ଧର୍ମମାସ
ଓଡିଆ ଭାଷାର ୧୨ ମାସ ଭିତରେ ସର୍ବଶ୍ରେଷ୍ଠଭାବେ ପରିଗଣିତ ହୋଇଥାଏ କାର୍ତ୍ତିକ ମାସ, ଯାହାକୁ ଧର୍ମମାସ ଭାବେ ସମ୍ଭୋଧନ କରାଯାଇଥାଏ । ଏହି ମାସରେ ଓଡ଼ିଶାରେ ପାଳନ ହୋଇଥାଏ କିଛି ସ୍ବତନ୍ତ୍ର ନୀତିକାନ୍ତି ଯାହା ଅନ୍ୟକେଉଁଠି ଦେଖିବାକୁ ମିଳିନଥାଏ । ସେହିସବୁ ସ୍ବତନ୍ତ୍ର ଧର୍ମୀୟ ନୀତିକାନ୍ତିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା.....
ସର୍ବଶ୍ରେଷ୍ଠ ମାସ ଭାବେ କାର୍ତ୍ତିକ ମାସର ରହିଛି ବିଶେଷ ମାହାତ୍ମ୍ୟ । ଏହାକୁ ଧର୍ମ ମାସ ଭାବେ ବିବେଚନା କରାଯିବା ସହିତ ଏହି ମାସରେ ଅନେକ ଧର୍ମୀୟ ଅନୁଷ୍ଠାନ ପାଳନ କରାଯାଇଥାଏ । ଏହି ମାସରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କର ବିଭିନ୍ନ ପୂଜାଅର୍ଚ୍ଚନା ଲାଗିରହିଥାଏ, ଯାହା ପୁରପଲ୍ଲୀର ପରିବେଶକୁ ଭକ୍ତିମୟ କରିଥାଏ । ହିନ୍ଦୁ ମାନଙ୍କ ପାଇଁ କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ମାସ ଅଟେ । ସବୁଠାରୁ ଅଧିକ ଧର୍ମ ତଥା ପୁଣ୍ୟ ମାସ ହୋଇଥିବାରୁ ମାସସାରା ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ମାସରେ ବିଭିନ୍ନ ପୂଜା ଯେପରି ବାଲୁଙ୍କା ପୂଜା, ପଞ୍ଚୁକ, କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଆଦି ପାଳନର ବିଧି ରହିଛି । ଏହି ମାସରେ ହବିଷ କରାଯିବାର ବିଧି ରହିଛି । ଯେଉଁ ବିଧିରେ ହବିଷାଳୀମାନେ ରାଇଦାମୋଦରଙ୍କୁ ତୁଳସୀ ଚଉରାମୂଳେ ପୂଜା କରନ୍ତି । ଲୋକଙ୍କର ବିଶ୍ୱାସ ରହିଛି, କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ସୁଖମୟ ଓ ନିରାମୟ ଜୀବନଯାପନ ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ । ସେହିଭଳି କାର୍ତ୍ତିକ ମାସକୁ ଭଗବାନ ଶିବଙ୍କର ମଧ୍ୟ ପ୍ରିୟ ମାସ ବୋଲି ବିବେଚନା କରାଯାଇଥାଏ । କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ । ଏହି ମାସରେ ସମସ୍ତ ରୀତିନୀତିକୁ ଖୁବ କଠୋର ଭାବେ ଶ୍ରଦ୍ଧାଳୁମାନେ ପାଳନ କରନ୍ତି । ପୁରାଣରେ ବର୍ଣ୍ଣନା ଅନୁସାରେ ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଦିନ ନିଦ୍ରା ଯାଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଜାଗ୍ରତ ହୋଇଥାଆନ୍ତି । ଏହାକୁ ରାଇଦାମଦୋର ମାସ ବୋଲି ମଧ୍ୟ ସମ୍ବୋଧନ କରାଯାଇଥାଏ । ଏହି ମାସରେ ସକାଳର ସ୍ନାନକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ମାସରେ ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ସମସ୍ତ ସୁଖ ପ୍ରାପ୍ତି ହେବା ସହିତ ଆରୋଗ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ବିଶେଷଭାବେ ବିଧବା ନାରୀମାନେ ହବିଷ ବ୍ରତ ପାଳନ କରିବାର ବିଧି ରହିଛି । ମାସସାରା ସେମାନେ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ତୁଳସୀ ଚଉରା ମୂଳେ ରାଇଦାମଦୋର ପୂଜା କରିବାର ବିଧି ରହିଛି । ତୁଳସୀ ଚଉରା ମୂଳେ ରଙ୍ଗବେରଙ୍ଗର ମୁରୁଜରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସେଠାରେ ରାଇଦାମଦୋର ପୂଜା କରାଯାଇଥାଏ । ଏହି ଦିନେ ହବିଷିଆଳି ମାନେ ହବିଷ ପ୍ରସ୍ତୁତ କରି ଦିନକୁ ଗୋଟିଏ ଥର ଖାଇଥାଆନ୍ତି । ଏହି ମାସରେ ଆମିଷ ସହିତ ଅନେକ ପରିବା ଓ ଉଷୁନା ଖାଇବାରେ ବାରଣ ଥାଏ । ଏହି ଦିନ ହବିଷିଆଳି ମାନେ ଅଲଗା ଭାବରେ ଅରୁଆ ଅନ୍ନ ସହିତ କବଳୀ, ସାରୁ, ମୁଗଡାଲି, ଓଉ ଓ ନଡିଆରୁ ଅଣଫୁଟା ଓ ଅଣହଳଦିଆ ଡାଲମା ପ୍ରସ୍ତୁତ କରନ୍ତି । ଏହି ଅନ୍ନ ଓ ଡାଲମାକୁ ଦିନରେ ଗୋଟିଏ ଥର ଖିଆଯାଇଥାଏ । କିଛି ସ୍ଥାନରେ କଦଳୀ ପତ୍ର କିମ୍ବା ପଥୁରୀରେ ଏହି ଖାଦ୍ୟକୁ ପୂଜା ପରେ ଖିଆଯାଇଥାଏ । ସେହିଭଳି ଏହି ଦିନେ ହବିଷିଆଳିମାନେ କେବଳ ଅଗସ୍ତି ଶାଗ ଖାଇବାର ବିଧି ରହିଛି, ଅନ୍ୟ ଶାଗ ଏହି ଦିନେ ଖାଇବା ବର୍ଜନ ହୋଇଥାଏ । ସେହିଭଳି ରାତ୍ରି ଭୋଜନରେ କେବଳ ଫଳ ଖାଇଥାଆନ୍ତି, କିଛି ସ୍ଥାନରେ ଏହା ମଧ୍ୟ ବାରଣ ରହିଥାଏ । ଏହି ଦିନ କାର୍ତ୍ତିକ ବ୍ରତ ବା କାର୍ତ୍ତିକ ମହାତ୍ମ୍ୟ ବହି ପଢାଯିବାର ବିଧି ରହିଛି । ଏହି ଦିନମାନଙ୍କରେ ପ୍ରତି ମନ୍ଦିରରେ ଖୁବ ଭିଡ ଦେଖିବାକୁ ମିଳିଥାଏ । ବିଶେଷଭାବେ ସୋମବାରରେ ଶିବ ମନ୍ଦିରରେ ଭିଡ ପରିଲକ୍ଷିତ ହୋଇଥାଏ ।




