ସ୍ବାଦ ନିଆରା

ସ୍ବାଦ ନିଆରା
Ipsita Picture
By: Ipsita
Published On

ଓଡ଼ିଶାର ରୋଷେଇଶାଳା ଓଡି଼ଶାର ପରମ୍ପରା, ସ୍ୱାଦ ଏବଂ ବିଶ୍ୱ ପରିଚୟର ଏକ ସମୃଦ୍ଧ ଯାତ୍ରା । ଓଡ଼ିଆ ରୋଷେଇ ହେଉଛି ଭାରତର ସବୁଠାରୁ ପୁରୁଣା ଏବଂ ସ୍ୱାସ୍ଥ୍ୟକର ରନ୍ଧନ ଶୈଳୀ ମଧ୍ୟରୁ ଅନ୍ୟତମ। ଏହା କେବଳ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ଏକ ଜୀବନଶୈଳୀ, ଯାହା ପ୍ରକୃତି ଏବଂ ଆଧ୍ୟାତ୍ମିକତା ସହ ଗଭୀର ଭାବେ ଜଡ଼ିତ ।

ଓଡ଼ିଶାର ରୋଷେଇ ସହିତ ଶ୍ରୀମନ୍ଦିରର ଅତୁଟ ସମ୍ପର୍କ ରହିଛି । ଏପରିକି ପ୍ରତିଟି ଘରର ଖାଦ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । କୁହାଯାଏ ଓଡ଼ିଆ ଖାଦ୍ୟର ଜନ୍ମସ୍ଥାନ ହେଉଛି ଶ୍ରୀକ୍ଷେତ୍ର। ପୁରୀ ଶ୍ରୀମନ୍ଦିରର ରୋଷଘରକୁ ବିଶ୍ୱର ସର୍ବବୃହତ ରୋଷେଇଶାଳା କୁହାଯାଏ। ଏହି ରୋଷଶାଳାର ବିଜ୍ଞାନ ସାରା ବିଶ୍ବରେ ପ୍ରସିଦ୍ଧ । ସେହିଭଳି ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ ଓଡିଆ ଖାଦ୍ୟର ସାତ୍ତ୍ବିକତାକୁ ପ୍ରତିପାଦିତ କରିଥାଏ । ମହାପ୍ରସାଦରେ କେବଳ ଦେଶୀ ପନିପରିବା (ଯେପରିକି ସାରୁ, କଞ୍ଚାକଦଳୀ, କଖାରୁ) ବ୍ୟବହାର କରାଯାଏ । ବିଦେଶୀ ପନିପରିବା ଯଥା ଆଳୁ, ଟମାଟୋ କିମ୍ବା କୋବି ଏଠାରେ ବାରଣ। ଏହା ଓଡ଼ିଆ ରୋଷେଇର ପ୍ରାଚୀନତାକୁ ପ୍ରମାଣିତ କରେ।ସେହିଭଳି ମସଲାରେ ଓଡ଼ିଆ ଘରେ ବ୍ୟବହୃତ ପଞ୍ଚଫୁଟଣ’ (ଜିରା, ସୋରିଷ, ମେଥି, ପାନମଧୁରୀ ଏବଂ କଳାଜିରା) ରନ୍ଧନରେ ଏକ ସ୍ୱତନ୍ତ୍ର ସୁଗନ୍ଧ ଏବଂ ଔଷଧୀୟ ଗୁଣ ଭରିଥାଏ। ତେବେ କେବଳ ପୁରୀ କିମ୍ବା ଶ୍ରୀମନ୍ଦିର ନୁହେଁ ଓଡ଼ିଶାର ପୁରପଲ୍ଲୀ, ପ୍ରତି ଜିଲ୍ଲାରେ ଦେଖିବାକୁ ମିଳିଥାଏ ଖାଦ୍ୟରେ ବିଭିନ୍ନତା । ପ୍ରତିଟି ସ୍ଥାନର ଏକ ଖାଦ୍ୟ ରହିଥାଏ ଯାହା ପୂରା ବିଶ୍ବରେ ଉକ୍ତ ସ୍ଥାନର ପରିଚୟ ପାଲଟିଥାଏ । ସେହିଭଳି ଏଭଳି ମଧ୍ୟ କିଛି ଖାଦ୍ୟ ରହିଛି ଯେଉଁଗୁଡିକ ଜିଆ ଟ୍ୟାଗ ତାଲିକାରେ ମଧ୍ୟ ସାମିଲ ଅଛନ୍ତି । ସେହିଭଳି ଏହାର ଖାଦ୍ୟ ସାରା ବିଶ୍ବରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ନିକଟରେ ରାଜ୍ୟରେ ପାଳିତ ହୋଇଛି ଛେନାପୋଡ  ଦିବସ । ସେହିଭଳି ପ୍ରଶାସନିକ ସ୍ତରରେ ଓଡ଼ିଶାର ଏହି ସୁସ୍ବାଦୁ ମିଠାକୁ ଜିଆଟ୍ୟାଗ ଦେବା ପାଇଁ ତତ୍ପରତା ପ୍ରକାଶ ପାଇଛି । ପୋଡପିଠା ହେଉଛି ଏହା ଓଡ଼ିଶାର ଏକମାତ୍ର ମିଠା ଯାହାକୁ ରନ୍ଧାଯାଏ ନାହିଁ ବରଂ ପୋଡ଼ାଯାଏ। ବିଭିନ୍ନ ଜାତୀୟସ୍ତରରେ ପୋଡପିଠାକୁ ବିଭିନ୍ନ ମଞ୍ଚରେ ସ୍ଥାନିତ ହେଉଥିବାର ଦେଖିବାକୁ ମିଳିଥାଏ । ନୟାଗଡରେ ପ୍ରଥମଥର ପାଇଁ ପ୍ରସ୍ତୁତ ହୋଇଥିବା ଏହି ମିଠାଟି ବର୍ତ୍ତମାନ ଓଡ଼ିଶା ଖାଦ୍ୟକୁ ସାରା ବିଶ୍ବରେ ପରିଚୟ ଦେଇଛି । ଏହିଭଳି ଅନେକ ଖାଦ୍ୟ ଓ ବ୍ୟକ୍ତିତ୍ବ ରହିଛନ୍ତି ଯେଉଁମାନେ ଓଡିଆ ଖାଦ୍ୟକୁ ସାରା ବିଶ୍ବସ୍ତରରେ ପ୍ରଚାର ପ୍ରସାର କରୁଛନ୍ତି ।

Tags: