ମୋଟା କୁକୁରଙ୍କର ପ୍ରତିଯୋଗିତା
ଅଲାସ୍କାର ବିଶ୍ୱପ୍ରସିଦ୍ଧ 'ଫ୍ୟାଟ୍ ବେୟାର୍ ୱିକ୍' ଦ୍ୱାରା ଅନୁପ୍ରାଣିତ ହୋଇ ରାଜଧାନୀ ଦିଲ୍ଲୀର ସବୁଠାରୁ ମୋଟା ଓ ଗୋଲଗାଲ କୁକୁରମାନଙ୍କୁ ନେଇ 'ଫ୍ୟାଟ୍ ଡଗ୍ସ ଅଫ୍ ଦିଲ୍ଲୀ' ନାମକ ଏକ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଇନଷ୍ଟାଗ୍ରାମ୍ରେ ଚାଲିଥିବା ଏହି ମୁକାବିଲାରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ମୋଟ ୬୪ଟି କୁକୁର ଭାଗ ନେଇଥିଲେ । ପ୍ରତିଯୋଗୀ କୁକୁରମାନଙ୍କ ମଧ୍ୟରୁ ବିଜେତା ଚୟନ ସମ୍ପୂର୍ଣ୍ଣ ଭାବେ ସାଧାରଣ ଜନତାଙ୍କ ପ୍ରତ୍ୟକ୍ଷ ଭୋଟ୍ (ଇନଷ୍ଟାଗ୍ରାମ୍ ଷ୍ଟୋରୀ ପୋଲ୍) ଉପରେ ଆଧାରିତ ଅଟେ । ସେପ୍ଟେମ୍ବର ୨୪ରୁ ୬୪ଟି କୁକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସେପ୍ଟେମ୍ବର ୨୫ରେ ଟପ୍-୩୨, ୨୬ରେ ଟପ୍-୧୬, ୨୭ରେ କ୍ୱାଟର-ଫାଇନାଲ୍, ୨୮ରେ ସେମି-ଫାଇନାଲ୍ ଏବଂ ୨୯ ସେପ୍ଟେମ୍ବରରେ ଫାଇନାଲ୍ ଭୋଟିଂ ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରତିଦିନ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଆରମ୍ଭ ହେଉଥିବା ଭୋଟିଂ ଲିଙ୍କ୍ ୨୪ ଘଣ୍ଟା ପାଇଁ ସକ୍ରିୟ ରହୁଛି । ସୂଚନାଯୋଗ୍ୟ ଯେ, ଅଲାସ୍କାର କାଟମାଇ ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ଶୀତଦିନ ପୂର୍ବରୁ ସାଲମନ୍ ମାଛ ଖାଇ ଓଜନ ବଢ଼ାଉଥିବା ୧୬ଟି ଭାଲୁଙ୍କୁ ନେଇ ୨୦୧୪ରୁ 'ଫ୍ୟାଟ୍ ବେୟାର୍ ୱିକ୍' ଅନୁଷ୍ଠିତ ହୋଇଆସୁଛି । ଯେଉଁଥିରେ ଗତବର୍ଷ ୧୨୦୦ ପାଉଣ୍ଡ ଓଜନର '୩୨ ଚଙ୍କ' ନାମକ ଏକ ଭାଲୁ ବିଜେତା ହୋଇଥିଲା । ଦିଲ୍ଲୀର ଏହି ପ୍ରତିଯୋଗିତାରେ ବର୍ତ୍ତମାନ କୌଣସି ନଗଦ ପୁରସ୍କାର ରଖାଯାଇନାହିଁ । ହେଲେ ସଂଯୋଜକମାନେ କୁକୁରମାନଙ୍କ ପାଇଁ ଖାଦ୍ୟ ସ୍ପନ୍ସରସିପ୍ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁଥିରେ କୁକୁର ମାଲିକମାନେ ଡାଇରେକ୍ଟ ମେସେଜ୍ ମାଧ୍ୟମରେ ନିଜ ପ୍ରଚାର ପାମ୍ପଲେଟ୍ ପଠାଇ ସାଧାରଣ ଲୋକଙ୍କ ସମର୍ଥନ ହାସଲ କରିପାରିବେ ।




