ପରୀକ୍ଷାରେ ଫେଲ୍ ହେଲେ ମିଳିବ ସେନାରେ ଚାକିରି
ଇରାନର କଠିନ 'କୋଙ୍କୁର' ପରୀକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇରାନରେ ପ୍ରଚଳିତ ଏକ ନିଆରା ଶିକ୍ଷା ବ୍ୟବସ୍ଥା ଅନୁଯାୟୀ, ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା 'କୋଙ୍କୁର' ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳୁଥିବାବେଳେ, ଅକୃତକାର୍ଯ୍ୟ ବା ଫେଲ୍ ହେଲେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସେନାରେ ଭର୍ତ୍ତି ହେବାକୁ ପଡ଼ିଥାଏ । ଇରାନର ନିୟମ ଅନୁଯାୟୀ, ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ସୁସ୍ଥ ଯୁବକଙ୍କ ପାଇଁ ୧.୫ ରୁ ୨ ବର୍ଷ ପର୍ଯ୍ୟନ୍ତ ସେନା ସେବା କରିବା ଅନିବାର୍ଯ୍ୟ । ହେଲେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କୁ ଏଥିରୁ ସାମୟିକ ଛାଡ଼ ମିଳିଥାଏ । ପାଖାପାଖି ୪.୫ ଘଣ୍ଟା ଧରି ଚାଲୁଥିବା ଏହି ପରୀକ୍ଷାରେ ବିଜ୍ଞାନ ସହିତ ପାର୍ସୀ ସାହିତ୍ୟ, ଆରବୀ ଏବଂ ଧାର୍ମିକ ଶିକ୍ଷା ଉପରେ ପ୍ରଶ୍ନ ପଚରାଯାଏ, ଯେଉଁଥିପାଇଁ ଏହାକୁ ବିଶ୍ୱର ଅନ୍ୟତମ ଜଟିଳ ପରୀକ୍ଷା ଭାବେ ଗଣନା କରାଯାଏ ।




