ନିଜକୁ ବିବାହ
ଆମେରିକାର ମାରିଆ ଲିୟୋନାର୍ଡ ନାମ୍ନୀ ଜଣେ ମହିଳା ସ୍ବାମୀଙ୍କ ସହ ବିବାହ ବିଚ୍ଛେଦ ଘଟିବାପରେ ନିଜ ସହ ନିଜେ ବିବାହ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ବୃତ୍ତିରେ ଜଣେ ଲେଖିକା, ଓକିଲ ତଥା ପୋଡକାଷ୍ଟ ହୋଷ୍ଟ ମାରିଆ କୋଲୋରାଡୋର ପାହାଡ଼ିଆ ଅଞ୍ଚଳସ୍ଥିତ ଏକ ରିସୋର୍ଟରେ ନିଜର ୩ ଜଣ ଘନିଷ୍ଠ ବାନ୍ଧବୀଙ୍କ ଉପସ୍ଥିତିରେ ଏହି ବାହାଘର କରିଥିଲେ । ଯେଉଁଠାରେ ବାନ୍ଧବୀମାନେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ କରିଥିଲେ । ଏହି ବିବାହରେ ସେ ନିଜକୁ ଆଜୀବନ ଭଲପାଇବା, ନିଜ ଖୁସିର ଦାୟିତ୍ୱ ନିଜେ ନେବା ଏବଂ ଜୀବନସାରା ନିଜ ସହ ରହିବାର ସଂକଳ୍ପ ନେଇଥିଲେ । ହଟ୍ ଟବ୍ରେ ରିସେପ୍ସନ୍ ପାର୍ଟି କରିଥିବା ମାରିଆ ବର୍ତ୍ତମାନ ପୁଣି ସେହି ପାହାଡ଼ିଆ ସ୍ଥାନକୁ ଯାଇ ବାନ୍ଧବୀମାନଙ୍କ ସହ ବିବାହର ବାର୍ଷିକୋତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବା ବି ଦେଖିବାକୁ ମିଳୁଛି ।




