ବଡ ପେଟ ସମ୍ନାନର ପ୍ରତୀକ
ଇଥିଓପିଆର ବୋଡି ଜନଜାତି ମଧ୍ୟରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି, ଯେଉଁଠାରେ ପୁରୁଷମାନଙ୍କର ବଡ଼ ପେଟକୁ ସମ୍ମାନ ଏବଂ ପ୍ରକୃତ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ବିଚାର କରାଯାଏ । ଏହି ସମ୍ପ୍ରଦାୟରେ ଜଣେ ପୁରୁଷର ପେଟ ଯେତେ ବଡ଼ ଓ ଗୋଲାକାର ହୋଇଥାଏ, ସେ ସେତେ ଅଧିକ ଶକ୍ତିଶାଳୀ, ଧନୀ ଏବଂ ଆକର୍ଷଣୀୟ ବୋଲି ବିଶ୍ବାସ ରହିଛି । ପ୍ରତିବର୍ଷ ଆୟୋଜିତ ହେଉଥିବା ‘କାଏଲ’ ଉତ୍ସବ ପାଇଁ ପୁରୁଷମାନେ ପ୍ରାୟ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଯେଉଁଥିରେ ସେମାନେ ନିଜକୁ ଏକ କୁଡ଼ିଆ ମଧ୍ୟରେ ବନ୍ଦ କରି କେବଳ ଖାଇବା ଓ ଶୋଇବା ଦ୍ୱାରା ନିଜର ଓଜନ ବଢ଼ାଇଥାନ୍ତି । ଏହି ପ୍ରତିଯୋଗିତାରେ ଯେଉଁ ପୁରୁଷର ପେଟ ସବୁଠାରୁ ବଡ଼ ହୋଇଥାଏ, ଝିଅମାନେ ତାଙ୍କୁ ହିଁ ନିଜର ଜୀବନସାଥୀ ଭାବେ ବାଛିଥାନ୍ତି। ସେ ସମ୍ପୂର୍ଣ୍ଣ ଅଞ୍ଚଳର ଜଣେ ‘ହିରୋ’ଭାବେ ପରିଗଣିତ ହୋଇଥାନ୍ତି । ସମଗ୍ର ବିଶ୍ୱରେ ଲୋକମାନେ ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଯାଉଥିବା ବେଳେ, ଏହି ଜନଜାତିର ଏଭଳି ସୌନ୍ଦର୍ଯ୍ୟର ନିଆରା ମାପକାଠି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।



