ମହାକାଶର  କୁକିଜ୍

ମହାକାଶର  କୁକିଜ୍
Ipsita Picture
By: Ipsita
Published On

 

ପ୍ଲାଷ୍ଟିକ୍ ବୋତଲ ଏବଂ କୃଷିଜାତ ବର୍ଜ୍ୟବସ୍ତୁରୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସଦର୍ଣ୍ଣ ଇଲିନୋଇସ୍ ୟୁନିଭରସିଟି କାର୍ବୋନଡେଲ୍‌ର ଗବେଷକମାନେ ଏକ ଅଭିନବ ପ୍ରଯୁକ୍ତିବିଦ୍ୟା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ମାଇକ୍ରୋବାଇଟ୍ସ ନାମକ ଥ୍ରିଡି - ପ୍ରିଣ୍ଟେଡ୍, ପ୍ରୋଟିନ୍ - ସମୃଦ୍ଧ କୁକିଜ୍ ବିକଶିତ କରୁଛନ୍ତି । ନାସାର ‘ଡିପ୍ ସ୍ପେସ୍ ଫୁଡ୍ ଚ୍ୟାଲେଞ୍ଜ’ ଦ୍ୱାରା ଅର୍ଥପୋଷିତ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତର ମହାକାଶ ଅଭିଯାନରେ ମହାକାଶଚାରୀଙ୍କୁ ଖାଦ୍ୟ ଯୋଗାଇବା । ଏହାସହ ପୃଥିବୀରେ ବର୍ଜ୍ୟବସ୍ତୁ ସମସ୍ୟା ଓ ଖାଦ୍ୟାଭାବର ମୁକାବିଲା କରିବା । ଗବେଷକମାନେ ଏହି କୁକିଜ୍‌କୁ ଖାଇବା ଯୋଗ୍ୟ ବୋଲି କହୁଥିଲେ ବି ଏହାର ସ୍ୱାଦ ପରୀକ୍ଷଣ ପାଇଁ ଆନୁଷ୍ଠାନିକ ଅନୁମୋଦନକୁ ଅପେକ୍ଷା କରିଛନ୍ତି । ସାଧାରଣ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହି ପ୍ରଯୁକ୍ତିବିଦ୍ୟାର ଅଧିକ ବିକାଶ କରାଯାଉଛି । ୟୁନିଭରସିଟିର ଆସୋସିଏଟ୍ ପ୍ରଫେସର ଲାହିରୁ ଜାୟାକୋଡିଙ୍କ ନେତୃତ୍ୱରେ ପାନୀୟ ବୋତଲରେ ବ୍ୟବହୃତ ପଲିଏଥିଲିନ୍ ଟେରେଫଥାଲେଟ୍ ପ୍ଲାଷ୍ଟିକ୍, ନଷ୍ଟ ହୋଇଥିବା ମକା ଗଛର ନଡ଼ା, ପତ୍ର ଓ ଅନ୍ୟାନ୍ୟ କୃଷିଜାତ ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଉଛି । ଏଥିରେ ପ୍ଲାଷ୍ଟିକ୍‌କୁ ସିଧାସଳଖ ଗୁଣ୍ଡ ନକରି, ‘ଅକ୍ସିଡେଟିଭ୍ ହାଇଡ୍ରୋଥର୍ମାଲ୍ ଡିଜୋଲ୍ୟୁସନ୍’ ପଦ୍ଧତିରେ ଜଳ, ଅମ୍ଳଜାନ, ଉଚ୍ଚ ତାପମାତ୍ରା ଓ ଚାପ ପ୍ରୟୋଗ କରି ପ୍ରଥମେ ସୂକ୍ଷ୍ମ ଅଂଶରେ ବିଭାଜିତ କରାଯାଏ । ପରେ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଇଷ୍ଟ ବା ଅଣୁଜୀବଙ୍କୁ ଖାଇବାକୁ ଦେଇ ପ୍ରୋଟିନ୍, ପୋଷକ ତତ୍ତ୍ୱ, ଭିଟାମିନ୍ ଓ ସ୍ୱାଦକାରୀ ଉପାଦାନରେ ପରିଣତ କରାଯାଏ । ଶେଷରେ ଏହି ମିଶ୍ରଣରେ ଫାଇବର, ଷ୍ଟାର୍ଚ ଓ ମିଠା ମିଶାଇ ଥ୍ରୀଡି ପ୍ରିଣ୍ଟର ସାହାଯ୍ୟରେ କୁକିଜ୍ ପ୍ରସ୍ତୁତ କରାଯାଏ । ଏହି ‘ପ୍ଲାଷ୍ଟିକ୍ ଅପସାଇକ୍ଲିଂ’ ପ୍ରକ୍ରିୟା ପ୍ଲାଷ୍ଟିକ୍ ଓ କୃଷି ବର୍ଜ୍ୟବସ୍ତୁ ହ୍ରାସ କରିବା, ମୂଲ୍ୟବାନ୍ ସମ୍ବଳର ପୁନରୁଦ୍ଧାର କରିବା, ସର୍କୁଲାର୍ ଇକୋନୋମିକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ କଞ୍ଚାମାଲ ଉପରେ ନିର୍ଭରଶୀଳତା କମାଇବାରେ ସାହାଯ୍ୟ କରିବ । ଯଦିଓ ଏହା ଏବେ ବି ଗବେଷଣାସ୍ତରରେ ରହିଛି ଏବଂ ପ୍ଲାଷ୍ଟିକ୍ ସିଧାସଳଖ ଖାଇବା ନିରାପଦ ନୁହେଁ ।

Tags: