ସଦ୍ଭାବନା ଦିବସ
ସମଗ୍ର ଭାରତବର୍ଷରେ ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖକୁ "ସଦ୍ଭାବନା ଦିବସ" ଭାବେ ପାଳନ କରାଯାଇଥାଏ । ଏହି ଦିବସ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ( ୨୦ ଅଗଷ୍ଟ ୧୯୪୪ – ୨୧ ମଇ ୧୯୯୧ )ଙ୍କ ଜନ୍ମଜୟନ୍ତୀ ସ୍ମୃତିରେ ଆୟୋଜିତ ହୋଇଥାଏ । "ସଦ୍ଭାବନା" ଶବ୍ଦର ପ୍ରକୃତ ଅର୍ଥ ହେଉଛି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଭାଷାଗତ ଭେଦଭାବ ଭୁଲି ସମସ୍ତ ମାନବସମାଜ ମଧ୍ୟରେ ଶାନ୍ତି, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଏବଂ ପାରସ୍ପରିକ ବିଶ୍ୱାସ ଗଢ଼ିତୋଳିବା । ଭାରତକୁ ଏକବିଂଶ ଶତାବ୍ଦୀର ଆଧୁନିକତାର ପଥରେ ଆଗେଇ ନେବାରେ ରାଜୀବ ଗାନ୍ଧୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ବିଶେଷ ଅବଦାନ ରହିଛି । ସେ ଦେଶରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ କ୍ରାନ୍ତିର ମୂଳଦୁଆ ପକାଇଥିଲେ । ଯୁବସମାଜକୁ ସଶକ୍ତ କରିବା ପାଇଁ ଭୋଟଦାନ ବୟସ ସୀମାକୁ ୨୧ରୁ ୧୮ ବର୍ଷକୁ ହ୍ରାସ କରିଥିଲେ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଜବାହର ନବୋଦୟ ବିଦ୍ୟାଳୟର ସ୍ଥାପନ କରିଥିଲେ । ସଦ୍ଭାବନା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିଂସାର ପଥ ପରିତ୍ୟାଗ କରି ଆଲୋଚନା ଓ ସମ୍ବିଧାନିକ ମୂଲ୍ୟବୋଧ ମାଧ୍ୟମରେ ସମସ୍ତ ମତଭେଦକୁ ଦୂର କରିବା ଏବଂ ଜାତୀୟ ସଂହତି ପ୍ରତିଷ୍ଠା କରିବା । ଏହି ଅବସରରେ ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହାସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ "ରାଜୀବ ଗାନ୍ଧୀ ଜାତୀୟ ସଦ୍ଭାବନା ପୁରସ୍କାର"ରେ ସମ୍ମାନିତ କରାଯାଏ । ଯାହା ଆମର ଯୁବପିଢ଼ିକୁ ଏକ ସମାବେଶୀ, ଶାନ୍ତିପୂର୍ଣ୍ଣ ଓ ଆଧୁନିକ ଭାରତ ଗଠନ ପାଇଁ ସଦାସର୍ବଦା ପ୍ରେରଣା ଯୋଗାଇଥାଏ ।




