ବୀରାଙ୍ଗନା
ଭାରତର ସ୍ୱାଧୀନତା ସଂଗ୍ରାମରେ ନାରୀଶକ୍ତିର ଯୋଗଦାନ ଅତୁଳନୀୟ। ଦେଶମାତୃକାର ମୁକ୍ତି ପାଇଁ ସେମାନେ ମଧ୍ୟ ଦେଇଥିଲେ ବଳିଦାନ, ଯାହା ଆଜି ବି ଅନେକ ନାରୀଙ୍କ ପାଇଁ ପାଲଟିଥାଏ ପ୍ରେରଣାର ଉତ୍ସ । ଏହି ତାଲିକା ବେଶ ଲମ୍ବା ଥିଲେ ବି ସେଥିମଧ୍ୟରୁ କିଛି ବୀରଙ୍ଗନାଙ୍କ ସମ୍ପର୍କରେ ଉପସ୍ଥାପନା ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮ - ୧୮ ଜୁନ୍ ୧୮୫୮): ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ୧୮୫୭ର ସିପାହୀ ବିଦ୍ରୋହର ଅନ୍ୟତମ ମୁଖ୍ୟ ନାୟିକା ଥିଲେ । ବ୍ରିଟିଶ ସରକାରଙ୍କ 'ସ୍ୱତ୍ୱଲୋପ ନୀତି' ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ହାତରେ ଖଣ୍ଡା ଓ ପୃଷ୍ଠରେ ପୁତ୍ରକୁ ବାନ୍ଧି ଇଂରେଜ ସେନା ବିରୋଧରେ ରଣାଙ୍ଗନରେ ବୀରତ୍ୱର ସହ ଲଢ଼ି ସେ ଶହୀଦ ହୋଇଥିଲେ। ସେ ଆଜି ମଧ୍ୟ ଅନେକ ନାରୀଙ୍କର ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।
କସ୍ତୁରବା ଗାନ୍ଧୀ (୧୧ ଅପ୍ରେଲ ୧୮୬୯ - ୨୨ ଫେବୃଆରୀ ୧୯୪୪) : ମହାତ୍ମା ଗାନ୍ଧୀଙ୍କ ଧର୍ମପତ୍ନୀ 'ବା' ଭାବେ ପରିଚିତ କସ୍ତୁରବା ଗାନ୍ଧୀ ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସତ୍ୟାଗ୍ରହ, ଆଇନ୍ ଅମାନ୍ୟ ଆନ୍ଦେଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗାନ୍ଧିଜୀ ଜେଲ୍ରେ ଥିବା ସମୟରେ ସେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ସେ ଅନେକ ଆନ୍ଦୋଳନରେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ ।
ଇନ୍ଦିରା ଗାନ୍ଧୀ (୧୯ ନଭେମ୍ବର ୧୯୧୭ - ୩୧ ଅକ୍ଟୋବର ୧୯୮୪): ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବାଲ୍ୟକାଳରୁ ସ୍ୱାଧୀନତା ସଂଗ୍ରାମ ସହ ଯୋଡ଼ିହୋଇଥିଲେ । ପିଲାଦିନେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସାହାଯ୍ୟ କରିବା ପାଇଁ 'ବାନର ସେନା' ଗଠନ କରିଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ଭାଗନେଇ ସେ ଜେଲ୍ଦଣ୍ଡ ଭୋଗିଥିଲେ ।
ସରୋଜିନୀ ନାଇଡୁ (୧୩ ଫେବୃଆରୀ ୧୮୭୯ - ୨ ମାର୍ଚ୍ଚ ୧୯୪୯): 'ଭାରତର କୋକିଳ' ଭାବେ ପ୍ରସିଦ୍ଧ ସରୋଜିନୀ ନାଇଡୁ ଜଣେ ପ୍ରଖ୍ୟାତ କବି ଓ କ୍ରାନ୍ତିକାରୀ ନେତ୍ରୀ ଥିଲେ । ୧୯୩୦ ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ସେ ଆଗଧାଡ଼ିର ନେତୃତ୍ୱ ନେଇ ବହୁବାର ଜେଲ୍ ଯାଇଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଭାରତୀୟ ମହିଳା ଅଧ୍ୟକ୍ଷା ଥିଲେ ।
ରମାଦେବୀ ଚୌଧୁରୀ (୩ ଡିସେମ୍ବର ୧୮୯୯ - ୨୨ ଜୁଲାଇ ୧୯୮୫) : ଓଡ଼ିଶାରେ 'ମା' ରମାଦେବୀ ଭାବେ ପରିଚିତ ଏହି ମହାନ ସଂଗ୍ରାମୀ ୧୯୨୧ ମସିହାରେ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଓଡ଼ିଶାରେ ଲବଣ ସତ୍ୟାଗ୍ରହ, ଅସହଯୋଗ ଓ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇ ସେ ଅନେକ ଥର କାରାବରଣ କରିଥିଲେ । ସ୍ୱାଧୀନତା ସହ ଗାନ୍ଧୀବାଦୀ ଚିନ୍ତାଧାରା, ହରିଜନ କଲ୍ୟାଣ ଓ ନାରୀ ସଶକ୍ତୀକରଣରେ ତାଙ୍କର ଯୋଗଦାନ ଅତୁଲନୀୟ ।
ସରଳା ଦେବୀ (୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬): ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ସରଳା ଦେବୀ ଓଡ଼ିଶାର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଲବଣ ସତ୍ୟାଗ୍ରହ ସମୟରେ ଜେଲ୍ ଯାଇଥିବା ଓଡ଼ିଶାର ପ୍ରଥମ ମହିଳା। ଏହାସହ ସେ ୧୯୩୬ ମସିହାରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟିକା ମଧ୍ୟ ଥିଲେ ।
ମାଳତୀ ଚୌଧୁରୀ (୨୬ ଜୁଲାଇ ୧୯୦୪ - ୧୫ ମାର୍ଚ୍ଚ ୧୯୯୮): ମାଳତୀ ଚୌଧୁରୀ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଓ କୃଷକ ଆନ୍ଦୋଳନର ପ୍ରମୁଖ ନେତ୍ରୀ ଥିଲେ । ୧୯୩୦ ଲବଣ ସତ୍ୟାଗ୍ରହ, ଆଇନ୍ ଅମାନ୍ୟ ଓ ଭାରତ ଛାଡ଼ ଆନ୍ଦୋଳନରେ ସେ ଆଗଧାଡ଼ିରେ ରହି କାରାବରଣ କରିଥିଲେ । ଶୋଷିତ, ଆଦିବାସୀ ଓ ଗରିବଙ୍କ ହକ୍ ପାଇଁ ସେ ଜୀବନସାରା ସଂଗ୍ରାମ କରିଥିଲେ ।




