ଷୋଳପୂଜା
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ “ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ “ବାସନ୍ତୀ ପୂଜା’ କୁହାଯାଏ । ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି […]
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ “ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ “ବାସନ୍ତୀ ପୂଜା’ କୁହାଯାଏ । ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ “ବିଜୟା ଦଶମୀ’ କୁହାଯାଏ । ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହୋଇଥିଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା “ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି, ବୋଲି ଆଦିକବି ସାରଳା ଦାସ “ଚଣ୍ଡୀପୁରାଣ’ରେ ଲେଖିଛନ୍ତି । “ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ । ଦେବୀ ମାହାତ୍ମ୍ୟ’ ମତେ: “ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯିବାର ପରମ୍ପରା ରହିଛି, ଯାହା ବର୍ତ୍ତମାନ ପଶୁ ବଳି ବଦଳରେ ଫଳ ବଳିରେ ପରିବର୍ତ୍ତିତ ହୋଇଛି । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ । ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ଓ୍ୱିତା ଶକ୍ତି “ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ । ଏହିପରି ଭାବେ ୧୬ ଦିନ ଧରି ଓଡ଼ିଶାର ବିଭିନ୍ନ ଶକ୍ତି ପୀଠରେ ମାଆଙ୍କର ପୂଜା ଆରାଧନା କରାଯାଇଥାଏ । ମାଆଙ୍କ ପୂଜା ପାଇଁ ସମସ୍ତ ଶକ୍ତିପୀଠ ଷୋଳ ଦିନ ଧରି ଚଳଚଞ୍ଚଳ ହୋଇଉଠେ ।




