ଜିଲ୍ଲାପାଳଙ୍କ ଅଫିସରେ ବରଯାତ୍ରୀ
ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, କନ୍ୟାଘର ପରିବର୍ତ୍ତେ ଜିଲ୍ଲାପାଳଙ୍କ ଅଫିସରେ ବରଯାତ୍ରୀ ପହଞ୍ଚିଛନ୍ତି । ସୂଚନା ଅନୁସାରେ ବିବାହ ପୂର୍ବରୁ ବିଦ୍ୟୁତ୍ କାଟ ହେବା କାରଣରୁ କୁଲଦୀପ କୁମାର ନାମକ ଜଣେ ବର ନିଜ ବରଯାତ୍ରୀଙ୍କୁ ନେଇ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ ଏଭଳି ଉପାୟରେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ସ୍ମାର୍ଟ ମିଟର ଲାଗିବା ପରଠାରୁ ବିଦ୍ୟୁତ୍ ବିଲ୍ ଦୁଇଗୁଣା ଆସୁଥିବା ଏବଂ ବିନା କୌଣସି ପୂର୍ବ ସୂଚନାରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ବିବାହ ଘରେ ସମ୍ପର୍କୀୟଙ୍କ ଗହଳି ଓ ଅନ୍ଧାର ଭିତରେ ଅତିଷ୍ଠ ହୋଇ ବର ଜଣକ ବ୍ୟାଣ୍ଡ-ବାଜା ସହ ଡିଏମ ଅଫିସ୍ ପହଞ୍ଚିବା ସହ ସେଠାରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ପୂଜା କରି ଏହି ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ତାଙ୍କର ଏହି ଅଭିନବ ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି ।



