ଅପରାଧୀ ବିଲେଇର ଏନକାଉଣ୍ଟର

ଅପରାଧୀ ବିଲେଇର ଏନକାଉଣ୍ଟର
Ipsita Picture
By: Ipsita
Published On

 

ନ୍ୟୁଜିଲ୍ୟାଣ୍ଡରେ ଗତ ୩ ବର୍ଷ ଧରି ବନ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଫରାର୍ ଥିବା ଏକ ଜଙ୍ଗଲୀ ବିଲେଇର ଶେଷରେ ଏନକାଉଣ୍ଟର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବିଲେଇ ପାଖରେ ନଅଟି ଜୀବନ ଥିଲା, କାରଣ ସେ ବାରମ୍ବାର ଖସିଯିବାରେ ସଫଳ ହେଉଥିଲା । ପ୍ରକୃତରେ, ଏକ ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥା ପୁରେରୁଆ ଅଞ୍ଚଳରେ ୨୦ଟି ଦୁର୍ଲଭ ପାଟେକେ’  ଜାତିର ବତକଙ୍କୁ ଛାଡ଼ିଥିଲା। କିନ୍ତୁ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସେଥିରୁ ପ୍ରଥମ ବତକଟି ମୃତ ଅବସ୍ଥାରେ ମିଳିଥିଲା ଏବଂ କ୍ୟାମେରାରେ ଏକ ନିର୍ଦ୍ଦିଷ୍ଟ ଦାଗ ଥିବା ବିଲେଇର ଚିତ୍ର କଏଦ ହୋଇଥିଲା । ଏହି ବିଲେଇକୁ ଧରିବା ପାଇଁ ଅନେକ ଜାଲ, ନାଇଟ୍ କ୍ୟାମେରା ଓ ଆଧୁନିକ ଉପକରଣ ଲଗାଯାଇଥିଲେ ବି ସେ ପ୍ରତିଥର ଚକମା ଦେଇ ଖସି ପଳାଉଥିଲା । କିଛି ସମୟ ମଧ୍ୟରେ ସେହି ୨୦ଟି ବତକ ମଧ୍ୟରୁ ୧୫ଟିକୁ ମାରିଦେବା ପରେ ଅଧିକାରୀମାନେ ତାକୁ ଜାଲରେ ଛନ୍ଦି ଶେଷରେ ଗୁଳି କରି ମାରିଦେଇଛନ୍ତି । ପ୍ରୋଜେକ୍ଟ ମ୍ୟାନେଜର ଏଣ୍ଡି ମେଣ୍ଟରଙ୍କ କହିବା ଅନୁଯାୟୀ, ଏହି ବିଲେଇକୁ ଧରିବା ଆଦୌ ସହଜ ନଥିଲା । ନ୍ୟୁଜିଲ୍ୟାଣ୍ଡରେ ଜଙ୍ଗଲୀ ଓ ପୋଷା ବିଲେଇମାନଙ୍କ ଦ୍ୱାରା ବନ୍ୟଜନ୍ତୁଙ୍କ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଚାଲିଥିବା ବେଳେ, ଏହି ବିଲେଇକୁ ଗୁଳି କରି ମାରିବା ଘଟଣାକୁ ସୋସିଆଲ ମିଡିଆରେ କିଛି ଲୋକ କଡ଼ା ବିରୋଧ ମଧ୍ୟ କରିଛନ୍ତି ।

Tags: