ଶଙ୍ଖର ମାହାତ୍ମ୍ୟ
ଶଙ୍ଖ ଏକପ୍ରକାର ସାମୁଦ୍ରିକ ଜୀବର ଦେହାବଶେଷରୁ ପ୍ରାପ୍ତ ପବିତ୍ର ବସ୍ତୁ । ଭାରତୀୟ ହିନ୍ଦୁ ସନାତନ ଧର୍ମରେ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶଙ୍ଖର ମହତ୍ତ୍ୱ ଅତି ଉଚ୍ଚ ସ୍ଥାନ ଲାଭ କରିଛି । ପ୍ରାୟତଃ ସମସ୍ତ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ, ପୂଜାସ୍ଥଳୀରେ, ଭାଗବତଟୁଙ୍ଗି, ମଠ ଓ ଶକ୍ତିପୀଠରେ ଏହାର ଉପସ୍ଥିତି ଦେଖିବାକୁ ମିଳେ । ବିବାହ, ଜନ୍ମୋତ୍ସବ, ପୂଜାପାର୍ବଣ ଆଦି ଯାବତୀୟ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବାଦନର ବ୍ୟବସ୍ଥା କରାଯାଇଥାଏ । ଏହାର କାରଣ ହେଉଛି ପ୍ରାୟତଃ ସନାତନ […]
ଶଙ୍ଖ ଏକପ୍ରକାର ସାମୁଦ୍ରିକ ଜୀବର ଦେହାବଶେଷରୁ ପ୍ରାପ୍ତ ପବିତ୍ର ବସ୍ତୁ । ଭାରତୀୟ ହିନ୍ଦୁ ସନାତନ ଧର୍ମରେ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶଙ୍ଖର ମହତ୍ତ୍ୱ ଅତି ଉଚ୍ଚ ସ୍ଥାନ ଲାଭ କରିଛି । ପ୍ରାୟତଃ ସମସ୍ତ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ, ପୂଜାସ୍ଥଳୀରେ, ଭାଗବତଟୁଙ୍ଗି, ମଠ ଓ ଶକ୍ତିପୀଠରେ ଏହାର ଉପସ୍ଥିତି ଦେଖିବାକୁ ମିଳେ । ବିବାହ, ଜନ୍ମୋତ୍ସବ, ପୂଜାପାର୍ବଣ ଆଦି ଯାବତୀୟ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବାଦନର ବ୍ୟବସ୍ଥା କରାଯାଇଥାଏ । ଏହାର କାରଣ ହେଉଛି ପ୍ରାୟତଃ ସନାତନ ଧର୍ମର ଅଧିକାଂଶ ଦେବାଦେବୀ ଆୟୁଧ ରୂପରେ ଶଙ୍ଖ ଧାରଣ କରିଛନ୍ତି । ସ୍ୱୟଂ ଭଗବାନ ବିଷ୍ଣୁ “ପାଞ୍ଚଜନ୍ୟ’ ନାମକ ଶଙ୍ଖର ଅଧିକାରୀ ଥିଲେ ବୋଲି ପୁରାଣଶାସ୍ତ୍ରରୁ ଜଣାଯାଏ । ସମୁଦ୍ର ମନ୍ଥନ ସମୟରେ ଦେବାସୁର ମିଳିତ ଭାବରେ ଯେଉଁ ଅମୃତ ଓ ରନିାଦି ପ୍ରାପ୍ତ କରିବା ପାଇଁ ପ୍ରୟାସ କରିଥିଲେ ସେହି ସମୟରେ ପାଞ୍ଚଜନ୍ୟ ନାମକ ଜୈବିକ ଶଙ୍ଖ ସମୁଦ୍ରରୁ ବାହାରିଥିଲା । ଯାହାର ଅଦ୍ଭୁୁତ ସ୍ୱର, ରୂପ ଓ ଗୁଣ ପ୍ରତି ଆକୃଷ୍ଟ ହୋଇ ସ୍ୱୟଂ ଭଗବାନ ବିଷ୍ଣୁ ତାହାକୁ ନିଜର ଆୟୁଧ ରୂପେ ଗ୍ରହଣ କରିଥିଲେ । ସେହି ସମୟରୁ ଶ୍ରୀ ବିଷ୍ଣୁଙ୍କର ଚତୁର୍ଭୁଜଧାରୀ ଅବୟବରେ ଶଙ୍ଖ ଶୋଭାପାଇଆସୁଛି ।
ମହାଭାରତ ଯୁଦ୍ଧ ସମୟରେ ବିପକ୍ଷକୁ ସନ୍ଦେଶ ସଂପ୍ରେକ୍ଷଣ ତଥା ଉଭୟପକ୍ଷକୁ ଯୁଦ୍ଧ ପାଇଁ ତତ୍ପର ହେବା ଉଦ୍ଦେଶ୍ୟରେ ଶଙ୍ଖ ଧ୍ୱନି ଉଚ୍ଚାରଣ କରାଯାଉଥିଲା । କେବଳ ସେତିକି ନୁହେଁ ଯୁଦ୍ଧରେ ବିଜୟଲାଭ କରିଥିବା ଯୋଦ୍ଧା ଶଙ୍ଖ ବାଦନ କରି ବିଜୟପ୍ରାପ୍ତିର ସୂଚନା ଏବଂ ଯୁଦ୍ଧ ସମାପ୍ତିର ସୂଚନା ଶତ୍ରୁପକ୍ଷକୁ ଦେଉଥିଲେ । ମହାଭାରତ ଯୁଦ୍ଧରେ ପାଣ୍ଡବ ଯୋଦ୍ଧାମାନଙ୍କ ମଧ୍ୟରେ ଅର୍ଜୁନ “ଦେବଦତ୍ତ’, ଭୀମ “ପୌଣ୍ଡ୍ର’, ଯୁଧିଷ୍ଠିର “ଅନନ୍ତବିଜୟ’, ନକୁଳ “ସୁଘୋଷ’ ତଥା ସହଦେବ “ମଣିପୁଷ୍ପକ’ ନାମକ ଶଙ୍ଖ ଧାରଣ କରିଥିବା ବର୍ଣ୍ଣନା ରହିଛି । ତେଣୁ ଅତୀତରେ ଶଙ୍ଖ ଯୁଦ୍ଧ ଓ ବିରତ୍ୱର ବାର୍ତ୍ତା ପ୍ରଚାରରେ ମଧ୍ୟ ସହାୟକ ହୋଇଥିଲା ।
ଶଙ୍ଖ ଯେ କେବଳ ପୂଜାରେ ବ୍ୟବହୃତ ହେଉଥିବା ପବିତ୍ର ବସ୍ତୁ ତାହା ନୁହେଁ, ଏହାକୁ ଆୟୁର୍ବେଦୀୟ ଚିକିତ୍ସାରେ ମଧ୍ୟ ସ୍ୱାସ୍ଥ୍ୟ ଲାଭର ସାଧନ ରୂପେ ସ୍ୱୀକାର କରାଯାଇଛି । ଆୟୁର୍ବେଦରେ ଶଙ୍ଖ ଭସ୍ମରୁ ଔଷଧ ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ଉଦରଗତ ରୋଗ, ସ୍ତ୍ରୀରୋଗ, ନେତ୍ରରୋଗ ଆଦିର ଉପଚାର କରାଯିବାର ବିଧି ରହିଛି । ସେହିଭଳି ଭୌଗୋଳିକ ସୀମା ସରହଦ ତଥା ଶାସ୍ତ୍ରୀୟ ସିଦ୍ଧାନ୍ତ ଅନୁସାରେ ପୁରୀର ପରିସୀମା ହେଉଛି ଦକ୍ଷିଣାବର୍ତ୍ତୁକ ଶଙ୍ଖ ସଦୃଶ । ଦକ୍ଷିଣାବର୍ତ୍ତୁକ ଶଙ୍ଖର ଆକୃତି ହେଉଛି ଭୌମାକୃତି ଅର୍ଥାତ୍ ତ୍ରିକୋଣାକାର । ବାଙ୍କିମୁହାଣ ନଦୀ, ମିଟିଆଣି ନଦୀ, ମଙ୍ଗଳା ନଦୀ ଓ ତୀର୍ଥରାଜ ମହୋଦଧି ପରିବେଷ୍ଠିତ ଦ୍ୱୀପାଞ୍ଚଳ ହିଁ ଶଙ୍ଖ କ୍ଷେତ୍ର ନାମରେ ଅଭିହିତ । ଏହିଥିରୁ ଜଣାଯାଏ ଯେ ଭଗବାନ ବିଷ୍ଣୁଙ୍କର ଆୟୁଧ ରୂପେ ମାନ୍ୟତା ପ୍ରାପ୍ତ ଶଙ୍ଖ ଉଭୟ ଉପଚାର ଓ ଉପାସନାର ଏକ ପ୍ରମୁଖ ସାଧନ । ତେଣୁ ଶାସ୍ତ୍ରରେ ଏହା ୧୪ଗୋଟି ରନି ମଧ୍ୟରେ ସ୍ଥାନ ପାଇଛି ।
(ଡାକ୍ତର ଦୀନବନ୍ଧୁ ମହାରଣା)




