ରଥାରୂଢ଼ ହେବାକୁ ଆସନ୍ତି ପାଲିଙ୍କିରେ

ଆଜି ପବିତ୍ର ରଥଯାତ୍ରା, ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ପ୍ରାଚୀ ଉପତ୍ୟକାର ବନ୍ଦେଶ୍ୱର ଗ୍ରାମରେ ପୂଜା ପାଇ ଆସୁଥିବା ଶ୍ରୀ ଗୁରୁଦେବ ଠାକୁରଙ୍କ ରଥଯାତ୍ରା ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ବନ୍ଦେଶ୍ୱର ଗାଁ ଠାରୁ ପ୍ରାୟ ୪/୫ କିଲୋମିଟର ଦୂରରେ ଥିବା ତୁଳସୀପୁର ବ୍ରାହ୍ମଣ ଶାସନରେ ରଥ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ଗାଁରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରାରେ ବନ୍ଦେଶ୍ୱର ଗ୍ରାମର […]

ରଥାରୂଢ଼ ହେବାକୁ ଆସନ୍ତି ପାଲିଙ୍କିରେ
Samaya Live Picture
Published On

ଆଜି ପବିତ୍ର ରଥଯାତ୍ରା, ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ପ୍ରାଚୀ ଉପତ୍ୟକାର ବନ୍ଦେଶ୍ୱର ଗ୍ରାମରେ ପୂଜା ପାଇ ଆସୁଥିବା ଶ୍ରୀ ଗୁରୁଦେବ ଠାକୁରଙ୍କ ରଥଯାତ୍ରା ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ବନ୍ଦେଶ୍ୱର ଗାଁ ଠାରୁ ପ୍ରାୟ ୪/୫ କିଲୋମିଟର ଦୂରରେ ଥିବା ତୁଳସୀପୁର ବ୍ରାହ୍ମଣ ଶାସନରେ ରଥ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ଗାଁରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରାରେ ବନ୍ଦେଶ୍ୱର ଗ୍ରାମର ଶ୍ରୀଗୁରୁଦେବ ଠାକୁର ରଥାରୁଢ଼ ହୋଇଥାନ୍ତି । ତୁଳସୀପୁର ବ୍ରାହ୍ମଣ ଶାସନର ଗ୍ରାମବାସୀମାନେ ଶ୍ରୀଗୁଣ୍ଡିଚା ଦିନ ପ୍ରାତଃରୁ ଯାଇ ପହଞ୍ଚନ୍ତି ବନ୍ଦେଶ୍ୱର ଗ୍ରାମରେ । ଶ୍ରୀ ଗୁରୁଦେବ ଠାକୁରଙ୍କୁ ସ୍ନାନ, ମାର୍ଜଣା କରାଯିବା ପରେ ଗ୍ରାମବାସୀ ମାନେ ନେଇଥିବା ନବବସ୍ତ୍ର, ପାଟ , ପୁଷ୍ପ ଅଳଙ୍କାର ଲାଗି କରାଯାଇଥାଏ । ଠାକୁରଙ୍କ ପାଖରେ ବାଳ ଭୋଗ ଲାଗି ହେବା ପରେ ଗୀତା ପାଠ ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନରେ ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବା ପରେ ଏକ ସୁ ସଜ୍ଜିତ ପାଲିଙ୍କିରେ ଗ୍ରାମବାସୀମାନେ ଶ୍ରୀ ଗୁରୁଦେବ ଠାକୁରଙ୍କୁ ଉପବେଶନ କରାଇ ଏକ ଶୋଭାଯାତ୍ରାରେ ନିଜ ଗାଁ ତୁଳସୀପୁରକୁ ନେଇଥାନ୍ତି । ତୁଳସୀପୁର ବ୍ରାହ୍ମଣ ଶାସନରେ ପୂର୍ବରୁ ନିର୍ମିତ ଓ ସଜ୍ଜିତ ରଥରେ ଶ୍ରୀ ଗୁରୁଦେବ ଠାକୁରଙ୍କୁ ରଥାରୂଢ଼ କରାଯିବା ପରେ ରଥ ଟଣା ଯାଇଥାଏ । ଡାହୁକଙ୍କ ବୋଲିରେ ରଥ ଆଗକୁ ଗଡିଥାଏ । ଠାକୁରଘର ଘର ଭୋଗ ଖାଇ ସଂଧ୍ୟାରେ ଗୁଣ୍ଡିଚା ମନ୍ଦିର ଭାବେ ପରିଚିତ କନକ ଦୂର୍ଗା ମନ୍ଦିର ଠାରେ ପହଞ୍ଚନ୍ତି । କନକ ଦୂର୍ଗା ମନ୍ଦିରରେ ୭ ଦିନ ପୂଜା ପାଆନ୍ତି । ଗ୍ରାମବାସୀ ମାନଙ୍କ ପକ୍ଷରୁ ପାଳି କରି ଠାକୁରଙ୍କ ପାଖରେ ଅନ୍ନ ଭୋଗ ଲାଗି କରାଯାଇ ଥାଏ । ୯ ଦିନ ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ଶ୍ରୀ କ୍ଷେତ୍ର ପାଲଟିଯାଏ । ଏହି ଅବସରରେ ପ୍ରତ୍ୟେହ ସଂଧ୍ୟାରେ ସଂଧ୍ୟା ଆଳତୀ ଓ ଗୀତ ଗୋବିନ୍ଦ ପାଠ ଅନୁଷ୍ଠିତ ହୋଇଥାଏ । ନବମୀ ଦିନ ଠାକୁରଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଦ ଭାଗବତ ପାଠ ହୋଇଥାଏ । ବାହୁଡ଼ା ଦିନ ଠାକୁର ରଥାରୂଢ଼ ହୋଇ ଘର ଘର ଭୋଗ ଖାଇ ଗାଁ ଶେଷ ମୁଣ୍ଡରେ ପହଞ୍ଚନ୍ତି । ବାଟରେ ମାଉସୀ ମା’ ଘର ଠାରେ ସଂଧ୍ୟା ଆଳତୀ ଓ ପୋଡ଼ ପିଠା ଭୋଗ ଲାଗି କରାଯାଇଥାଏ । ରଥ ଉପରେ ଅଧରପଣା, ସୁନାବେଶ ନୀତି ଅନୁଷ୍ଠିତ ହେବା ପରେ ନୀଳାଦ୍ରି ବିଜେ ଦିନ ପୁଣି ଗ୍ରାମବାସୀମାନେ ଠାକୁରଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାଇ ଶୋଭାଯାତ୍ରାରେ ବନ୍ଦେଶ୍ୱର ଗ୍ରାମକୁ ନେଇ ଠାକୁରଙ୍କ ସ୍ୱ ମନ୍ଦିରରେ ପ୍ରବେଶ କରାଇଥାନ୍ତି । ସେଠାରେ ଠାକୁରଙ୍କୁ ଅନ୍ନ ପ୍ରସାଦ ଭୋଗ ଲାଗି କରି ଗ୍ରାମବାସୀ ମାନେ ନିଜ ଗାଁ ତୁଳସୀପୁର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଶେଷ ହୋଇଥାଏ ଶ୍ରୀ ଗୁରୁଦେବ ଠାକୁରଙ୍କ ଅନନ୍ୟ ନିଆରା ରଥଯାତ୍ରା ।
ସନ୍ତୋଷ ଦାଶ
ମୋ – ୯୪୩୯୩୬୧୮୮୮

Tags: