ଡାହାଣୀ
ଆଈମାଙ୍କ ପେଡିରେ ଭୁତ କଥାଠାରୁ ଆରମ୍ଭ କରି ମଜାଳିଆ କଥା ସମସ୍ତ ପ୍ରକାରର ଭିନ୍ନ କଥା ଶୁଣିବାକୁ ଥାଏ । ଅନେକ ଭୁତ କଥାରେ ମଧ୍ୟ ଜୀବନର ଅନେକ ନୀତିଶିକ୍ଷା ଲୁଚି ରହିଥାଏ, ସେହିଭଳି ଏକ ଗପ ହେଲା ଡାହାଣୀ ।
ଅନେକ ଦିନ ତଳର କଥା । ଗୋଟିଏ ଶାନ୍ତ ଓ ସୁନ୍ଦର ଗାଁରେ ହରିଆ ନାମକ ଜଣେ ଗରିବ କାଚ ବିକାଳି ତା’ର ସ୍ତ୍ରୀ, ଛୋଟ ପୁଅ ଏବଂ ଗୃହପାଳିତ ପଶୁମାନଙ୍କ ସହ ଅତ୍ୟନ୍ତ ଖୁସିରେ ରହୁଥିଲା । ପ୍ରତିଦିନ ସକାଳୁ ପଖାଳ ଗଣ୍ଡିଏ ଖାଇ ସେ ଝୁଡ଼ିରେ ରଙ୍ଗବେରଙ୍ଗର କାଚ ଧରି ପାଖ ଗାଁଗୁଡ଼ିକୁ ବିକିବାକୁ ବାହାରି ଯାଉଥିଲା। ଦିନେ ଅପରାହ୍ନରେ ହରିଆ ଗୋଟିଏ ବିରାଟ ବରଗଛ ତଳେ ଥିବା କୂଅ ପାଖରେ ବିଶ୍ରାମ ନେବାକୁ ରହିଲା । ନିଜ ଖାଇବା ବାକ୍ସରୁ ବଳିପଡ଼ିଥିବା ଖାଦ୍ୟତକ ସେ ସେଠାରେ ବୁଲୁଥିବା କିଛି ଭୋକିଲା କୁକୁରଙ୍କୁ ଖାଇବାକୁ ଦେଇଦେଲା। ସେହି ବରଗଛ ଉପରେ ଗୋଟିଏ ଭୋକିଲା ଡାହାଣୀ ରହୁଥିଲା । ସେ ଯେତେବେଳେ ସେହି ରନ୍ଧା ଖାଦ୍ୟତକ ଚାଖିଲା, ତାକୁ କଞ୍ଚା ମାଂସ ଓ ରକ୍ତ ଠାରୁ ମଣିଷର ରନ୍ଧା ଖାଦ୍ୟ ଅନେକ ଗୁଣରେ ସ୍ୱାଦିଷ୍ଟ ଲାଗିଲା । ସେ ମନେ ମନେ ସ୍ଥିର କଲା ଯେ ଯେକୌଣସି ଉପାୟରେ ମଣିଷଙ୍କ ଗହଣରେ ହିଁ ରହିବ । ଡାହାଣୀଟି ତୁରନ୍ତ ନିଜର ମାୟାବୀ ଶକ୍ତି ବଳରେ ଜଣେ ଅତି ସୁନ୍ଦରୀ ନାରୀର ରୂପ ଧାରଣ କଲା ଏବଂ ବରଗଛ ତଳେ ବସି କାନ୍ଦିବାକୁ ଲାଗିଲା। ହରିଆ ଫେରିବା ବେଳେ ତା’ର କାନ୍ଦଣା ଶୁଣି ପାଖକୁ ଗଲା । ନାରୀଟି ନିଜକୁ ନିରାଶ୍ରୟା ବୋଲି କହିବାରୁ, ହରିଆ ଦୟାପରବଶ ହୋଇ ତାକୁ ନିଜ ଘରକୁ ନେଇଆସିଲା ଏବଂ ଘର କାମରେ ସାହାଯ୍ୟ କରିବା ପାଇଁ ଆଶ୍ରୟ ଦେଲା। ସେହି ମାୟାବୀ ନାରୀଟି ନିଜର ନାଁ ଦୟାମା ବୋଲି କହିଲା। ଦୟାମା ଘରର ସବୁ କାମ ଖୁବ୍ ନିଷ୍ଠାର ସହ କଲା । ଗାଈଗୋରୁଙ୍କ ସେବା କରିବାଠାରୁ ଆରମ୍ଭ କରି ହରିଆର ସ୍ତ୍ରୀକୁ ରୋଷେଇରେ ସାହାଯ୍ୟ କରିବା—ସବୁଥିରେ ସେ ନିପୁଣ ଥିଲା। ତା’ର ପରିଶ୍ରମ ଓ ମିଠା ବ୍ୟବହାର ଦେଖି ଅଳ୍ପ ଦିନ ମଧ୍ୟରେ ସେ ପରିବାରର ଜଣେ ସଦସ୍ୟ ପାଲଟିଗଲା । ମାତ୍ର ଗୋଟିଏ ରାତିରେ ସବୁକିଛି ବଦଳିଗଲା। ହରିଆ ଘରକୁ ଫେରିବାରେ ବିଳମ୍ବ ହେବାରୁ ତା’ ସ୍ତ୍ରୀ ଦୟାମାକୁ କବାଟ ଖୋଲିବାକୁ ଡାକିଲା। ଦୟାମା ନିଜ ଶୋଇବା ସ୍ଥାନରୁ ନ ଉଠି, ନିଜ ହାତକୁ ଅସମ୍ଭବ ଭାବେ ଲମ୍ବେଇ ଦେଇ ଘରର ଅନ୍ୟ ପାଖରେ ଥିବା କବାଟ ଖୋଲିଦେଲା । ଏହି ଭୟଙ୍କର ଦୃଶ୍ୟ ଦେଖି ହରିଆର ସ୍ତ୍ରୀ ଛାତି ଥରିଗଲା। ପରଦିନ ସକାଳେ ସେ ହରିଆକୁ ସବୁ କଥା କହି ଦୟାମା ସାଧାରଣ ମଣିଷ ନୁହେଁ ବୋଲି ଚେତାବନୀ ଦେଲା। ସତ୍ୟତା ପରଖିବା ପାଇଁ ହରିଆ ଦୟାମାକୁ ଘର ଚାରିପାଖରେ ୬ ଫୁଟ ଉଚ୍ଚର ଏକ ବିରାଟ ଇଟା ପ୍ରାଚୀର ତିଆରି କରିବାକୁ କହିଲା। ଦୟାମା ସଙ୍ଗେସଙ୍ଗେ ଏକାକୀ ସମ୍ପୂର୍ଣ୍ଣ ପ୍ରାଚୀର ଓ ଏକ ସୁନ୍ଦର ବଗିଚା ଠିଆ କରିଦେଲା । ଏହା ଦେଖି ଗ୍ରାମବାସୀମାନେ ମଧ୍ୟ ଭୟଭୀତ ହୋଇଗଲେ ଏବଂ ତାକୁ ଗାଁରୁ ବାହାର କରିବାକୁ ଦାବି କଲେ । ଭାଗ୍ୟବଶତଃ, ଦିନେ ହରିଆର ଛୋଟ ପୁଅ ଗୋଟିଏ ମୂଷାକୁ ଗାତ ଭିତରକୁ ପଶିଯିବାର ଦେଖି, ତାକୁ ଧରିବା ପାଇଁ ଦୟାମାକୁ କହିଲା । ଦୟାମା ଗର୍ବରେ ନିଜ ମାୟାବୀ ଶକ୍ତି ଦେଖାଇବାକୁ ଯାଇ ନିଜକୁ ଗୋଟିଏ ଛୋଟ ମୂଷାରେ ପରିଣତ କଲା ଏବଂ ଗାତ ଭିତରକୁ ପଶିଗଲା । ଏହି ସୁଯୋଗକୁ ହରିଆ ହାତଛଡ଼ା କଲାନାହିଁ । ସେ ତୁରନ୍ତ ବହଳିଆ କାଦୁଅ ଓ ମାଟି ଆଣି ସେହି ଗାତର ମୁହଁକୁ ଭଲ ଭାବରେ ବନ୍ଦ କରି ଛାପିଦେଲା । ଶେଷରେ ସେହି ମାୟାବୀ ଡାଆଣୀଟି ସେହି ଗାତ ଭିତରେ ସଦାସର୍ବଦା ପାଇଁ ଆବଦ୍ଧ ହୋଇ ରହିଗଲା, ଏବଂ ହରିଆର ପରିବାର ପୁଣିଥରେ ଶାନ୍ତି ଓ ଖୁସିରେ ଜୀବନ ବିତାଇବାକୁ ଲାଗିଲେ । ଅଜଣା ବ୍ୟକ୍ତିଙ୍କ ପ୍ରତି ଦୟା ଦେଖାଇବା ଭଲ, ମାତ୍ର ସମ୍ପୂର୍ଣ୍ଣ ପରିଚୟ ନଜାଣି କାହାକୁ ନିଜ ଘରେ ଆଶ୍ରୟ ଦେବା କିମ୍ବା ଅନ୍ଧଭାବେ ବିଶ୍ୱାସ କରିବା ନିଜ ପରିବାର ପାଇଁ ବିପଦ ଆଣିପାରେ ।




