ବାର୍ଷିକ ପର୍ବନୀତି

କଥାରେ ଅଛି ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଇଥାଏ । ତେବେ ଏହା କେବଳ ଓଡ଼ିଶାର ପୁରପଲ୍ଲୀ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ । ପ୍ରଭୁଶ୍ରୀଜଗନ୍ନାଥଙ୍କର ମଧ୍ୟ ବର୍ଷସାରା ବିଭିନ୍ନ ନୀତି ଓ ପର୍ବ ପାଳନ ହୋଇଥାଏ । ଆସନ୍ତୁ ଜାଣିବା ସେହି ପର୍ବମାନଙ୍କ ସମ୍ପର୍କରେ । ଗୁରୁବାର ନୀତି ପ୍ରତ୍ୟେକ ଗୁରୁବାର ଦିନ ସକାଳ ଧୂପ ପରେ ଏହି ନୀତି ହେବାର ନିୟମ ରହିଛି । ଏହି ନୀତି ଶ୍ରୀମନ୍ଦିରର ମାଜଣା ମଣ୍ଡପରେ ଅନୁଷ୍ଠିତ […]

ବାର୍ଷିକ ପର୍ବନୀତି
Samaya Live Picture
Published On

କଥାରେ ଅଛି ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଇଥାଏ । ତେବେ ଏହା କେବଳ ଓଡ଼ିଶାର ପୁରପଲ୍ଲୀ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ । ପ୍ରଭୁଶ୍ରୀଜଗନ୍ନାଥଙ୍କର ମଧ୍ୟ ବର୍ଷସାରା ବିଭିନ୍ନ ନୀତି ଓ ପର୍ବ ପାଳନ ହୋଇଥାଏ । ଆସନ୍ତୁ ଜାଣିବା ସେହି ପର୍ବମାନଙ୍କ ସମ୍ପର୍କରେ ।

ଗୁରୁବାର ନୀତି
ପ୍ରତ୍ୟେକ ଗୁରୁବାର ଦିନ ସକାଳ ଧୂପ ପରେ ଏହି ନୀତି ହେବାର ନିୟମ ରହିଛି । ଏହି ନୀତି ଶ୍ରୀମନ୍ଦିରର ମାଜଣା ମଣ୍ଡପରେ ଅନୁଷ୍ଠିତ ହୁଏ । ଏହି ନୀତିରେ ମହାଜନ ସେବକ ୬ଜଣ, ଭିତରଛୁ ମହାପାତ୍ର, ସୁଦୁସୁଆର, ପାଳିଆ ପଶୁପାଳକ, ପର୍ବଯାତ୍ରା ଯୋଗାଣିଆ, ବିମାନବଡୁଙ୍କ ଭଳି ଅନେକ ସେବାୟତ କାର୍ଯ୍ୟ କରନ୍ତି । ରତ୍ନସିଂହାସନରୁ ଲକ୍ଷ୍ମୀ ଓ ସରସ୍ବତୀ , ମଦନମୋହନଙ୍କୁ ଆଣି ମାଜଣା ମଣ୍ଡପରେ ମାଜଣା କରି ଖଟ ଶେଯ ଉପରେ ଦୁଇ ଠାକୁରାଣୀଙ୍କର ଏକାନ୍ତ ନୀତି ହୁଏ । ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ଏହି ମାଜଣା ଓ ଏକାନ୍ତ ନୀତି ହୁଏ ନାହିଁ ।

ନକ୍ଷତ୍ର ବନ୍ଦପନା
ଯେଉଁଦିନ ରତ୍ନସିହଂସନସ୍ଥ ତିନି ଠାକୁରଙ୍କର ଜନ୍ମଦିନ ନକ୍ଷତ୍ର ପଡେ ସେଦିନ ଏହି ନୀତି ପାଳନ ହୋଇଥାଏ । ଏତିରେ ମନ୍ଦିରର ଅନେକ ସେବାୟତ ସାମିଲ ହୋଇ ଏହି ନୀତିକୁ ପାଳନ କରନ୍ତି । ଏହି ନୀତି ବେଶ୍ ସ୍ବତନ୍ତ୍ର ହୋଇଥାଏ ।

ଏକାଦଶୀ ପାଳନ
ପ୍ରତ୍ୟେକ ଏକାଦଶୀ ତିଥିରେ ସନ୍ଧ୍ୟା ଆଳତୀପରେ ଏହି ନୀତି ଅନୁଷ୍ଠିତ ହୁଏ । ସୋମବାର ଏକଦଶୀ ପଡିଲେ ଶମ୍ଭୁ ଏକଦଶୀ ପାଳନ ହୁଏ । ଏହାର କିଛି ବିଶେଷ ନିୟମ ରହିଛି ।

ଅମାବାସ୍ୟା ନୀତି
ଏହାକୁ ସାଗରବିଜେ ମଧ୍ୟ କୁହାଯାଇଥାଏ । ଅମାବାସ୍ୟା ପ୍ରତିପଦ ସ୍ପର୍ଶ ହେଲେ ସକାଳୁ ଧୂପ ପରେ ଏହି ନୀତି ହୋଇଥାଏ । ଏଥିରେ ଶ୍ରୀମନ୍ଦିର ବିଭିନ୍ନ ସେବାୟତ ଭାଗ ନେଇଥାଆନ୍ତି । ଆଷାଢ ଅମାବାସ୍ୟାରେ ପ୍ରତିପଦ ସ୍ପର୍ଶ ହେଲେ ଏହି ନୀତି ହୁଏ ନାହିଁ ।

ଯୋଡ ଲାଗି ସେବା
ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଷ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ରତ୍ନସିଂହାସନସ୍ଥ ଠାକୁରମାଙ୍କର ଯୋଡଲାଗି ହୁଏ । ଯୋଡ ଲାଗିଲେ ଶ୍ରୀଜିଉମାନେ ଶୀତଲୁଗା ପିନ୍ଧନ୍ତି ପ୍ରତିଦିନ ଭିନ୍ନଭିନ୍ନ ଯୋଡ ଲାଗି ହୋଇଥାଏ ।

ବନକ ଲାଗି
ପ୍ରତ୍ୟେକ ସପ୍ତାହରେ ବୁଧବାର ବା ଗୁରୁବାରରେ ଦ୍ବିପ୍ରହରପରେ ଏହି ନୀତି ହୁଏ । ପାଳିଆ ଖୁଣ୍ଟିଆ, ଗରାବଡୁଙ୍କ ଭଳି ଅନେକ ସେବାୟତ ଏଥିରେ ଭାଗ ନେଇଥାଆନ୍ତି । ବନକଲାଗି ପରେ ପୂଜାପଣ୍ଡାମାନେ ଶ୍ରୀଜିଉଙ୍କର ପଞ୍ଚାମୃତରେ ମହାସ୍ନାନ କରନ୍ତି ।

ବେଣ୍ଟ ବା ଶିକାର ନୀତି
ବସନ୍ତ ପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ପରେ ଓ ଜାଗର ଅମାବାସ୍ୟା ପରେ ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ, ଅଷ୍ଟମୀ ଓ ଦ୍ବାଦଶୀରେ ମଙ୍ଗଳ ଆଳତୀ ସରିଲା ପରେ ଶ୍ରୀଜିଉମାନଙ୍କ ପ୍ରତିନିଧି ବେଣ୍ଟ ଶିକାରକୁ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ଯାଆନ୍ତି । ଏହି ନୀତିରେ ଅନେକ ସେବାୟତ ଭାଗନେଇଥାଆନ୍ତି । ଏହି ନୀତିରେ ମଠରେ ପଇଡକୁ ତୀର ମରାଯାଇଥାଏ ।

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ନୀତି
ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଦିନମାନଙ୍କରେ ପଞ୍ଜିକାରେ ଲେଖା ହୋଇଥିବା ମତ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କିଛି ନୀତି ହୁଏନାହିଁ । ସର୍ବମୋକ୍ଷପରେ ରୋଷ ଧୋ ପଖାଳ ହୁଏ ଏବଂ ଶ୍ରୀଜିଉମାନଙ୍କର ନୀତି ଆରମ୍ଭ ହୁଏ ଏବଂ ଯଥା ବିହିତ ସମ୍ପନ୍ନ ହୁଏ ।

ସ୍ନାନ ଯାତ୍ରା
ଏହି ନୀତି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୁଏ । ଆଗଦିନ ରାତ୍ରରେ ଲକ୍ଷ୍ମୀ ଓ ମଦନ ମୋହନଙ୍କୁ ଦକ୍ଷିଣୀ ଘରକୁ ବିଜେ କରାଯାଏ । ସରସ୍ବତୀ ଓ ମାଧବଙ୍କୁ ଖଟ ଶେଯ ଘରେ ପଲଙ୍କରେ ବିଜେ କରାଯାଏ । ପୂର୍ଣ୍ଣିମାର ଅତି ପ୍ରତ୍ୟୁଷରୁ ଦଇତାପତି ସେବକମାନେ ଅନ୍ୟାନ ସେବକଙ୍କ ସାହାଯ୍ୟରେ ଶ୍ରୀଜିଉଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିଥାଆନ୍ତି । ଏଠାରେ ଆମନ୍ତ୍ରିତ ଜଳରେ ଦେବସ୍ନାନ ହୁଏ । ହାତୀ ବେଶ ହୁଏ ଓ ରାତ୍ରିରେ ପହୁଣ୍ଡ ବିଜେରେ ଶ୍ରୀଜିଉମାନେ ଦେଉଳକୁ ଯାଇ ଅଣସର ଘରେ ରୁହନ୍ତି ।

ଅଣସର ବିଧି
ସ୍ନାନ ପୂର୍ଣ୍ଣିମା ରାତ୍ରରୁ ଆଷାଢ ଅମାବାସ୍ୟାଯାଏ ଅଣସର ଘରେ ଶ୍ରୀଜିଉମାନେ ରୁହନ୍ତି ଏବଂ ସର୍ବସାଧାରଣ ସେମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ । ଅଣସର ପଞ୍ଚମୀରେ ଫୁଲରି ଲାଗିହୁଏ, ଅଣସର ଦଶମୀରେ ଚକାବିଜେ ହୁଏ, ଅଣସର ପ୍ରସାଦ ଓ ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ପୂଜା, ଅଣସରରେ ଶ୍ରୀଜିଉମାନଙ୍କର ଜ୍ବର ହୁଏ ଓ ସେମାନେ ଦଶମୂଳ ପାଚକ ସେବନ କରନ୍ତି ।

Tags: