କୃଷକର ସାଥୀ ସ୍ମାର୍ଟ ବାଡ଼ି
ଅନେକ ସମୟରେ ଛୋଟଛୋଟ ଉଦ୍ଭାବନ ଅନେକ ସୁବିଧା ପ୍ରଦାନ କରିଥାଏ । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି । ଚାଷୀଙ୍କ ପାଇଁ ଉଦ୍ଭାବନ ହୋଇଥିବା କିଷାନ ମିତ୍ର ଛଡି ବା ସ୍ମାର୍ଟ ବାଡି ବର୍ତ୍ତମାନ ସମସ୍ତ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଅଧିକାଂଶ ଚାଷୀଙ୍କ ପାଇଁ କାମର ସମୟ କେବଳ ଦିନ ଭିତରେ ସୀମିତ ନଥାଏ । ସୂର୍ଯ୍ୟାସ୍ତ ପରେ ବିଲକୁ ପାଣି ମଡ଼ାଇବା, ବିଭିନ୍ନ ସମୟରେ ପମ୍ପ ସେଟ୍ ଯାଞ୍ଚ କରିବା ଏବଂ ଅନ୍ଧାରରେ ହିଡ଼ କୋଣରେ ଚାଲିବା ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶ। କିନ୍ତୁ ଏହି ସମୟରେ ଘାସ ବା ହିଡ଼ କଣରେ ଲୁଚି ରହିଥିବା ସାପ ଜଣେ ଚାଷୀଙ୍କ ପାଇଁ ଯମ ସଦୃଶ ହୋଇପାରେ। ଭାରତରେ ପ୍ରତିବର୍ଷ ପ୍ରାୟ ୪୬,୦୦୦ ଲୋକ ସାପ କାମୁଡ଼ାରେ ପ୍ରାଣ ହରାନ୍ତି ଏବଂ ପ୍ରାୟ ୧.୪ ରୁ ୨.୮ ନିୟୁତ ଲୋକ ଏହାର ଶିକାର ହୋଇଥାନ୍ତିବୋଲି ଜଣା ପଡିଛି । ଏହି ସମସ୍ୟାର ସମାଧାନ ପାଇଁ ଏବେ ଆସିଛି ଏକ ଅଭିନବ ସମାଧାନ 'କିଷାନ ମିତ୍ର ଛଡ଼ି' ବା ସ୍ମାର୍ଟ ବାଡି ।
କିପରି କରିଥାଏ କାମ
ଦେଖିବାକୁ ଏହା ଏକ ସାଧାରଣ ବାଡ଼ି ପରି ହୋଇଥିଲେ ମଧ୍ୟ ଏହା ଭିତରେ ଅତ୍ୟାଧୁନିକ ସେନ୍ସର ଏବଂ ଆଇଓଟି ଟେକ୍ନୋଲୋଜି ଖଞ୍ଜା ଯାଇଛି । ଜଣେ ଚାଷୀ ଯେତେବେଳେ ଏହି ବାଡ଼ିକୁ ଧରି ବିଲରେ ଚାଲନ୍ତି, ସେ ଏଥିରେ ଥିବା ଏକ ବଟନ୍ ଦବାଇ ନିଜ ଚାରିପାଖର ଅଞ୍ଚଳକୁ ସ୍କାନ କରିପାରନ୍ତି । ଯଦି ବାଡ଼ିର ୫ ରୁ ୧୫ ମିଟର ପରିଧି ମଧ୍ୟରେ କୌଣସି ସାପ ବା ସରୀସୃପ ଥାଏ, ତେବେ ଏହା ଏକ ଜୋରଦାର ଭାଇବ୍ରେସନ ସୃଷ୍ଟି କରେ। ଏହି କମ୍ପନ ହିଁ ଚାଷୀଙ୍କ ପାଇଁ ସତର୍କ ଘଣ୍ଟି, ଯାହା ତାଙ୍କୁ ସେହି ସ୍ଥାନରେ ଅଟକି ଯିବାକୁ ଏବଂ ନିଜ ଗତିପଥ ବଦଳାଇବାକୁ ସୂଚନା ଦିଏ ।
ବୈଷୟିକ ଜ୍ଞାନକୌଶଳ
ଏହି ବାଡ଼ିରେ 'ଇନଫ୍ରାରେଡ୍ ରେଡିଏସନ୍' ଏବଂ 'ଅଲଟ୍ରାସୋନିକ୍ ସେନ୍ସର' ବ୍ୟବହାର କରାଯାଇଛି । ସାପମାନେ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ସେମାନଙ୍କ ଶରୀରର ତାପମାତ୍ରା ପରିବେଶ ଅନୁସାରେ ବଦଳିଥାଏ । ଏହି ସେନ୍ସରଗୁଡ଼ିକ ସେହି ତାପମାତ୍ରାର ପରିବର୍ତ୍ତନ ଏବଂ ସାପର ସ୍ଲାଇଡିଂ ଗତିକୁ ଚିହ୍ନଟ କରିପାରନ୍ତି । ଏଥିରେ ଥିବା ଆଇଓଟି ସିଷ୍ଟମ୍ ଏବଂ ଆର୍ଡୁଇନୋ କିମ୍ବା ରାସପବେରୀ ପାଇ ପରି ଛୋଟ ପ୍ରୋସେସରଗୁଡ଼ିକ ସେନ୍ସରରୁ ମିଳୁଥିବା ସୂଚନାକୁ ତୁରନ୍ତ ବିଶ୍ଳେଷଣ କରି କମ୍ପନ ସୃଷ୍ଟି କରନ୍ତି । କେତେକ ଉନ୍ନତ ସଂସ୍କରଣରେ ଏଆଇ ମଧ୍ୟ ବ୍ୟବହାର କରାଯାଇଛି, ଯାହା ଘାସ ହଲିବା ଏବଂ ସାପର ଗତି ମଧ୍ୟରେ ପାର୍ଥକ୍ୟ ବୁଝିପାରେ, ଫଳରେ ଭୁଲ୍ ସୂଚନା ମିଳିବାର ଆଶଙ୍କା କମ୍ ରହିଥାଏ ।
ସୁରକ୍ଷା ସହ ସଂରକ୍ଷଣ
ଏହି ଉଦ୍ଭାବନ କେବଳ ଚାଷୀଙ୍କ ଜୀବନ ବଞ୍ଚାଏ ନାହିଁ, ବରଂ ସାପମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରେ । ଅନେକ ସମୟରେ ଭୟଭୀତ ହୋଇ ଚାଷୀମାନେ ସାପଙ୍କୁ ମାରିଦିଅନ୍ତି, କିନ୍ତୁ ଏହି ବାଡ଼ି ସାହାଯ୍ୟରେ ପୂର୍ବରୁ ସତର୍କତା ମିଳିଯାଉଥିବାରୁ ଚାଷୀ ସାପଠାରୁ ଦୂରେଇ ଯାଇପାରନ୍ତି । ଏହାଦ୍ୱାରା ଜୈବ ବିବିଧତା ରକ୍ଷା ହେବା ସହ ମୂଷା ସଂଖ୍ୟା ନିୟନ୍ତ୍ରଣରେ ସାପମାନେ ସାହାଯ୍ୟ କରନ୍ତି । କେରଳ ଭଳି ଅନେକ ରାଜ୍ୟର ସରକାରୀ ପ୍ରୋଜେକ୍ଟ ମାଧ୍ୟମରେ ଏହାକୁ ପ୍ରୋତ୍ସାହନ ଦିଆଯାଉଛି । ରାତି ଅନ୍ଧାରରେ ବିଲରେ କାମ କରୁଥିବା ଜଣେ ଚାଷୀ ପାଇଁ ଏହି ଛୋଟ ବାଡ଼ିଟି ଜୀବନରକ୍ଷାକାରୀ ବନ୍ଧୁ ବା 'କିଷାନ ମିତ୍ର' ସାବ୍ୟସ୍ତ ହୋଇଛି ।



