଙ୍କ କହିବାନୁସାରେ ରେମେଣ୍ଡା ରଥଯାତ୍ରାରେ ମୁସଲମାନ ଗୌନ୍ତିଆ ପରିବାର ଛେରାପହଁରା କରିବା ୧୦୦ବର୍ଷରୁ ଊର୍ଦ୍ଧ୍ୱର୍ ପରମ୍ପରା । ଗାଁରେ ରଥଯାତ୍ରା ଆୟୋଜନ ନେଇ ପ୍ରଥମେ ତତ୍କାଳୀନ ଗୌନ୍ତିଆ ସ୍ୱର୍ଗତଃ ଓ୍ୱାରସ୍ ମହମ୍ମଦଙ୍କ ନିକଟକୁ ଗ୍ରାମବାସୀ ଆସି କହିଥିଲେ ଯେ ଆମ ନିକଟ ଗ୍ରାମ ମାନଙ୍କରେ ରଥଯାତ୍ରା ହେଉଛି । କିନ୍ତୁ ଆମ ଗାଁରେ କେବଳ ରଥଯାତ୍ରା ହେଉନାହିଁ । ଆପଣ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ତତ୍କାଳୀନ ଗୌନ୍ତିଆ ଓ୍ୱାରସ ମହମ୍ମଦଙ୍କୁ ଅନୁରୋଧ କଲେ । ଗୌନ୍ତିଆ କହିଲେ ଯେ ଦେଖ ଯେଉଁ ଗ୍ରାମ ମାନଙ୍କରେ ରଥଯାତ୍ରା ହେଉଛି ସେଠାରେ ତାଙ୍କ ତିନି ଠାକୁର ଅଛନ୍ତି । ଆମ ଗ୍ରାମରେ ମନ୍ଦିର ନାହିଁ କି ଠାକୁର ନାହାଁନ୍ତି । ଆମେ ରଥଯାତ୍ରା ପାଳନ କଲେ ଠାକୁର ପାଇବା କେଉଁଠୁ ବୋଲି ଗୌନ୍ତିଆ ସେହି ସମୟରେ ଗ୍ରାମବାସୀଙ୍କୁ ପ୍ରଶ୍ନ କରିଥିଲେ । ବ୍ୟାପକ ଆଳୋଚନା ପର୍ଯ୍ୟାଲୋଚନା ପରେ ନିଷ୍ପତ୍ତି ହେଲା ଯେ ପୁରୀ ଶ୍ରକ୍ଷେତ୍ରର ରଥଯାତ୍ରା ଆଷାଢ଼ ମାସ ଦ୍ୱିତୀୟା ତିଥିରେ ହେଉଥିବାରୁ ଆମେ ଏହାର ଦୁଇ ଦିନ ପରେ ଅର୍ଥାତ ପଞ୍ଚମୀ ତିଥିରେ ରଥଯାତ୍ରା ଆୟୋଜନର ନିଷ୍କତ୍ତି ହେଲା । ପୁଣି ଠାକୁର ଏକ ନିର୍ଦ୍ଦିଷ୍ଟ ଗ୍ରାମରୁ ଆଣିବାକୁ ନିଷ୍ପତ୍ତି ହେଲା ।
ବହୁ ବର୍ଷ ଧରି ନିକଟସ୍ଥ ସୁନାରୀ ଗ୍ରାମରୁ ଠାକୁର ଆସିବା ପରେ ରଥଯାତ୍ରା ଆୟୋଜିତ ହେଉଥିଲା । ଗତ କିଛି ବର୍ଷ ହେଲା ଗ୍ରାମବାସୀ ଓ ଗୌନ୍ତିଆ ପରିବାରର ଉଦ୍ୟମ କ୍ରମେ ତିନି ଠାକୁରଙ୍କ ବିଗ୍ରହ ନିର୍ମାଣ ହୋଇ ପ୍ରାଣ ପ୍ରତିଷ୍ଠା ହେଲା । ସେହି ଦିନଠାରୁ ତିନି ଠାକୁର ପୂଜକ ସୁବାଷ ଶତପଥୀଙ୍କ ଘରେ ପୂଜା ପାଇଆସୁଛନ୍ତି । ଓ୍ୱାରସ ମହମ୍ମଦଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ରଥଯାତ୍ରା ଆଜିବି ପରମ୍ପରା କ୍ରମେ ପାଳିତ ହୋଇଆସୁଛି । ସ୍ଥାନୀୟ ପ୍ରଜା ଓ ଗ୍ରାମବାସୀ ସହଯୋଗର ହାତ ବଢାଇଛନ୍ତି । ସମୟ କ୍ରମେ ସମସ୍ତ ବାଧାବିଘ୍ନ ସତ୍ତେ୍ୱ ମୁସଲମାନ ଗୌନ୍ତିଆଙ୍କ ନେତୃତ୍ୱରେ ରଥଯାତ୍ରା ସୁରୁଖୁରୁରେ ଚାଲିଛି । ଗାଁରେ ରହୁଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ଏବଂ ଆଖପାଖ ଅଞ୍ଚଳର ହିନ୍ଦୁଭାଇଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ସହଯୋଗରେ ଏଭଳି ଏକ ନିଆରା ପରମ୍ପରାକୁ ପୂର୍ବରୁ ଗୁରୁତ୍ୱ ଦିଆଯାଉ ନଥିଲା । ମାତ୍ର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ପରେ ଏହାର ବ୍ୟାପକତା ସୁଦୂର ପ୍ରସାରୀ ହୋଇପାରିଛି । ଏଠାରେ ରଥଯାତ୍ରା ସମୟରେ ଦେଶ ବାହାରର ଭକ୍ତ ମଧ୍ୟ ଆସୁଥିବାର ନଜିର ରହିଛି । ଏପରିକି ଜାତୀୟସ୍ତରୀୟ ଗଣମାଧ୍ୟମ ମଧ୍ୟ ଏହି ରଥଯାତ୍ରାକୁ ଲୋକଲୋଚନକୁ ଆଣିବାର ଦୃଷ୍ଟାନ୍ତ ରହିଛି । ପାରମ୍ପରିକ ଭାବେ ସ୍ୱର୍ଗତଃ ଓ୍ୱାରସ ମହମ୍ମଦ, ଅଳିଉର୍ ମହମ୍ମଦ, ହନିଫ ମହମ୍ମଦ, ମହମ୍ମଦ ଖଲିଲ ଗୌନ୍ତିଆ ପ୍ରମୁଖ ରଥଯାତ୍ରା ଆୟୋଜନରେ ନେତୃତ୍ୱ ନେଇଆସୁଥିବା ବେଳେ ଗତ ୧୯୮୩ ମସିହାରୁ ଗୌନ୍ତିଆ ପରିବାରର ମୁଖ୍ୟ ଭାବେ ଗୌନ୍ତିଆ ମହମ୍ମଦ ଜମିଉଲ୍ଲା ରଥଯାତ୍ରାରେ ଛେରାପହଁରା କରିଆସୁଥିଲେ । ପରବର୍ତ୍ତୀ ସମୟରେ ଗୌନ୍ତିଆ ମହମ୍ମଦ ଜମିଉଲ୍ଲାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ଜ୍ୟେଷ୍ଠପୁତ୍ର ମହମ୍ମଦ ଅଖତର ୨ବର୍ଷ ହେଲା ରଥଯାତ୍ରାରେ ଛେରାପହଁରା ପରମ୍ପରା କ୍ରମେ କରିଆସୁଛନ୍ତି । ଗତ କିଛିବର୍ଷ ହେଲା ଏମସିଏଲର ନିଜ ପାରିମାଶ୍ୱର୍କ ପା=ି ସହାୟତା ଓ ଅଞ୍ଚଳବାସୀଙ୍କ ଉଦ୍ୟମରେ ରେମେଣ୍ଡା ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ସଦଭାବନା ଶ୍ରୀକ୍ଷେତ୍ର ଭାବେ ପରିଚୟ ସୃଷ୍ଟି କରିଥିବା ଏହି ରେମଣ୍ଡା ଗାଁର ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଉ କିଛି ଆର୍ଥିକ ସହାୟତା ପାଇଲେ ସମ୍ପୁର୍ଣ୍ଣ ହେବ । ଏବେ ପୂଜକ ସୁବାସ ଶତପଥୀ ନିଜ ଘରେ ତିନିଠାକୁରଙ୍କ ରଖି ପୂଜାର୍ଚ୍ଚନା କରୁଛନ୍ତି । ଏହା ସହ ରଥଯାତ୍ରା ଆୟୋଜନ ସୁବିଧା ହୋଇଛି । ପରମ୍ପରା ଅନୁଯାୟୀ ଆଷାଢ ମାସ ପଞ୍ଚମୀ ତିଥିରେ ରଥଯାତ୍ରା ଆୟୋଜିତ ହେଉଛି । ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ରଥଯାତ୍ରା ପାଳିତ ହେଉଥିବା ବେଳେ କୌଣସି ପ୍ରକାର ସରକାରୀ ଆର୍ଥିକ ସହାୟତା ମିଳୁନଥିବା ଜଣାପଡିଛି । ଜାତୀୟ ଏକତା, ଭାଇଚାରା ଓ ସଂହତି ରକ୍ଷା ଦିଗରେ ସଦ୍ଭାବନା ଶ୍ରୀକ୍ଷେତ୍ର ଭାବେ ପରିଚିତ ରେମଣ୍ଡା ରଥଯାତ୍ରା ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିପାରିଛି ।
ସତ୍ୟ ସୁନ୍ଦର ଭଞ୍ଜ




