ବିଶ୍ୱ ଦରବାରରେ ଘୋଷଯାତ୍ରା

ବିଶ୍ୱ ଦରବାରରେ ଘୋଷଯାତ୍ରା
Ipsita Picture
By: Ipsita
Published On

 

 

ଓଡ଼ିଶାର ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତି ମହାସମାରୋହରେ ପାଳିତ ହେଉଥିବା ବେଳେ, ଭାରତ ବାହାରେ ଥିବା ଅନେକ ସହରରେ ମଧ୍ୟ ଏହି ମହୋତ୍ସବ ଅତ୍ୟନ୍ତ ଆଡମ୍ବର ଓ ଗୌରବର ସହ ଆୟୋଜିତ ହୋଇଥାଏ । ସୁଦୂର ଆମେରିକାର ସେକ୍ରାମେଣ୍ଟୋ କିମ୍ବା ଲଣ୍ଡନର ଟ୍ରାଫାଲଗାର ସ୍କୋୟାର - ସବୁଠି ପ୍ରତିଧ୍ୱନିତ ହୁଏ 'ଜୟ ଜଗନ୍ନାଥ' ଧ୍ୱନି ।

 

ସାନ ଫ୍ରାନ୍ସିସ୍କୋ, ଆମେରିକା

ପ୍ରାୟ ୫୯ ବର୍ଷ ପୂର୍ବେ, ୧୯୬୭ ମସିହାରେ ଭାରତ ବାହାରେ ପ୍ରଥମ କରି ସାନ ଫ୍ରାନ୍ସିସ୍କୋ ସହରରେ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ସହରର ଲୋକମାନେ ଅତ୍ୟନ୍ତ ଆନନ୍ଦ ଓ ମହାସମାରୋହରେ ଏହି ପର୍ବକୁ ପାଳନ କରିଆସୁଛନ୍ତି। ରଥଯାତ୍ରା ଦେଖିବାକୁ ଏଠାରେ ଶହଶହ ଭକ୍ତଙ୍କର ସମାଗମ ହୋଇଥାଏ ।

ପ୍ରାଗ୍, ଚେକ୍ ରିପବ୍ଲିକ୍

ପ୍ରତିବର୍ଷ ରଥଯାତ୍ରା ସମୟରେ ଚେକ୍ ଗଣରାଜ୍ୟର ରାଜଧାନୀ ପ୍ରାଗ୍ର ରାସ୍ତାଗୁଡ଼ିକ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଭରିଯାଏ । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ବହନ କରୁଥିବା ଏକ ୪୦ ଫୁଟ ଉଚ୍ଚ ରଥକୁ ଟାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳେ । ରଥ ଟାଣିବା ସହିତ ଗାୟକ, ବାଦ୍ୟକାର ଓ ନୃତ୍ୟଶିଳ୍ପୀମାନଙ୍କର ଏକ ବିରାଟ ଶୋଭାଯାତ୍ରା ଅତ୍ୟନ୍ତ ଶ୍ରଦ୍ଧାର ସହ ଆଗକୁ ବଢ଼ିଥାଏ ।

 ଡର୍ବାନ, ଦକ୍ଷିଣ ଆଫ୍ରିକା

୧୯୮୮ ମସିହାରେ ପ୍ରଥମ କରି ଡର୍ବାନ ସମୁଦ୍ର କୂଳରେ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଅତ୍ୟନ୍ତ ଜୀବନ୍ତ ଭାବେ ପାଳିତ ହୋଇଆସୁଛି । ବାସ୍ତବରେ, ପାରମ୍ପରିକ ରଥଯାତ୍ରା ଶୋଭାଯାତ୍ରା ବ୍ୟତୀତ ସ୍ଥାନୀୟ ଏବଂ ଆନ୍ତର୍ଜାତୀୟ କଳାକାରମାନଙ୍କୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଆଧ୍ୟାତ୍ମିକ ଦିବସର ଗାରିମାକୁ ଆହୁରି ବଢ଼ାଇଦିଏ ।

ରୋମ୍, ଇଟାଲୀ

ମହାପ୍ରଭୁଙ୍କ ଆରାଧନାରେ ଇଟାଲୀର ଭକ୍ତମାନେ ମଧ୍ୟ ରାସ୍ତାରେ ନାଚିଗାଇ ସାମିଲ ହୋଇଥାଆନ୍ତି । ୧୯୮୧ ମସିହାରେ ପ୍ରଥମେ ଟସ୍କାନ୍ ସହର ଭିଆରେଗିଓରେ ଇଟାଲୀର ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ଇଟାଲୀର ରାଜଧାନୀ ରୋମ୍ରେ ମଧ୍ୟ ଏହି ଯାତ୍ରାର ଭବ୍ୟ ଶୁଭାରମ୍ଭ କରାଯାଇଥିଲା ।

ବ୍ରିସବେନ୍, ଅଷ୍ଟ୍ରେଲିଆ

ରଙ୍ଗାରଙ୍ଗ ଗୀତ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ସୁନ୍ଦର ସହର ବ୍ରିସବେନ୍ରେ ରଥଯାତ୍ରା ଅବସରକୁ ସମ୍ମାନିତ କରାଯାଏ । ରଥଯାତ୍ରା ଶୋଭାଯାତ୍ରାର ସମାପ୍ତିରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ ମହୋତ୍ସବ ଖୁବ ସୁନ୍ଦର ଓ ମନୋରମ ହୋଇଥାଏ ।

ମସ୍କୋ, ରୁଷିଆ

ମସ୍କୋରେ ରଥଯାତ୍ରା ପାଳନର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଏଠାରେ ପ୍ରାୟ ୨୦୦ ଅଧିକ ରୁଷୀୟ ଭକ୍ତ ପ୍ରବଳ ଶୀତ ଓ ଶୂନ୍ୟରୁ ୨୦ ଡିଗ୍ରୀ ତଳେ ଥିବା ପାଣିପାଗ ଏବଂ ବରଫପାତକୁ ଖାତିର ନକରି ଅତ୍ୟନ୍ତ ଆନନ୍ଦର ସହ ଦେବଦେବୀଙ୍କ ରଥକୁ ଟାଣିଥାନ୍ତି । ଏହା ପ୍ରକୃତରେ ଏକ ଦେଖିବା ଭଳି ଦୃଶ୍ୟ ହୋଇଥାଏ ।

ଭକ୍ତପୁର, ନେପାଳ

ନେପାଳର ଭକ୍ତପୁର ସହରରେ ରଥଯାତ୍ରା ଅତି ଚମତ୍କାର ଭାବେ ପାଳନ କରାଯାଏ । କାଠମାଣ୍ଡୁରେ ଥିବା ଜଗନ୍ନାଥ ମନ୍ଦିର ସହିତ ଏକ ଦିବ୍ୟ କୀମ୍ବଦନ୍ତୀ ରହିଛି । ସୂଚନା ଅନୁସାରେ ୨୦୧୫ ମସିହାର ଭୟାବହ ଭୂକମ୍ପରୁ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ମନ୍ଦିରଟି ସୁରକ୍ଷିତ ରହିଥିଲା। ସେଠାରେ ରଥଯାତ୍ରାକୁ ଖୁବ ଧୁମଧାମରେ ପାଳନ କରନ୍ତି ।

ଫ୍ଲୋରିଡା, ଆମେରିକା :

ରଥଯାତ୍ରାର ପବିତ୍ର ଦିନରେ ଫ୍ଲୋରିଡାର ସୁନ୍ଦର ସମୁଦ୍ର କୂଳ ଦେଇ ରଙ୍ଗବେରଙ୍ଗ ଓ ସୁସଜ୍ଜିତ ରଥଗୁଡ଼ିକ ଟଣାଯାଉଥିବା ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ । ରଥ ଚାରିପଟେ ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତର କାର୍ଯ୍ୟକ୍ରମ ଏହି ମହୋତ୍ସବର ଭାବନାକୁ ଆହୁରି ଉତ୍ସାହିତ କରିଥାଏ ।

 ଲଣ୍ଡନ, ଇଂଲଣ୍ଡ

ବିଶ୍ୱପ୍ରସିଦ୍ଧ ଟ୍ରାଫାଲଗାର ସ୍କୋୟାର ରଥଗୁଡ଼ିକର ଜୀବନ୍ତ ରଙ୍ଗରେ ରଙ୍ଗୀନ ହୋଇଯାଏ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ଅତ୍ୟନ୍ତ ଆନନ୍ଦର ସହ ରଥଯାତ୍ରା ପାଳନ କରନ୍ତି ।

 ଅକଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡର ସୁନ୍ଦର ସହର ଅକଲ୍ୟାଣ୍ଡରେ ମଧ୍ୟ ରଥଯାତ୍ରା ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏହାର ସୁନାମ ଅନୁଯାୟୀ, ରଥ ସମ୍ମୁଖରେ ଭକ୍ତମାନଙ୍କର ପାରମ୍ପରିକ ନୃତ୍ୟ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଥାଏ ।

Tags: