ସହଜ ହେଉଛି ମାଟି ପରୀକ୍ଷା
ଧୀରେଧୀରେ ଚାଷକୁ ନେଇ ବିଭିନ୍ନ ନୂଆନୂଆ ବୈଜ୍ଞାନିକ ପଦ୍ଧତି ଆସୁଛି, ଯାହା ଚାଷୀଙ୍କର ବିଭିନ୍ନ ପ୍ରକ୍ରିୟାକୁ ସରଳ କରୁଛି । ସେହିଭଳି ଏକ ଡିଭାଇସ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଛି, ଯାହା ଚାଷୀଙ୍କର ମାଟି ପରୀକ୍ଷାକୁ ଖୁବ ସହଜ କରୁଛି ।
ଆଜକୁ ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ହେକ୍ଟର ପିଛା ପ୍ରାୟ ୨ ଟନ୍ ଅମଳ ପାଇଁ ୫୪ କିଲୋଗ୍ରାମ ରାସାୟନିକ ସାରର ଆବଶ୍ୟକତା ପଡ଼ୁଥିଲା। କିନ୍ତୁ ଆଜି ସେତିକି ପରିମାଣର ଅମଳ ପାଇଁ ପ୍ରାୟ ୨୮୦ କିଲୋଗ୍ରାମ ସାର ପ୍ରୟୋଗ କରିବାକୁ ପଡ଼ୁଛି। ରାସାୟନିକ ସାରର ଅନୁପଯୁକ୍ତ ଏବଂ ଅସନ୍ତୁଳିତ ବ୍ୟବହାର ଯୋଗୁଁ ଆମ ମାଟିର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ, ଠିକ୍ ଜ୍ଞାନ ଅଭାବରୁ ଚାଷୀମାନେ ଜମିରେ ଅତ୍ୟଧିକ ସାର ପ୍ରୟୋଗ କରୁଛନ୍ତି, ଯାହା ଫସଲର ଅମଳକୁ ଆହୁରି ଖରାପ କରିଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ପୁଣେର 'ପ୍ରୋକ୍ସିମାଲ ସଏଲସେନ୍ସ ଟେକ୍ନୋଲୋଜି'ର ସହ-ପ୍ରତିଷ୍ଠାତା ଡକ୍ଟର ରାଜୁଲ ପାଟକର ଏବଂ ଡକ୍ଟର ମୁକୁଲ ସିଂହ ମିଶି ବିଶ୍ୱର ସବୁଠାରୁ ଛୋଟ, ପୋର୍ଟେବଲ୍ ଏବଂ ଶସ୍ତା ମାଟି ପରୀକ୍ଷା ଉପକରଣ 'ନ୍ୟୁଟ୍ରିସେନ୍ସ' ବିକଶିତ କରିଛନ୍ତି ।
ଲାବୋରେଟୋରୀର ବ୍ୟବହାର କମିଛି
ଭାରତରେ ପାରମ୍ପରିକ ମାଟି ପରୀକ୍ଷା ପଦ୍ଧତି ବେଶ୍ ଜଟିଳ । ୧୪ କୋଟି ଚାଷୀଙ୍କ ପାଇଁ ମାତ୍ର ପ୍ରାୟ ୩,୦୦୦ ସରକାରୀ ଲାବୋରେଟୋରୀ ରହିଛି, ଯେଉଁଠାରେ ରିପୋର୍ଟ ଆସିବାକୁ ଅତିକମରେ ୧୫ ଦିନ ସମୟ ଲାଗିଥାଏ । ଫଳରେ ରିପୋର୍ଟ ଆସିବା ପୂର୍ବରୁ ହିଁ ଚାଷୀମାନେ ଜମିରେ ସାର ପକାଇ ସାରିଥାନ୍ତି । କିନ୍ତୁ 'ନ୍ୟୁଟ୍ରିସେନ୍ସ' ଡିଭାଇସ୍ ମାଧ୍ୟମରେ ଏବେ ଘରେ ବସି ରକ୍ତରେ ଶର୍କରା ମାପିବା ଭଳି ସହଜରେ ମାଟି ପରୀକ୍ଷା କରାଯାଇପାରୁଛି। ଆଇଆଇଟି ବମ୍ବେରୁ ପିଏଚ୍ଡି କରିଥିବା ଡକ୍ଟର ରାଜୁଲ ୨୦୧୧ ମସିହାରୁ ଏହି ଇଲେକ୍ଟ୍ରୋ-କେମିକାଲ୍ ଟେକ୍ନୋଲୋଜି ଉପରେ ଗବେଷଣା ଆରମ୍ଭ କରି ୨୦୨୨ ପ୍ରାରମ୍ଭରେ ଏହାର ପ୍ରଥମ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଥିଲେ ।
କାର୍ଯ୍ୟଶୈଳୀ
'ନ୍ୟୁଟ୍ରିସେନ୍ସ' ହେଉଛି ଏକ ଛୋଟ ହାର୍ଡୱେର ଡିଭାଇସ୍, ଯାହା ପେପର-ବେସଡ୍ ସେନ୍ସର ଷ୍ଟ୍ରିପ୍ ସହିତ ଆସିଥାଏ । ଏହା ମାଟିର ୬ଟି ଗୁରୁତ୍ୱପୂର୍ଣ୍ଣ ପାରାମିଟର ଯଥା ପିଏଚ୍, ବୈଦ୍ୟୁତିକ ପରିବାହିତା, ନାଇଟ୍ରେଟ୍, ଫସଫେଟ୍ ଏବଂ ପୋଟାସିୟମ୍ ପରୀକ୍ଷା କରିପାରେ। ମାତ୍ର ୧ ଗ୍ରାମ ମାଟି ଏବଂ ୩ ମିଲିଲିଟର ଏଜେଣ୍ଟ ସଲ୍ୟୁସନକୁ ଏକ ଛୋଟ ବୋତଲରେ ମିଶାଇ ଅଧଘଣ୍ଟା ଛାଡ଼ିଦେବାକୁ ପଡ଼ିଥାଏ । ମାଟି ସେଟଲ୍ ହେବା ପରେ ସେହି ସ୍ୱଚ୍ଛ ଦ୍ରବଣରୁ ମାତ୍ର ଗୋଟିଏ ଟୋପା ନେଇ ସେନ୍ସର ଉପରେ ପକାଇବାକୁ ହୁଏ । ଯାହାପରେ ମାତ୍ର ୫ ମିନିଟ୍ରୁ କମ ସମୟ ମଧ୍ୟରେ ସମସ୍ତ ୬ଟି ପାରାମିଟରର ସଠିକ୍ ଫଳାଫଳ ମିଳିଯାଏ । ଏହାପରେ ସଏଲ୍ ହେଲ୍ଥ କାର୍ଡ ବା ମାଟିର ପୁରା ଏକ ସ୍ବାସ୍ଥ୍ୟ କାର୍ଡ ପ୍ରସ୍ତୁତ ହୋଇ ଚାଷୀଙ୍କ ମୋବାଇଲ୍କୁ ତୁରନ୍ତ ଡାଉନଲୋଡ୍ ହୋଇଯାଏ । ଏହି ଡିଭାଇସ୍ ସାହାଯ୍ୟରେ ଦିନକରେ ୨୫ଟି ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇପାରିବ ।
ଲକ୍ଷ ମହିଳା ଚାଷୀ
ଏହି ଡିଭାଇସ୍ ସାହାଯ୍ୟରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ମହିଳାମାନେ ଏହି ମେସିନ୍ କିଣି ଚାଷୀମାନଙ୍କ ମାଟି ପରୀକ୍ଷା କରି ନିଜ ପାଇଁ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହି ଡିଭାଇସ ଦ୍ବାରା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚାଷୀ ଉପକୃତ ହୋଇଥିବା ଜଣା ପଡିଛି । ଏହା ଦ୍ୱାରା ଚାଷୀମାନେ ତୁରନ୍ତ ଜାଣିପାରୁଛନ୍ତି ଯେ ସେମାନଙ୍କୁ କେଉଁ ସାର କେତେ ପରିମାଣରେ ପ୍ରୟୋଗ କରିବାକୁ ହେବ । ଏବେ ସେମାନଙ୍କ ଅଞ୍ଚଳରେ ୟୁରିଆ ବଦଳରେ ଗୋବର ଖତର ବ୍ୟବହାର ବୃଦ୍ଧି ପାଇଛି ।
ବଜାର ମୂଲ୍ୟ
ବର୍ତ୍ତମାନ ଆସାମ, ପଞ୍ଜାବ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର କୃଷି ଉଦ୍ୟୋଗୀମାନେ ଏହି ଉପକରଣ ବ୍ୟବହାର କରୁଛନ୍ତି । ବଜାରରେ ଉପଲବ୍ଧ ଅନ୍ୟାନ୍ୟ ମେସିନ୍ ତୁଳନାରେ ଏହାର ମୂଲ୍ୟ ପ୍ରାୟ ଅଧା ଅର୍ଥାତ୍ ୩୫,୦୦୦ ଟଙ୍କା ରଖାଯାଇଛି । ଏହା ମାଟି ପରୀକ୍ଷା ଖର୍ଚ୍ଚକୁ ୫୦୦ ଟଙ୍କାରୁ ୩୦୦ ଟଙ୍କାକୁ ହ୍ରାସ କରିବ । ୩ ବର୍ଷର ଆୟୁଷ ଥିବା ଏହି ଡିଭାଇସ୍ ବର୍ଷକୁ ଅତିକମରେ ୩,୦୦୦ ମାଟି ପରୀକ୍ଷା କରିପାରିବ । ଡକ୍ଟର ରାଜୁଲଙ୍କ ଆଶା, ଯେମିତି ପ୍ରତି ଘରେ ଗ୍ଲୁକୋମିଟର ଥାଏ, ସେମିତି ପ୍ରତି ଗ୍ରାମୀଣ ପରିବାରରେ ଏହି ମାଟି ପରୀକ୍ଷା ଯନ୍ତ୍ର ରହୁ, ଯାହା ଦ୍ୱାରା ମାଟିର ସ୍ୱାସ୍ଥ୍ୟ ସହ ଫସଲର ଅମଳ ମଧ୍ୟ ବୃଦ୍ଧି ପାଇବ ।




