ଆଡପ ଅବଢା
ଶ୍ରୀମନ୍ଦିର ଭଳି ଆଡପ ମଣ୍ଡପରେ ମଧ୍ୟ ପ୍ରଭୁଙ୍କର ନୀତିକାନ୍ତି ସମାପନ ହୋଇଥାଏ, ତେବେ ଏଥିରେ ଥାଏ ସାମାନ୍ୟ ଭିନ୍ନତା । ଗୁଣ୍ଡିଚା ମାର୍ଜନା ପରେ ଚତୁର୍ଦ୍ଧାମୂର୍ତ୍ତି ସିଂହାସନ ଆରୋହଣ କରିଥାଆନ୍ତି । ଏହାପରେ ମହାସ୍ନାନ କରାଯାଏ ଏବଂ ପରେ ବଡ଼ ଓଡ଼ିଆ ମଠ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନିମନ୍ତେ ଚନ୍ଦନ ପ୍ରେରିତ କରିଥାନ୍ତି । ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାତ ଦିନର ରହଣି ସମୟରେ ତିନି ରଥରେ ଥିବା ପ୍ରଭୁଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ଏହା ସହ ରଥସ୍ଥ ପାର୍ଶ୍ୱ ଦେବଦେବୀମାନେ ମଧ୍ୟ ଆରାଧିତ ହୋଇଥାନ୍ତି । ଅନ୍ୟ ଏକ ଦୁର୍ଲ୍ଲଭ କାର୍ଯ୍ୟ ମଧ୍ୟ ଏଠାରେ ଦେଖିବାକୁ ମିଳେ । ତାହା ହେଲା, ଆଡ଼ପ ମଣ୍ଡପରେ ମହାପ୍ରସାଦ ପ୍ରସ୍ତୁତି। ଶ୍ରୀମନ୍ଦିର ଭଳି ଯଦିଓ ଏଠାରେ ବର୍ଷ ତମାମ୍ ମହାପ୍ରସାଦ ପ୍ରସ୍ତୁତ ହୁଏ ନାହିଁ, କିନ୍ତୁ ବର୍ଷକୁ ଥରେ ଗୁଣ୍ଡିଚା ଯାତ୍ରା ଅବସରରେ ଆଡ଼ପ ମଣ୍ଡପରେ କେବଳ ଛଅଦିନ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ଅର୍ଥାତ୍ ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରୁ ନବମୀ ତିଥି ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ମିଳିଥାଏ । ଗୁଣ୍ଡିଚା ମନ୍ଦିର ରୋଷଶାଳାରେ ସର୍ବମୋଟ ୨୦୭ଟି ଚୁଲି ଅଛି। ତନ୍ମଧ୍ୟରୁ ୧୩୦ଟି ଚୁଲିରେ ଅନ୍ନ, ୪୧ଟି ଚୁଲି ଅହିଆ ଚୁଲି ଓ ୩୬ଟି ପିଠା ଚୁଲି ଅଟେ। ମୁଖ୍ୟତଃ ଶ୍ରୀମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମା' ବିମଳାଙ୍କ କଳ୍ପନା କରାଯାଇ ପ୍ରସାଦ ଲାଗି ହୋଇଥାଏ ।
କେବଳ ଏତିକିରେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ବିଧି ସମାପ୍ତ ହୋଇନଥାଏ। କାରଣ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରୁ କିଛି ନା କିଛି ପୂଜାବିଧି ନବମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ସେପରି ହେରାପଞ୍ଚମୀ ପୂଜା ବିଧି ଏହି ପୂଜାବିଧି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହୋଇଥାଏ । ଏହାକୁ ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଉକ୍ତଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି । ପରେ ପ୍ରସାଦ ଲାଗି ହୋଇଥାଏ । ଏହାଛଡ଼ା ଆଳତି ଚାମର ଲାଗି, ବିଡ଼ିଆ ନୀତି ଓ ଦହିପଟି ଲାଗି କରାଯାଏ । ସନ୍ଧ୍ୟାଧୂପ ସମୟରେ ମା' ଲକ୍ଷ୍ମୀଙ୍କୁ ଆଡ଼ପ ମଣ୍ଡପ ନିକଟକୁ ଅଣାଯାଏ ଏବଂ ରାଗ ଓ ଅଭିମାନରେ ଜର୍ଜରିତ ମାତା ଲକ୍ଷ୍ମୀ ମହାପ୍ରଭୁଙ୍କୁ ଏକାନ୍ତରେ ସାକ୍ଷାତ କରି ଅଭିମାନରେ ମହାପ୍ରଭୁଙ୍କୁ ଶୀଘ୍ର ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ଅନୁରୋଧ କରିଥାନ୍ତି । ଶଂସିତ ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଫେରି ଆସନ୍ତି । ଏତଦ୍ ବ୍ୟତୀତ ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ଦୁଇ ଦିନ ଧରି ଆଡ଼ପ ମଣ୍ଡପରେ ମହାରାସୋତ୍ସବ ବା ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ । ମାତା ଲକ୍ଷ୍ମୀ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ନାକଚଣା ଦ୍ୱାର ଦେଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି କ୍ରୋଧରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗିଦେଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସନ୍ତି । ଏହାପରେ ଆଷାଢ଼ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ଆଡ଼ପ ମଣ୍ଡପରେ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଭକ୍ତଙ୍କ ମଧ୍ୟରେ ଆଡପ ଅବଢାର ଗୁରୁତ୍ବ ଖୁବ ଅଧିକ । ଏହି ଆଡପ ଦର୍ଶନ ସମୟରେ ସମସ୍ତେ ଏହି ଅବଢା ଖାଇବାକୁ ବେଶ ଆଗ୍ରହ ଦେଖାଇଥାଆନ୍ତି ।




