ମଣିଷର ରେକର୍ଡ ଭାଙ୍ଗିଲା ରୋବଟ
ଏଭଳି ଅନେକ କାର୍ଯ୍ୟ ବର୍ତ୍ତମାନ ହେଉଛି ଯେଉଁଥିରେ ରୋବଟ ମଣିଷକୁ ପଛରେ ପକାଇ ଦେଉଛି । ସେହିଭଳି ଏକ ଘଟଣା ଚୀନର ବେଜିଂରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ହ୍ୟୁମାନଏଡ୍ ରୋବୋଟ୍ ଅଧା ମାରାଥନ ଦୌଡ଼ ଜିତି ମଣିଷର ବିଶ୍ୱ ରେକର୍ଡକୁ ଭାଙ୍ଗିଛି । ଚୀନ କମ୍ପାନୀ 'ଅନର'ର ଏହି ରୋବୋଟ୍ ୨୧ କିଲୋମିଟର ଦୌଡ଼କୁ ମାତ୍ର ୫୦ ମିନିଟ୍ ୨୬ ସେକେଣ୍ଡରେ ପୂରା କରିଥିବା ବେଳେ ମଣିଷର ବିଶ୍ୱ ରେକର୍ଡ (ଯୁଗାଣ୍ଡାର ଜାକବ୍ କିପ୍ଲିମୋଙ୍କ ନାମରେ) ପ୍ରାୟ ୫୭ ମିନିଟ୍ ରହିଛି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଗତ ବର୍ଷ ଏହି ଦୌଡ଼ ଜିତିଥିବା ରୋବୋଟ୍କୁ ୨ ଘଣ୍ଟା ୪୦ ମିନିଟ୍ ସମୟ ଲାଗିଥିବା ବେଳେ ଚଳିତ ବର୍ଷର ଏହି ଉନ୍ନତି ସମସ୍ତଙ୍କୁ ଚକିତ କରିଛି। ଏହି ପ୍ରତିଯୋଗିତାରେ ପ୍ରାୟ ୪୦% ରୋବୋଟ୍ ସ୍ୱୟଂଚାଳିତ ଭାବେ ଦୌଡ଼ୁଥିବାବେଳେ ବାକି ରୋବୋଟ୍ଗୁଡ଼ିକୁ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ କରାଯାଉଥିଲା । ଦର୍ଶକଙ୍କ ମତରେ ଏହା ଏକ ନୂତନ ବୈଷୟିକ ଯୁଗର ଆରମ୍ଭ, ଯେଉଁଠାରେ ପ୍ରଥମ ଥର ପାଇଁ ରୋବୋଟ୍ ଶାରୀରିକ ଦକ୍ଷତାରେ ମଣିଷକୁ ପଛରେ ପକାଇଛି ।



