ଜଗା ସେବାରେ ଆୟୁର୍ବେଦ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାରେ ସମୃଦ୍ଧ ଏହି ସଂସ୍କୃତି । ଜଗନ୍ନାଥଙ୍କ ମହାପ୍ରସାଦର ମହିମା କେବଳ ଧର୍ମୀୟ ଦୃଷ୍ଟିରେ ସୀମିତ ନୁହେଁ ଏହା ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଚଉଷଠୀ ପ୍ରକାର ଅନ୍ନବ୍ୟଞ୍ଜନ ପ୍ରସ୍ତୁତିରେ ଯେଉଁ ପ୍ରକ୍ରିୟା ରହିଛି, ତାହା ପ୍ରଦୂଷଣମୁକ୍ତ । ଅବଢା କୁଡୁଆରେ (ମାଟିପାତ୍ର) ପରିବେଷ୍ଟିତ ଏହି ମହାପ୍ରସାଦ ଶାନ୍ତିପ୍ରଦ, ସଂପୂର୍ଣ୍ଣ ନିରାମିଷ ଏବଂ ଉତ୍ତେଜନା ବିହୀନ । […]

ଜଗା ସେବାରେ ଆୟୁର୍ବେଦ
Samaya Live Picture
Published On

ଶ୍ରୀଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାରେ ସମୃଦ୍ଧ ଏହି ସଂସ୍କୃତି । ଜଗନ୍ନାଥଙ୍କ ମହାପ୍ରସାଦର ମହିମା କେବଳ ଧର୍ମୀୟ ଦୃଷ୍ଟିରେ ସୀମିତ ନୁହେଁ ଏହା ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଚଉଷଠୀ ପ୍ରକାର ଅନ୍ନବ୍ୟଞ୍ଜନ ପ୍ରସ୍ତୁତିରେ ଯେଉଁ ପ୍ରକ୍ରିୟା ରହିଛି, ତାହା ପ୍ରଦୂଷଣମୁକ୍ତ । ଅବଢା କୁଡୁଆରେ (ମାଟିପାତ୍ର) ପରିବେଷ୍ଟିତ ଏହି ମହାପ୍ରସାଦ ଶାନ୍ତିପ୍ରଦ, ସଂପୂର୍ଣ୍ଣ ନିରାମିଷ ଏବଂ ଉତ୍ତେଜନା ବିହୀନ । ଏହି ଖାଦ୍ୟ ସେବନ କଲେ ଶରୀର ଓ ମନ ଶାନ୍ତ, ଶୀତଳ ହୁଏ । ଆମ ହିନ୍ଦୁ ଧର୍ମର ପରମ୍ପରାରେ ଅନ୍ନକୁ ବ୍ରହ୍ମ ଭାବରେ କୁହାଯାଇଛି । ପୁରୀ ଶ୍ରୀକ୍ଷେତ୍ର ହେଉଛି ଅନ୍ନବ୍ରହ୍ମଙ୍କର ଉପାସନାର ପୀଠ । ଆୟୁର୍ବେଦରେ ଅନ୍ନ ଅର୍ଥ ଜୀବନଶକ୍ତି । ତେଣୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଯେଉଁ ଗୁଣଧର୍ମ ରହିଥାଏ ତାହା ଆମର ସ୍ୱାସ୍ଥ୍ୟ ପାଇଁ ସର୍ବାଦୌ ଅନୁକୂଳ ଓ ଉପକାରୀ । ଆୟୁର୍ବେଦର ଅନୁସରଣ କରି ଜଗନ୍ନାଥଙ୍କର ସମସ୍ତ ସେବା, ପୂଜା, ନୀତି ନିର୍ଘଣ୍ଟ ଗଢିଉଠିଛି । ମରଣଶୀଳ ଶରୀର ଧାରଣ କରି ଯେପରି ମଣିଷ ରୋଗାକ୍ରାନ୍ତ ହୁଏ, ଜଗତର ନାଥ ହୋଇ ମଧ୍ୟ ଶ୍ରୀଜଗନ୍ନାଥ ସେଥିରୁ ବାଦ ଯାଇନାହାନ୍ତି । ସାଧାରଣ ମଣିଷକୁ ଯେପରି ଜ୍ୱର ହୁଏ, ଶ୍ରୀ ଜଗନ୍ନାଥ ସେହିପରି ପ୍ରତିବର୍ଷ ଆଷାଢ ମାସ ପ୍ରତିପଦଠାରୁ ନେତ୍ର ଉସିବ ପର୍ଯ୍ୟନ୍ତ ୧୫ ଦିନ ଧରି ଜ୍ୱରାକ୍ରାନ୍ତ ହୋଇଥାନ୍ତି । ଜ୍ୱର ହେଲେ ରୋଗୀକୁ ଯେପରି ଭାତ ଖାଇବାକୁ ମନା କରାଯାଏ, ସେହିପରି ଶ୍ରୀଜଗନ୍ନାଥଙ୍କୁ ତାଙ୍କର ନିତ୍ୟ ନୈମିତିକ ପ୍ରସାଦରୁ ବଞ୍ଚିତ କରାଯାଇ କେବଳ ଦୁଗ୍‌ଧ ସର, ଫଳ, ମୂଳ ଆଦି ଭୋଗ କରାଯାଏ । ଏହି ଜ୍ୱରରୁ ଆରୋଗ୍ୟ ହେବା ପାଇଁ ଶ୍ରୀଜଗନ୍ନାଥଙ୍କୁ ଆୟୁର୍ବେଦ ଚିକିସିା ଶାସ୍ତ୍ର ଅନୁଯାୟୀ ଦଶମୂଳ ମୋଦକ ପ୍ରଦାନ କରାଯାଇଥାଏ । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଦଶମୂୂଳ ମୋଦକ ଦଶଟି ବୃକ୍ଷଲତାରୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ବୃହତ ପଂଚମୂଳ ଏବଂ ଲଘୁ ପଂଚମୂଳ ସାମିଲ ହୋଇଥାଏ । ବୃହତ୍‌ ପଂଚମୂଳ ହେଲା ବେଲ , ଅଗ୍ନିମନ‘ , ଗମ୍ଭାରୀ, ଶେ୍ୱନାକ , ପାଟଳା ଏବଂ ଲଘୁ ପଂଚମୂଳ ହେଲା ବୃହତୀ , କଂଟକରୀ , ଶାଳପର୍ଣ୍ଣୀ , ଗୋକ୍ଷୁରା , ପୃଷ୍ଣପର୍ଣ୍ଣୀ । ଏହା ତ୍ରିଦୋଷ ନାଶକ । ଏହି ଦଶମୂଳ ମୋଦକ ଖାଇବା ପରେ ଶ୍ରୀଜଗନ୍ନାଥ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ରଥଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତି ।
ଶ୍ରୀଜଗନ୍ନାଥ ବିଗ୍ରହ ଶ୍ରୀମୁଖରେ ବହୁ ପ୍ରକାର ରଙ୍ଗ ପ୍ରଲୋପ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ବଳା ସହ କସ୍ତୁରୀ ଓ କର୍ପୁର ମିଶ୍ରଣ କରି ଏହି ରଙ୍ଗ ପ୍ରସ୍ତୁତ କରାଯାଏ । କସ୍ତୁରୀ ଓ କର୍ପୂରରେ ବହୁ ଔଷଧୀୟ ଗୁଣ ଭରପୁର ହୋଇ ରହିଥିବାରୁ ଏଥିରେ ଆୟୁର୍ବେଦର ବହୁ ମୂଲ୍ୟବାନ ଔଷଧ ପ୍ରସ୍ତୁତ କରାଯାଇପାରୁଛି । ପ୍ରତ୍ୟେକ ଉକିଳୀୟଙ୍କ ପରି ଶ୍ରୀଜଗନ୍ନାଥ ମଧ୍ୟ ସକାଳୁ ଉଠିବା ପରଠାରୁ ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ଦାନ୍ତ ଘଷିବା, ସ୍ନାନ କରିବା ଓ ଭୋଜନାଦି କରିଥାନ୍ତି । ଶ୍ରୀଜଗନ୍ନାଥଙ୍କୁ ପ୍ରତି ସକାଳର ମଙ୍ଗଳ ଆରତି ପରେ ଅବକାଶ ବା ସ୍ନାନ କରାଯାଇଥାଏ । ଏହି ସ୍ନାନ ଜଳ କର୍ପୂର, ଦହି, ଅଁଳା, ଚନ୍ଦନ ଓ ସୁବାସିତ ଫୁଲର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଦହିର ପାଂଚ ପ୍ରକାର ଭେଦ ମଧ୍ୟରେ ମଧୁର ଦହି ବୀର୍ଯ୍ୟବର୍ଦ୍ଧକ ବାତନାଶକ । ଅଁଳା ହେଉଛି ଦେହର ସୌନ୍ଦର୍ଯ୍ୟ ବୃଦ୍ଧିକାରକ, ଚକ୍ଷୁ ନିର୍ମଳକାରକ ।
ଚନ୍ଦନ ହେଉଛି ପିତବିକାର, ଭ୍ରମ, ବାନ୍ତି, ଜ୍ୱର, ତୃଷା, ଦାହ, କୃମି, ମୁଖରୋଗ, ରକ୍ତପିତ, ପାଣ୍ଡୁ, ଶ୍ୱାସ, କାଶପ୍ରଶମକ ଅଟେ । ଏହି ଅବକାଶ ବା ସ୍ନାନ ଜଳରେ ଏପରି ଔଷଧୀୟ ଗୁଣ ରହିଛି ଯେ ଯଦି କୌଣସି ବ୍ୟକ୍ତିର ଅଜୀର୍ଣ୍ଣ ବା ବାତବୃଦ୍ଧି ହୋଇଥାଏ ତେବେ ତାହା ସେବନ କଲେ ଶୀଘ୍ର ଆରୋଗ୍ୟ ହୋଇଥାଏ । ଆହୁରି ମଧ୍ୟ ଜଗନ୍ନାଥଙ୍କ ଦେହରୁ ଚନ୍ଦନ ଓ କରାଳ ବାହାରେ, ତାହା କୌଣସି ଝାଡ଼ା
ରୋଗୀଙ୍କୁ ଦିଆଗଲେ ଔଷଧ ସଦୃଶ କାମ କରିଥାଏ । ଏଥିରେ କୌଣସି ମନ୍ତ୍ର ମହୌଷଧିର ବ୍ୟବସ୍ଥା ନଥାଏ । କେବଳ ବିଶ୍ୱାସ ହିଁ ମୂଳକଥା । ଆୟୁର୍ବେଦ ଚିକିସିା ଶାସ୍ତ୍ରର ବନୌଷଧିଗୁଡ଼ିକ ସହ ଜଗତର ନାଥ ଜଗନ୍ନାଥଙ୍କର ରହିଛି ନିବିଡ଼ ସଂପର୍କ । ସେଥିପାଇଁ ଶ୍ରୀମନ୍ଦିରର ବହୁ କାର୍ଯ୍ୟରେ ଏହି ଆୟୁର୍ବେଦ ଔଷଧ ବୃକ୍ଷର ଉପଯୋଗ ହୋଇଆସୁଛି । ସେହି ବନୌଷଧିଗୁଡ଼ିକ ମଧ୍ୟରେ ନିମ୍ବ, ତୁଳସୀ, ଚନ୍ଦନ, ତ୍ରିଫଳା, କର୍ପୂର ଓ ଜାଇଫଳାଦି ଅନ୍ୟତମ । ଏହି ନିମ୍ବ ସଂପର୍କରେ ଧନ୍ୱନ୍ତରୀ ନିର୍ଘଂଟରେ ବର୍ଣ୍ଣନା ରହିଛି ଯେ –
“” ନିମ୍ବସ୍ତିକରସଃ ଶୀତୋଲଘୁ ଶ୍ଳେଷ୍ଟାସ୍ରପିତୁନୁଦ
କ=ୁକୁଷ୍ଠ ବ୍ରଣାନ୍‌ ହନ୍ତି ଲେପାହାରାଜ ଶୀନିତଃ
ଅପକ ୍ୱଂ ପାଚୟେଚ୍ଛୋଥଂ ବ୍ରଣଂପକ ୍ୱଂ ବିଶୋଧୟେତ୍‌ ।”

ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନିମ୍ବ ଲଘୁ ଗୁଣଯୁକ୍ତ, ବିପାକରେ କଟୁ, ରସରେ ତିକ୍ତ ଓ କଷାୟ ଅଟେ ଏବଂ ଏହା ଶୀତବୀର୍ଯ୍ୟ ପ୍ରକୃତିର । ଜଗନ୍ନାଥ ମହାପ୍ରଭୁଙ୍କର ତ୍ରିଗୁଣ ସତ୍ୱଗୁଣସମ୍ପନ୍ନ ଏବଂ ଏହି ତ୍ରିଗୁଣ ମଧ୍ୟରେ ସତ୍ୱଗୁଣ ଲଘୁ, ଯାହା ଉଦାରମୟ ରସ । ଏହା ମହାଭାବର ପ୍ରତୀକ । ନିମ୍ବ ଦାରୁରେ ମହାପ୍ରଭୁଙ୍କ ଦାରୁବିଗ୍ରହ ନିର୍ମିତ । ନିମ୍ବ ତିକ୍ତ ଓ କଟୁ ରସଯୁକ୍ତ ହୋଇଥିବାରୁ ଏହାକୁ କୀଟମାନେ ନଷ୍ଟ କରିପାରନ୍ତି ନାହିଁ । ତେଣୁ ନିମ୍ବ କାଷ୍ଠରେ ନିର୍ମିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ କୀଟ ପତଙ୍ଗମାନଙ୍କଠାରୁ ସୁରକ୍ଷିତ ରହେ । ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ମୂର୍ତିଗଠନ ଅନ୍ୟ କୌଣସି ଦ୍ରବ୍ୟରେ ନହୋଇ ହୁଏ ନିମ୍ବ ଦାରୁରେ ହୁଏ । ଜଗନ୍ନାଥଙ୍କର ଅଙ୍ଗଲାଗି ହୋଇଥିବା ଚନ୍ଦନ ଏକ ଆଧ୍ୟାତ୍ମିକ ବୃକ୍ଷ ଭାବେ ପରିଗଣିତ । ମହର୍ଷି ଚରକ ତାଙ୍କ ଗ୍ରନ‘ର ୨୫ ଅଧ୍ୟାୟରେ କହିଛନ୍ତି ଯେ –
“”ଚନ୍ଦନ ଦୁର୍ଗନ୍ଧେ ହରଦାହ ନିର୍ବାପଣ ଲୋପନା ନାମ ।”
ଅର୍ଥାତ୍‌ ସମସ୍ତ ପ୍ରକାର ଦୁର୍ଗନ୍ଧକୁ ହରଣ କରୁଥିବା ଏହି ଚନ୍ଦନ ବୃକ୍ଷ ସର୍ବରୋଗ ନାଶକ ଅଟେ । ଏହା ପିତବିକାର, ଭ୍ରମ, ବାନ୍ତି, ଜ୍ୱର, ତୃଷ୍ଣା, ଦାହ, କୃମି, ମୁଖରୋଗ, ରକ୍ତପିତ, ପାଣ୍ଡୁ, ଶ୍ୱାସ, କାଶ ପ୍ରଶମକ ଅଟେ । ଚନ୍ଦନ ବୃକ୍ଷର ଉପିତି ସମ୍ବନ୍ଧରେ ପୌରାଣିକ ତଥ୍ୟରୁ ପ୍ରମାଣ ମିଳେ ଯେ, ପୁରୁଷୋତମ ନୀଳମାଧବ ରୂପେ ୮୪ ଅଙ୍ଗୁଳ ବିଶିଷ୍ଟ ଇନ୍ଦ୍ରନୀଳମୟୀ ପ୍ରତିମାରୂପେ କୃଷ୍ଣଗୁରୁ ବୃକ୍ଷମୂଳେ ବିରଜମାନ କରିଥିଲେ । ଏହି କୃଷ୍ଣଗୁରୁ ବୃକ୍ଷ ହେଉଛି କଳାରଙ୍ଗର ଚନ୍ଦନ ବୃକ୍ଷ । ଆୟୁର୍ବେଦ ବିଶେଷଜ୍ଞମାନେ ଏହି ବୃକ୍ଷକୁ ହରିଚନ୍ଦନ ବୃକ୍ଷ ବୋଲି କହିଥାନ୍ତି । ଚନ୍ଦନ ଓ ଚକାଡୋଳା ପରସ୍ପର ପରିପୂରକ । ବର୍ଷସାରା ତିନିଠାକରଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇଥାଏ । ବିଶେଷକରି ଅକ୍ଷୟ ତୃତୀୟାଠାରୁ ଚନନ୍ଦଲାଗି ବେଶ ହୋଇଥାଏ । ଚନ୍ଦନ ଶ୍ରୀଜଗନନାଥଙ୍କର କୃଷ୍ଣ ଶରୀରକୁ ଅଧିକ ଶୁଦ୍ଧପୂତ କରିଥାଏ । ଶ୍ରୀଜଗନ୍ନାଥଙ୍କୁ ଚନ୍ଦନ ଚର୍ଚ୍ଚିତ କରି କଳେବରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ସୁଗନ୍ଧଯୁକ୍ତ କରିବା ପାଇଁ ପୁଷ୍ପାଳକମାନେ ଶ୍ରୀମନ୍ଦିରରେ ଯଥାସମ୍ଭବ ଯତ୍ନବାନ ହୋଇଥାନ୍ତି । ଆୟୁର୍ବେଦର ଶ୍ରୀଚନ୍ଦନ, ଶ୍ରୀଖଣ୍ଡ ଚନ୍ଦନ, ହରି ଚନ୍ଦନ, ରକ୍ତଚନ୍ଦନ, କୃଷ୍ଣଗୁରୁ ଚନ୍ଦନ ଆୟୁର୍ବେଦ ଔଷଧ ନିର୍ମାଣ ପାଇଁ ଯେତେ ଉପଯୋଗୀ ହୋଇଥାଏ, ଶ୍ରୀଜଗନ୍ନାଥଙ୍କ ଉପାସନା ପାଇଁ ମଧ୍ୟ ସେତିକି ଉପଯୋଗୀ ହୋଇଥାଏ । ସଂସ୍କୃତିର ପ୍ରତୀକ ତୁଳସୀ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଏକ ପ୍ରଧାନ ଦ୍ରବ୍ୟ । ଏହା ମହାପ୍ରଭୁଙ୍କ ତିନିବାଡରେ ଦିନର ସବୁ ସମୟରେ ଲାଗି ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ଛଡ଼ାତୁଳସୀ ସେବକ, ସୁଆର କିମ୍ବା ସାଧାରଣ ଭକ୍ତଙ୍କ ପାଇଁ ଏକ ଅମୂଲ୍ୟ ପଦାର୍ଥ । ଦ୍ରବ୍ୟଗୁଣ ଦୃଷ୍ଟିରୁ ତୁଳସୀ ବହୁ ହିତକାରୀ ଓ ବହୁରୋଗ ଆଶ୍ଚର୍ଯ୍ୟଜନକ ଭାବେ ଆରୋଗ୍ୟ କରିଥାଏ । ଆୟୁର୍ବେଦ ଔଷଧ ସହିତ ଏହା ଅନୁପାନ ରୂପେ ବ୍ୟବହୃତ ହୋଇଥାଏ । ଦ୍ୱାପର ଯୁଗରେ ସତୀ ତୁଳସୀର ଅଭିଶାପ ଥିଲା ତୁଳସୀ ଶ୍ରୀକୃଷ୍ଣଙ୍କର ମୁଣ୍ଡ ଉପରେ ରହିବା ପାଇଁ । ତେଣୁ ଏ ଯୁଗରେ ତୁଳସୀ ଶ୍ରୀ ଜଗନ୍ନାଥଙ୍କର ଶିର ମଣ୍ଡନ କରିବା ସହିତ ଭୋଗରେ ଲାଗି ହୋଇଥାଏ । ସ୍ୱଦେଶୀ ଚିକିସିା ପଦ୍ଧତି ଆୟୂର୍ବେଦର ମୌଳିକ ଉପାଦାନ ନିମ୍ବ, ତୁଳସୀ, ହରିଡ଼ା, ଅଁଳା, କର୍ପୂର, ଚନ୍ଦନ ଓ ଜାଇଫଳ ବୃକ୍ଷ ସହ ଶ୍ରୀଜଗନ୍ନାଥ ନିଜକୁ ଯେପରି ଭାବେ ସଂପୃକ୍ତ କରିଛନ୍ତି ତାହା ଚିକିସିା

ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ଏକ ସୁନ୍ଦର ସେତୁ ନିର୍ମାଣ କରିଥାଏ । ନିମ୍ବ, ବିଲ୍ୱ ଓ ତୁଳସୀ ଆଦି ବୃକ୍ଷ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଦେବଯୋଗ୍ୟ ମର୍ଯ୍ୟାଦା ଲାଭ କରିଛି । ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ବୃକ୍ଷର ଚଉଁରା ସହିତ ବୃନ୍ଦାବତୀଙ୍କୁ ପୂଜା କରିବାର ପ୍ରଥା ଅତ୍ୟନ୍ତ ପ୍ରାଚୀନ । ସେହିପରି ବିଲ୍ୱପତ୍ର ଓ ଫଳ ଯେପରି ଶୈବ ଉପାସକଙ୍କ ପାଇଁ ମହତ୍ୱପୂର୍ଣ୍ଣ, ତୁଳସୀ ବୃକ୍ଷ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାଇଁ ତତୋଧିକ ମହତ୍ୱପୂର୍ଣ୍ଣ । ଏହାଛଡ଼ା ନିମ୍ବକାଷ୍ଠ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ନିର୍ମାଣ ପାଇଁ ଏକମାତ୍ର ଉପଯୁକ୍ତ କାଷ୍ଠ । ଶ୍ରୀକ୍ଷେତ୍ରର ବାତାବରଣ ସ୍ୱାସ୍ଥ୍ୟପ୍ରଦ ହୋଇଥିବା କାରଣରୁ ଦେଶର ବିଭିନ୍ନ ଅଂଚଳରୁ ଏପରିକି ବିଦେଶାଗତ ଦର୍ଶକମାନେ ଏଠାକୁ ପ୍ରତ୍ୟହ ଆସିଥାନ୍ତି । ଲକ୍ଷ୍ୟ ହେଲା ସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଓ ଆନନ୍ଦ ।
ଶ୍ରୀକ୍ଷେତ୍ରର ପରିସୀମାରେ ସମୁଦ୍ର ଉପକୂଳ ଅନ୍ୟତ୍ର ଆକର୍ଷକ । ଜାତି, ଧର୍ମ, ବର୍ଣ୍ଣ, ର୍ନିବିଶେଷରେ ସମସ୍ତେ ଏହି କ୍ଷେତ୍ରକୁ ଆସି ଗୋଟିଏ ସୁସ୍ଥ ଜୀବନର ଆଶା ରଖିଥାନ୍ତି । ତାହା ମଧ୍ୟ ପୂରଣ ହୁଏ । ବିଶେଷକରି ଧାର୍ମିକ ଦୃଷ୍ଟିରୁ ଏହା ହିନ୍ଦୁମାନଙ୍କ ପାଇଁ ମୋକ୍ଷଧାମ ରୂପେ ବିବେଚିତ । ଜଗନ୍ନାଥଙ୍କ ମହାପ୍ରସାଦ ସେବା ଦ୍ୱାରା ଶାରୀରିକ ଓ ମାନସିକ ପରିପୁଷ୍ଟ ତଥା ପରିବୃଦ୍ଧି ହୋଇଥାଏ ।
ଡାକ୍ତର ଦୀନବନ୍ଧୁ ମହାରଣା
ଡିଲିଟ୍‌ପ୍ରାପ୍ତ ଆୟୁର୍ବେଦ ଗବେଷକ
୧୧୧, କଟକ ମୁନିସପାଲ ମାର୍କେଟ୍‌ କମ୍ପେକ୍ସ,
ଓଏମ୍‌ପି ଛକ, କଟକ
ମୋ.ନଂ:୯୪୩୭୦୪୩୧୦୩

Tags: