କମୁଛି ଡାକର କାୟା
୫୦ ବର୍ଷର ଯାତ୍ରାରେ ଲାଗିଛି ବିରାମ । ଭାରତର ସବୁଠାରୁ ବିଶ୍ବାସଯୋଗ୍ୟ ଡାକ ସେବା ରେଜିଷ୍ଟ୍ରି ସେବାର ଅନ୍ତ ଘଟିଛି । କେହି ଏହାକୁ ରେଜିଷ୍ଟ୍ରି ସେବାର ଅନ୍ତ କହୁଥିବାବେଳେ କେହି ଏହାକୁ ପରିବର୍ତ୍ତନର ଏକ ଧାରା ବା ଉନ୍ନତ୍ତିକରଣ (ଅପଗ୍ରେଡ) ବୋଲି ବିବେଚନା କରୁଛନ୍ତି । ହେଲେ କିଛି ଲୋକଙ୍କ ପାଇଁ ଏହା ଏକ ଯୁଗର ଅନ୍ତ ବୋଲି ମତ ପ୍ରକାଶ ପାଉଛି । ସେପ୍ଟମ୍ବର ୧ରୁ ସାରା ଭାରତରେ ବନ୍ଦ ହେବାକୁ ଯାଉଛି ରେଜିଷ୍ଟ୍ରି […]
୫୦ ବର୍ଷର ଯାତ୍ରାରେ ଲାଗିଛି ବିରାମ । ଭାରତର ସବୁଠାରୁ ବିଶ୍ବାସଯୋଗ୍ୟ ଡାକ ସେବା ରେଜିଷ୍ଟ୍ରି ସେବାର ଅନ୍ତ ଘଟିଛି । କେହି ଏହାକୁ ରେଜିଷ୍ଟ୍ରି ସେବାର ଅନ୍ତ କହୁଥିବାବେଳେ କେହି ଏହାକୁ ପରିବର୍ତ୍ତନର ଏକ ଧାରା ବା ଉନ୍ନତ୍ତିକରଣ (ଅପଗ୍ରେଡ) ବୋଲି ବିବେଚନା କରୁଛନ୍ତି । ହେଲେ କିଛି ଲୋକଙ୍କ ପାଇଁ ଏହା ଏକ ଯୁଗର ଅନ୍ତ ବୋଲି ମତ ପ୍ରକାଶ ପାଉଛି ।
ସେପ୍ଟମ୍ବର ୧ରୁ ସାରା ଭାରତରେ ବନ୍ଦ ହେବାକୁ ଯାଉଛି ରେଜିଷ୍ଟ୍ରି ସେବା । ଏହା ଡାକ ବିଭାଗର ଏକ ସେବା ଯାହା ଉପରେ ପ୍ରାୟ ୫୦ ବର୍ଷ ଧରି ସାରା ଦେଶ ନୀର୍ଭରକରି ଚଳିଆସୁଥିଲା । ଆଜିକାଲିର ପିଢି ହୁଏତ ଏହା କଣ ଜାଣିପାରିବେ ନାହିଁ, କିନ୍ତୁ ନବେ ଦଶକ ଓ ଏହା ଆଗର ଲୋକଙ୍କ ପାଇଁ ଏହା ନିତାନ୍ତ ଆବଶ୍ୟକ ଏକ ସେବା । ଡାକ ବିଭାଗର ବିଭିନ୍ନ ସେବା ଭିତରେ ଏହାର ଚାହିଦା ଥିଲା ଖୁବ ଅଧିକ । ଖାମ୍ ଭିତରେ ସାମଗ୍ରୀ ରଖି ସେଥିରେ ଷ୍ଟାମ୍ପ ଲଗାଇ ଉପରେ ଠିକଣା ଲେଖି ପଠାଇବାର ଅନୁଭବ କିଛି ଭିନ୍ନ ଥିଲା । ବର୍ତ୍ତମାନ କ୍ଲିକ୍ କ୍ଲିକ୍ ଯୁଗରେ ତାହାର ଶୂନତ୍ୟାକୁ ହୁଏତ କେହି ଅନୁଭବ କରିବେନି, କିନ୍ତୁ ଦିନ ଥିଲା ଏହି ରେଜିଷ୍ଟ୍ରି ସେବା ଆମ ମାନଙ୍କର ଦୌନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ପାଲଟିଥିଲା । ଦୂରରେ ଥିବା ସମ୍ପର୍କୀୟ, ବନ୍ଧୁ, ପରିଜନ ତଥା ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ଏହା ଏକ ଖୁବ ବିଶ୍ବାସନୀୟ ବାଟ ଥିଲା । ଚିଠି ହଜିବାର ଡର ନାହିଁ କି ଜିନିଷ ନପହଞ୍ଚିବାର ଭୟ ନାହିଁ । ଯେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜ ଡାକରେ ପଠାଇବାକୁ ହେଲେ ସମସ୍ତେ ଭରସା କରୁଥିଲେ ଏହି ରେଜିଷ୍ଟ୍ରି ପୋଷ୍ଟ ଉପରେ । ଖାମରେ ସମସ୍ତ ସାମଗ୍ରୀକୁ ପଠାଇ ସିଲ କରି ପୋଷ୍ଟାଲ ଷ୍ଟାମ୍ପ ଲଗାଇ ସମସ୍ତ ନିର୍ଦ୍ବନ୍ଦରେ ପଠାଇ ଦେଉଥିଲେ । ଡାକ ବିଭାଗକି ରେଜିଷ୍ଟ୍ରୀ ଚିଠି ପହଞ୍ଚାଇବାରେ କୌଣସି ଅବହେଳା କରୁନଥିଲେ । ସଠିକ୍ ସମୟରେ ସଠିକ୍ ଠିକଣାରେ ଚିଠି ପହଞ୍ଚି ଯାଉଥିଲା । କୋର୍ଟ ଠାରୁ ଆରମ୍ଭ କରି ଡାକ୍ତରଖାନା ସମସ୍ତଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସେବା ଥିଲା । ବର୍ତ୍ତମାନ ପିଢି ଏହାକୁ କେବଳ ଫିଲ୍ମର ସିନରେ ଦେଖିବାକୁ ପାଉଛନ୍ତି । ତେବେ ବର୍ତ୍ତମାନ ଯୁଗ ବଦଳିଛି । ଆଜିକାଲିର ଏଆଇ ଯୁଗରେ କିଏ ଆଉ ଅନେକ ଦିନ ଅପେକ୍ଷା କରିବ କୌଣସି ସୂଚନା ପାଇବା ପାଇଁ କିମ୍ବା ଦେବା ପାଇଁ । ଆଜିକାଲିର ଅତ୍ୟାଧୂନିକ ଜ୍ଞାନକୌଶଳ ସାହାଯ୍ୟରେ ଖୁବ କମ ସମୟରେ ବିଭିନ୍ନ ଆପ୍ ଜରିଆରେ ସମସ୍ତେ ଯେ କୌଣସି ସୂଚନା କିମ୍ବା ନଥିପତ୍ରକୁ ଦରକାରୀ ସ୍ଥାନକୁ ପଠାଇ ପାରୁଛନ୍ତି । ତେଣୁ ଧୀରେଧୀରେ ବିଭିନ୍ନ ପୁରୁଣା ସେବାର ଅନ୍ତ ଘଟୁଛି । ଯେଉଁ ସେବା ଦିନ ଥିଲା ସମସ୍ତଙ୍କର ଦରକାରୀ ଥିଲା ତାହା ବିଲୁପ୍ତ ସେବାରେ ସାମିଲ ହେଉଛି ।

ରେଜିଷ୍ଟ୍ରି ପୋଷ୍ଟ
ଇମେଲ୍, ମେସେଜ ଯୁଗରେ ଡାକ ସେବାର ଗୁରୁତ୍ବତା ଢେରଗୁଣା ଅଧିକ କମିଛି । କିଛି ସେବା ବନ୍ଦ ହୋଇସାରିଥିବାବେଳେ କିଛି ସେବା ବନ୍ଦ ହେବାକୁ ଯାଉଛି । ବନ୍ଦ ହେବାକୁ ଯାଉଥିବା ସେବାମଧ୍ୟରେ ରହିଛି ରେଜିଷ୍ଟ୍ରି ପୋଷ୍ଟ । ଦିନ ଥିଲା ଏହାର ଗୁରୁତ୍ବ ସବୁଠାରୁ ଅଧିକ ଥିଲା । ଦେଶର ସମସ୍ତ ନ୍ୟାୟିକ, ବ୍ୟାକିଂ କିମ୍ବା ସରକାରୀ କାଗଜପତ୍ର କାମ ପାଇଁ ରେଜିଷ୍ଟ୍ରି ପୋଷ୍ଟର ବ୍ୟବହାର ହୋଇଥାଏ । ଏହା ସବୁଠାରୁ ସୁରକ୍ଷିତ ଡାକସେବାରେ ସେତେବେଳ ଗଣତି ହେଉଥିଲା । ଏହା ସାହାଯ୍ୟରେ ଦେଶ କିମ୍ବା ଦେଶ ବାହାରକୁ ସୁରକ୍ଷିତ ଭାବେ କାଗଜପତ୍ର କିମ୍ବା ସାମଗ୍ରୀ ପଠାଇ ହେଉଥିଲା । ଏହି ବିଶେଷଭାବେ କୌଣସି ଲିଗାଲ୍ କାଗଜ ପତ୍ର ପଠାଇବା ପାଇଁ ବ୍ୟବହାର ହେଉଥିଲା । ହେଲେ ଇଣ୍ଟରନେଟର ପ୍ରଚଳନ ପରେ ଏହାର ବ୍ୟବହାର କମିବାରେ ଲାଗିଲା । ଲୋକଧୀରେଧୀରେ ଏହାଠାରୁ ଆହୁରି ସୁରକ୍ଷିତ ଓ ଶୀଘ୍ର ବିକଳ୍ପ ପାଇ ଏହାକୁ ଭୁଲିବାକୁ ଲାଗିଲେ । ଯାହାଫଳରେ ବର୍ତ୍ତମାନ ସରକାର ଏହାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପ୍ଟମ୍ବର ୧, ୨୦୨୫ରେ ଏହା ବନ୍ଦ ହେବାକୁ ଯାଉଛି । ଅର୍ଥାତ ବର୍ତ୍ତମାନ କେବଳ ସ୍ପିଡ ପୋଷ୍ଟ ଜରିଆରେ ଲୋକମାନେ କାଗଜପତ୍ର ପଠାଇ ପାରିବେ । ରେଜିଷ୍ଟ୍ରି ପୋଷ୍ଟ ସାଧାରଣ ପୋଷ୍ଟ ଠାରୁ ଅଧିକ ସୁରକ୍ଷିତ ହୋଇଥାଏ । ଏଥିରେ ତୁମେ ତୁମ ଚିଠି ପହଞ୍ଚି ଛି କି ନାହିଁ ଏହାର ପ୍ରମାଣ ମଧ୍ୟ ପାଇପାରିବ । ଏହାକୁ ପଠାଇବା ପରେ ଏକ ରିସିପ୍ଟ ମିଳିଥାଏ ଯାହାକୁ ବ୍ୟବହାର କରି ଇଣ୍ଟରନେଟରେ ତୁମେ ତୁମ ପୋଷ୍ଟକୁ ଟ୍ରାକ କରିପାରିବ । ସେହିଭଳି ଜିନିଷ ପହଞ୍ଚିଲେ ଏହାକୁ ନେବା ଲୋକ ଏକ ଦସ୍ତଖତ କରିବା ପରେ ଏହାକୁ ନେଇ ପାରିବେ, ଯାହା ଜିନିଷ ବା ଚିଠି ପହଞ୍ଚିବାର ପ୍ରମାଣ ହୋଇଥାଏ । ସେହିଭଳି ଏହାକୁ ଖୁବ ସୁରକ୍ଷିତ ଭାବେ ସଠିକ୍ ଠିକଣା ଓ ସଠିକ୍ ସମୟରେ ପହଞ୍ଚାଯାଇଥାଏ । ଏହି ସମସ୍ତ କାରଣ ପାଇଁ ଏହାକୁ ଲୋକମାନେ ଖୁବ ଆଗ୍ରହର ସହ ବ୍ୟବହାର କରିଥାଆନ୍ତି । ଏହା ପାଖାପାଖି ୩ ରୁ ୭ ଦିନ ମଧ୍ୟରେ ଚିଠି ପହଞ୍ଚାଇ ଦେଉଥିଲା । ତେବେ ବର୍ତ୍ତମାନ ଏହାକୁ ବନ୍ଦ କରିବା ପରେ ଏହାର ସ୍ଥାନ ନେବ ସ୍ପିଡ୍ ପୋଷ୍ଟ, ଯାହା ୧ ରୁ ୩ ଦିନ ମଧ୍ୟରେ ଚିଠି ଓ ସାମଗ୍ରୀ ପହଞ୍ଚାଇବ । କିନ୍ତୁ ଏହାର ଦେୟ ମଧ୍ୟ ଅଧିକ ରହିବ । ତେବେ ଏହାର ବ୍ୟବହାରରେ ଆଖିଦୃଶିଆ ଅବନତି ଘଟିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ଏହାର ବନ୍ଦ ପରେ ଯେପରି ଏକ ଯୁଗର ଅବସାନ ଘଟିଛି । ଯିଏ ବି ଏହାକୁ ବ୍ୟବହାର କରିଛନ୍ତି ସମସ୍ତେ ଏହାକୁ ଖୁବ ମନେ ପକାଇବେ ବୋଲି ସୋସିଆଲ ମିଡିଆଠାରୁ ଗଣ ମାଧ୍ୟମ ସବୁଠି ମତ ପ୍ରକାଶ ପାଉଛି ।




