ଏଆଇ ଖାଇବ ଚାକିରି
ଏଆଇ କହିଲେ ଆଜିକାଲି ଛୋଟ ଠାରୁ ବଡ ସମସ୍ତେ ଜାଣୁଛନ୍ତି , କାରଣ ଏହାର ବ୍ୟବହାର ସ୍କୁଲ ହୋମୱାର୍କ ଠାରୁ ଆରମ୍ଭ ହୋଇ ଅଫିସ୍ କାର୍ଯ୍ୟ ପାଖରେ ପହଞ୍ଚିଛି । ତେବେ ଏହାର ନକରାତ୍ମକତାକୁ ନେଇ ଅନେକ ସମୟରେ ବିଭିନ୍ନ ମହଲରୁ ସମାଜକୁ ଚେତାବନୀ ମିଳୁଥିବା ଦେଖିବାକୁ ମିଳୁଛି । ଏହା ଆମପାଇଁ ଯେତିକି ଭଲ ସେତିକି ଆହ୍ବାନପୂର୍ଣ୍ଣ ଭାବେ ଉଭା ହୋଇଛି । ନିକଟରେ ଏଆଇକୁ ନେଇ ଲୁଇସଭିଲ୍ଲେ ବିଶ୍ବବିଦ୍ୟାଳୟର ପ୍ରଫେସର ରୋମାନ ୟାମପୋଲସ୍କି ଏକ […]
ଏଆଇ କହିଲେ ଆଜିକାଲି ଛୋଟ ଠାରୁ ବଡ ସମସ୍ତେ ଜାଣୁଛନ୍ତି , କାରଣ ଏହାର ବ୍ୟବହାର ସ୍କୁଲ ହୋମୱାର୍କ ଠାରୁ ଆରମ୍ଭ ହୋଇ ଅଫିସ୍ କାର୍ଯ୍ୟ ପାଖରେ ପହଞ୍ଚିଛି । ତେବେ ଏହାର ନକରାତ୍ମକତାକୁ ନେଇ ଅନେକ ସମୟରେ ବିଭିନ୍ନ ମହଲରୁ ସମାଜକୁ ଚେତାବନୀ ମିଳୁଥିବା ଦେଖିବାକୁ ମିଳୁଛି । ଏହା ଆମପାଇଁ ଯେତିକି ଭଲ ସେତିକି ଆହ୍ବାନପୂର୍ଣ୍ଣ ଭାବେ ଉଭା ହୋଇଛି ।
ନିକଟରେ ଏଆଇକୁ ନେଇ ଲୁଇସଭିଲ୍ଲେ ବିଶ୍ବବିଦ୍ୟାଳୟର ପ୍ରଫେସର ରୋମାନ ୟାମପୋଲସ୍କି ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଛି । ଉକ୍ତ ପ୍ରଫେସରଙ୍କ ମତରେ ୨୦୩୦ ସୁଦ୍ଧା ଏଆଇ ମଣିଷ ସମାଜର କର୍ମକ୍ଷେତ୍ରରେ ପାଖାପାଖି ୯୯ ପ୍ରତିଶତ ଚାକିରି ଉପରେ ଏହାର ପ୍ରଭାବ ପଡିବ । ପ୍ରାୟ ୯୯ ପ୍ରତିଶତ ଲୋକଙ୍କ ଚାକିରି ଏଆଇ କାରଣରୁ ଚାଲିଯିବ ବୋଲି ସେ ମତ ରଖିବା ପରେ ଲୋକଙ୍କ ଭିତରେ ଆଶଙ୍କା ବଢିବାରେ ଲାଗିଛି । ଏହା ଏଆଇକୁ ନେଇ ମିଳିଥିବା ବିଭିନ୍ନ ସର୍ତକ ବାଣୀ ଭିତରେ ଖୁବ ଭୟଙ୍କର ବୋଲି ଆଲୋଚନା ହେଉଛି । ବିଶ୍ବର ବିଭିନ୍ନ କମ୍ପାନୀ କଷ୍ଟ କଟିଂ ଓ ନିଜର ରାଜସ୍ବବୃଦ୍ଧି କରିବା ପାଇଁ ଦ୍ରୁତ ଗତିରେ ଏଆଇର ବ୍ୟବହାର ବଢାଇବାରେ ଲାଗିଛନ୍ତି । ସେମାନେ ପ୍ରତିଟି କ୍ଷେତ୍ରରେ ଏଆଇକୁ ଆପଣାଇବାକୁ ଲାଗିଛନ୍ତି, ଯେଉଁ କାରଣରୁ ଏହାର ପ୍ରଭାବ ସିଧାସଳଖ ନିଯୁକ୍ତି ଉପରେ ପଡିଛି । ଏଆଇର ଏଭଳି ନକରାତ୍ମକ ପ୍ରଭାବରୁ କୌଣସି କ୍ଷେତ୍ର ବଞ୍ଚିପାରିବ ନାହିଁ ବୋଲି ସେହି ବୈଜ୍ଞାନିକ ମତ ଦେଇଛନ୍ତି । ଏଆଇ ଯେପରି ଅନେକ ଚାକିରିକୁ ମୂଳପୋଛ କରିଦେବ । ଏଆଇର ବ୍ୟବହାର କାରଣରୁ ୧୦ ପ୍ରତିଶତ ନୁହେଁ ବରଂ ୯୯ ପ୍ରତିଶତ ଚାକିରି ଅସୁବିଧାରେ ପଡିବ ବୋଲି ସେ ମତ ଦେଇଛନ୍ତି । ଏହି ଅବସ୍ଥା ଖୁବଶୀଘ୍ର ଅର୍ଥାତ ୨୦୩୦ ସୁଦ୍ଧା ଆସିବ ବୋଲି ପ୍ରଫେସର ଆକଳନ କରିଛନ୍ତି । ସେହିଭଳି ୨୦୨୭ ସୁଦ୍ଧା ଏଆଇର ଆଉଏକ ପ୍ରକାର କୃତିମ ସାଧାରଣ ବୁଦ୍ଧିମତା ବା ଏଜିଆଇ ଆସିଯିବ ବୋଲି ସେ ମତ ଦେଇଛନ୍ତି । ଏହା ଆସିବାର କିଛି ବର୍ଷ ମଧ୍ୟରେ ସମାଜର ଶ୍ରମିକ ବଜାର ଅନେକ କ୍ଷତି ସହିବ ବୋଲି ଆକଳନ କରାଯାଉଛି । ଏଆଇ ଟୁ୍ଲ୍ସ ଓ ମାନବଯୁକ୍ତ ରୋବଟ ଦ୍ବାରା ବିନା ଖର୍ଚ୍ଚରେ କାମ କରାଯିବ । ବର୍ତ୍ତମାନ ଯେଉଁ କାର୍ଯ୍ୟ କରିବାକୁ ଏକାଧିକ କର୍ମଚାରୀଙ୍କର ଆବଶ୍ୟକତା ପଡୁଛି ସେହି କର୍ମ ଗୋଟିଏ ରୋବଟ ସହଜରେ କରିବ । ଯାହାଦ୍ବାରା ଆଗକୁ ମାଲିକଙ୍କର ଖର୍ଚ୍ଚ କମିବ ତେଣୁ ସେମାନେ ମନୁଷ୍ୟ ଶ୍ରମିକଙ୍କୁ ଛାଡି ରୋବ ଶ୍ରମିକ ଅଧିକ ପରିମାଣରେ ରଖିବେ ବୋଲି ସେ ଆକଳନ କରୁଛନ୍ତି । ତେଣୁ ଆଗାମୀ ୫ ବର୍ଷ ଭିତରେ ଶ୍ରମିକ ମାନଙ୍କ ବଜାରରେ ଘୋର କାମ ଅଭାବ ଦେଖିବାକୁ ମିଳିବ । ପ୍ରାୟତଃ ସବୁକ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁଶଳୀ କିମ୍ବା ଅଣକୁଶଳୀ ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶା ରଖାଯାଇଛି । ଏଆଇ କୁନେଇ ଏଭଳି ସତର୍କ ବାର୍ତ୍ତା ଅନେକ ସମୟରେ ଆସିବାରେ ଲାଗିିଛି । ଏଭଳି ଅନେକ ବୈଜ୍ଞାନିକ ଅଛନ୍ତି ଯେଉଁମାନେ ଲୋକଙ୍କୁ ସତର୍କ କରାଇଛନ୍ତି । ଏଆଇର ବ୍ୟବହାର ମଣିଷତ୍ବକୁ ନଷ୍ଟ କରୁଥିବା ନେଇ ଅନେକ ମତ ପ୍ରକାଶ ପାଇବାରେ ଲାଗିଛି । ଏଭଳି ଛୋଟମୋଟ ଉଦାହରଣ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି । ହେଲେ ବର୍ତ୍ତମାନର ମଣିଷ ନିଜ ସମୟ ବଞ୍ଚାଇବା ପାଇଁ ତଥା ଉନ୍ନତ୍ତମାନର ଜୀବନଶୈଳୀ ବଞ୍ଚିବା ପାଇଁ ବିଜ୍ଞାନ ଉପରେ ଖୁବ ଅଧିକ ନିର୍ଭର କରୁଛି । ବିଜ୍ଞାନର ସବୁଠାରୁ ଶ୍ରେଷ୍ଠ ଉଦ୍ଭାବନ ଭାବେ ଏଆଇ ପରିଗଣିତ ହେଉଛି । ମଣିଷ ଯାହାର ବ୍ୟବହାର ମଧ୍ୟ ସବୁଠାରୁ ଅଧିକ କରୁଛି । ଦୈନନ୍ଦିନ ଜୀବନ ହେଉ କିମ୍ବା ଅଫିସର କୌଣସି କାମ ହେଉ ସବୁସ୍ଥାନରେ ଏଆଇର ବ୍ୟବହାର ଖୁବ ଅଧିକ ରହୁଛି ।




