ପେଣ୍ଟିଂର ଦାମ ୪୩ କୋଟି
ନ୍ୟୁୟର୍କର ମ୍ୟାନହାଟନ୍ରେ ଥିବା ଏକ ଆଲମାରୀ ଭିତରେ ଦୀର୍ଘ ୯୬ ବର୍ଷ ଧରି ସାଇତା ହୋଇ ରହିଥିବା ଏକ ପୁରାତନ ଚିତ୍ରକଳା ନିକଟରେ ହୋଇଥିବା ଏକ ନିଲାମୀରେ ପ୍ରାୟ ୪୩ କୋଟି ଟଙ୍କାରେ ବିକ୍ରି ହୋଇଛି । ପ୍ରସିଦ୍ଧ ଆମେରିକୀୟ ଚିତ୍ରଶିଳ୍ପୀ ଜର୍ଜିଆ ଓ’କିଫେ ୧୯୩୦ ମସିହାରେ ‘ନିୟର ଆବିକ୍ୟୁ, ନ୍ୟୁ ମେକ୍ସିକୋ’ ଶୀର୍ଷକ ଏହି ଚିତ୍ରକଳାଟିକୁ ନିର୍ମାଣ କରିଥିଲେ । ମ୍ୟାନହାଟନ୍ରେ ରହୁଥିବା ଜଣେ ମହିଳା ୨୦୨୨ ମସିହାରେ ନିଜ ଝିଆରୀଙ୍କୁ ତାଙ୍କ ଆଲମାରୀରେ ଜର୍ଜିଆ ଓ’କିଫେଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ଥିବା ବିଷୟରେ ଜଣାଇଥିଲେ । ପରିବାର ସଦସ୍ୟଙ୍କ ବିଶ୍ୱାସ ଅନୁଯାୟୀ ଉକ୍ତ ମହିଳାଙ୍କୁ ସ୍ନାତକ ଡିଗ୍ରୀ ହାସଲ କରିବା ଅବସରରେ ତାଙ୍କ ମାଆ ଏହାକୁ ଉପହାର ସ୍ୱରୂପ ଦେଇଥିଲେ । ପୂର୍ବରୁ ସମ୍ପୃକ୍ତ ମହିଳା ଜଣକ ନିଜର ଇଷ୍ଟ ଭିଲେଜ୍ ଆପାର୍ଟମେଣ୍ଟରେ ଏହି ଚିତ୍ରକଳାଟିକୁ ବହୁ ବର୍ଷ ଧରି ସଜାଇ ରଖିଥିଲେ । ସୂଚନାଯୋଗ୍ୟ ଯେ ଜର୍ଜିଆ ଓ’କିଫେ ଆମେରିକୀୟ ଆଧୁନିକ ଚିତ୍ରକଳା ଜଗତର ଅନ୍ୟତମ ଶ୍ରେଷ୍ଠ ଓ ଖ୍ୟାତିସମ୍ପନ୍ନ ଶିଳ୍ପୀ ଥିଲେ । ଯିଏକି ଆବିକ୍ୟୁରେ ନିଜର ଘର ଓ ଷ୍ଟୁଡିଓ ନିର୍ମାଣ କରିବା ସହ ଘୋଷ୍ଟ ରାଞ୍ଚର ଲାଲ୍ ପାହାଡ଼ ମଧ୍ୟରେ ତାଙ୍କର ଏକ ଗ୍ରୀଷ୍ମକାଳୀନ ବାସଭବନ ମଧ୍ୟ ରଖିଥିଲେ ।




