ଆଞ୍ଚଳିକ ସିନେମାର କ୍ରେଜ
ଧୀରେଧୀରେ ଆଞ୍ଚଳିକ ସିନେମାର କ୍ରେଜ ବଢିବାରେ ଲାଗିଛି । ଦର୍ଶକ ବର୍ତ୍ତମାନ ବଲିଉଡ ଫିଲ୍ମକୁ ପଛରେ ପକାଇ ଆଞ୍ଚଳିକ ଫିଲ୍ମ ପାଇଁ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳୁଛି । ଏପରିକି ଆଞ୍ଚଳିକ ଫିଲ୍ମର ଏହି ପ୍ରଗତି ବଲିଉଡ ପାଇଁ ଏକ ଆହ୍ବାନ ବୋଲି ସମୀକ୍ଷକ ମତ ଦେବାରେ ଲାଗିଛନ୍ତି । ଭାରତ ଏକ ବହୁଭାଷୀ ଦେଶ । ଏହାର ଯେତେ ରାଜ୍ୟ ସେତେ ଭାଷା । ପ୍ରତିଟି ଭାଷାର ରହିଛି ସ୍ବତନ୍ତ୍ର ପରିଚୟ । ଅନେକ ରାଜ୍ୟରେ […]
ଧୀରେଧୀରେ ଆଞ୍ଚଳିକ ସିନେମାର କ୍ରେଜ ବଢିବାରେ ଲାଗିଛି । ଦର୍ଶକ ବର୍ତ୍ତମାନ ବଲିଉଡ ଫିଲ୍ମକୁ ପଛରେ ପକାଇ ଆଞ୍ଚଳିକ ଫିଲ୍ମ ପାଇଁ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳୁଛି । ଏପରିକି ଆଞ୍ଚଳିକ ଫିଲ୍ମର ଏହି ପ୍ରଗତି ବଲିଉଡ ପାଇଁ ଏକ ଆହ୍ବାନ ବୋଲି ସମୀକ୍ଷକ ମତ ଦେବାରେ ଲାଗିଛନ୍ତି ।
ଭାରତ ଏକ ବହୁଭାଷୀ ଦେଶ । ଏହାର ଯେତେ ରାଜ୍ୟ ସେତେ ଭାଷା । ପ୍ରତିଟି ଭାଷାର ରହିଛି ସ୍ବତନ୍ତ୍ର ପରିଚୟ । ଅନେକ ରାଜ୍ୟରେ ସେମାନଙ୍କର ନିଜସ୍ବ ଭାଷା ରହିବା ସହିତ ଏହି ଭାଷାର ପ୍ରଭାବ ପାଠପଢା ଠାରୁ ଆରମ୍ଭ କରି ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ସବୁସ୍ଥାନରେ ଦେଖିବାକୁ ମିଳିଥାଏ। ପ୍ରତିଟି ରାଜ୍ୟର ନିଜସ୍ବ ମନୋରଞ୍ଜନର ଭାଷା ରହିଥାଏ । ଏଠାରେ ଆଞ୍ଚଳିକ ଭାଷାରେ ଫିଲ୍ମ ନିର୍ମାଣ ହୋଇଥାଏ, ଯାହା ସେଠିକାର ଲୋକଙ୍କର ଜୀବନଧାରାକୁ ପ୍ରକାଶ କରିଥାଏ । ସେଠିକାର ଲୋକଙ୍କ ଚାଲିଚଳଣି, ଜୀବନ ବଞ୍ଚିବାର ଶୈଳୀ ଆଦିକୁ ଏହି ଫିଲ୍ମ ମାଧ୍ୟମରେ ପ୍ରକାଶ କରାଯାଇଥାଏ । ସେଠିକାର ସଂସ୍କୃତି, ପରମ୍ପରାକୁ ପରଦା ଉପରେ ସାରା ବିଶ୍ବ ତଥା ଦେଶରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇଥାଏ । ତେବେ ଅନେକ ବର୍ଷ ପୂର୍ବରୁ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ଗୁଡିକ ଖୁବକମ ଅଞ୍ଚଳରେ ସୀମିତ ରହୁଥିଲା । ଏଥିରେ କାମ କରୁଥିବା ଅଭିନେତା ଅଭିନେତ୍ରୀଙ୍କୁ ସେଭଳି ପ୍ରଶଂସା ମଧ୍ୟ ମିଳୁନଥିଲା । ଯାହା ସେମାନଙ୍କର କାର୍ଯ୍ୟ କରିବାର ଆଗ୍ରହ ଉପରେ ପ୍ରଭାବ ପକାଉଥିଲା । ଅନେକ ପ୍ରତିଭାବାନ କଳାକାର ଏହି ଫିଲ୍ଡକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିବାକୁ ପଛାଉଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଛି । ଆଞ୍ଚଳିକ ଚଳିଚ୍ଚିତ୍ରର ଭାଗ୍ୟରେ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ଦେଶର ବିଭିନ୍ନ ଆଞ୍ଚଳିକ ସିନେମା ଯେପରି ତାମିଲ, ତେଲୁଗୁ, ମାଲାୟଲମ, କାନ୍ନାଡା, ମରାଠି, ଓଡିଆ ଫିଲ୍ମ ଗୁଡିକ ଜାତୀୟ ସ୍ତରରେ ଏପରିକି ବିଶ୍ବସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ଏହା ଯେପରି ବର୍ତ୍ତମାନ ଭାରତୀୟ ଚଳିଚ୍ଚିତ୍ର ଜଗତର ଭାଗ୍ୟ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ଏହି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀ ବଲିଉଡକୁ ଟକ୍କର ଦେବା ଆରମ୍ଭ କରିଛନ୍ତି । ଏହି ଭାଷାଭାଷୀର ଫିଲ୍ମ ଗୁଡିକ କଲେକସନରେ ବଲିଉଡ ଫିଲ୍ମକୁ ପଛରେ ପକାଇବା ଆରମ୍ଭ କରିଛନ୍ତି । ସେହିଭଳି ଏହି ଫିଲ୍ମର ଅଭିନେତାଙ୍କ କ୍ରେଜ ମଧ୍ୟ ଜାତୀୟ ତଥା ବିଶ୍ବ ସ୍ତରରେ ଦେଖିବାକୁ ମିଳୁଛି । ଏହି ଆଞ୍ଚଳିକ ଫିଲ୍ମ ଗୁଡିକ ସାମାଜିକ ସ୍ତରରେ ମଧ୍ୟ ପ୍ରଭାବ ପକାଉଛନ୍ତି । ବିଭିନ୍ନ ପ୍ରକାର ଆଞ୍ଚଳିକ ସମସ୍ୟା ଅସୁବିଧାକୁ ଫିଲ୍ମ ଜରିଆରେ ଏହି ଇଣ୍ଡଷ୍ଟ୍ରୀ ଆଗକୁ ଆଣୁଛନ୍ତି । ତେବେ ବର୍ତ୍ତମାନ ଆଞ୍ଚଳିକ ଫିଲ୍ମର ଏତେ ମାତ୍ରାରେ ପ୍ରଚାର ପ୍ରସାର ପଛରେ ଓଟିଟି ପ୍ଲାଟଫର୍ମଙ୍କର ବିଶେଷ ହାତ ରହିଛି । ବର୍ତ୍ତମାନର ଯୁଗ ଓଟିଟି ବିପ୍ଳବ ଦେଖୁଛି, ଯାହା ବିଶେଷଭାବେ ମନୋରଞ୍ଜନ ଇଣ୍ଡଷ୍ଟ୍ରୀକୁ ପରିବର୍ତ୍ତନ କରିବାରେ ଲାଗିଛି । ଭାରତୀୟ ସିନେମାରେ ଚାଲୁଥିବା ଏକଚାଟିଆ ଅଧିକାରର ଅନ୍ତ ହୋଇଛି । ଛୋଟ ହେଉ କି ବଡ ସମସ୍ତଙ୍କୁ ସମାନ ଭାବେ ସୁଯୋଗ ମିଳିବାରେ ଲାଗିଛି । ବର୍ତ୍ତମାନ ଆଞ୍ଚଳିକ ସିନେମାକୁ ଭାଷାଗତ ଭିନ୍ନତାର ଡର ନାହିଁ । ବର୍ତ୍ତମାନ ପ୍ରାୟ ସମସ୍ତ ଫିଲ୍ମରେ ଇଂରାଜୀରେ ସବ୍ ଟାଇଟଲ ଦିଆଯାଉଛି ଯାହା ଦର୍ଶକଙ୍କ ପାଇଁ ଭାଷା ବୁଝିବାରେ ଅସୁବିଧା ହେଉନାହିଁ । ସେହିଭଳି ଆଉଏକ ମାଧ୍ୟମ ହେଲା ଡବିଂ । ଅନେକ ଆଞ୍ଚଳିକ ଫିଲ୍ମ ବର୍ତ୍ତମାନ ଡବିଂ ହୋଇ ରିଲିଜ୍ ହେଉଛି, ଯେଉଁକାରଣରୁ ସେଗୁ଼ଡିକୁ ସମସ୍ତେ ଦେଖିବା ଓ ବୁଝିବାରେ ସକ୍ଷମ ହେଉଛନ୍ତି । ତେଣୁ ଫିଲ୍ମ ବ୍ୟବସାୟ କରିବାରେ ଆଉ ଭାଷାଗତ କିମ୍ବା ପରମ୍ପରାର ବାଧା ରହୁ ନାହିଁ । ସେହିଭଳି ବର୍ତ୍ତମାନ ଦର୍ଶକଙ୍କର ଟେଷ୍ଟ ମଧ୍ୟ ବଦଳୁଛି । ସେମାନେ ବର୍ତ୍ତମାନ ଭଲ କାହାଣୀ ଦେଖିବାକୁ ପସନ୍ଦ କରୁଛନ୍ତି । ତେଣୁ କିଛି ଆଞ୍ଚଳିକ ସିନେମା ନିଜର ଉଚ୍ଚକୋଟିର କାହାଣୀ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ପ୍ରତିଟି ଫିଲ୍ମରେ ପାରମ୍ପରିକ ଛୁଙ୍କ, ସତେଜ କାହାଣୀ ଓ ନିଖୁଣ ଅଭିନୟ ଦେଖିବାକୁ ମିଳୁଛି । ମନକୁ ଛୁଇଁଲା ଭଳି ଅନେକ ଆଞ୍ଚଳିକ ସିନେମା ବର୍ତ୍ତମାନ ପରଦାକୁ ଆସୁଛି ଯାହା ଭାରତୀୟ ସିନେମାର ନୂଆ ମୁହଁ ଭାବେ ଉଭା ହୋଇଛି ।




