ସ୍ବେଦେଶୀ ଟେଲିସ୍କୋପ

ସ୍ବେଦେଶୀ ଟେଲିସ୍କୋପ
Ipsita Picture
By: Ipsita

 

ଅନେକ ସମୟରେ ଏଭଳି କିଛି ଉଦ୍ଭାବନ ହୋଇଥାଏ, ଯାହା ଆମ ଜୀବନଶୈଳୀକୁ ସହଜ ଓ ସରଳ କରିଥାଏ । ଆସନ୍ତୁ ସେହିଭଳି ଏକ ଉଦ୍ଭାବନ ସମ୍ପର୍କରେ ଜାଣିବା ଯାହା ଆମକୁ ମହାକାଶ କ୍ଷେତ୍ରରେ ସାହାଯ୍ୟ କରିବ ।

 

ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳକୁ ନେଇ ଅନେକ ଉଦ୍ଭାବନ ହୋଇଥାଏ । ଏହି କ୍ରମରେ ହାଇଦ୍ରାବାଦର ତିନିଜଣ ପ୍ରଭାବଶାଳୀ ଇଞ୍ଜିନିୟର ସଞ୍ଜୟ କୁମାର, ମନୋଜ କୁମାର ଗଦ୍ଦାମ ଏବଂ ପୁନିତ ବଡେକା, ମହାକାଶରେ ଭାରତର ନିଜସ୍ୱ 'ଚକ୍ଷୁ' ବା ସୂକ୍ଷ୍ମ ଇଲେକ୍ଟ୍ରୋ-ଅପ୍ଟିକାଲ୍ ପେଲୋଡ୍ ନିର୍ମାଣ କରି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ନିର୍ମଳ ରାତ୍ରି ଆକାଶରେ ଅଦୃଶ୍ୟ ଭାବେ ଗତି କରୁଥିବା ସାଟେଲାଇଟ୍ଗୁଡ଼ିକ ଯେଉଁ ଫଟୋ ଉଠାଇଥାଆନ୍ତି, ତାହା ବନ୍ୟା ପୂର୍ବରୁ ସତର୍କ ସୂଚନା ଦେବା, ଚାଷୀଙ୍କୁ ଜଳସେଚନ ପାଇଁ ମାର୍ଗଦର୍ଶନ କରିବା ଏବଂ ପ୍ରାକୃତିକ ବିପତ୍ତି ସମୟରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ । ହେଲେ ଦୀର୍ଘ ବର୍ଷ ଧରି ଭାରତ ଉପଗ୍ରହ ପ୍ରକ୍ଷେପଣରେ ପାରଦର୍ଶିତା ଲାଭ କରିଥିଲେ ହେଁ ଏହି ଚିତ୍ର ଉତ୍ତୋଳନ କରୁଥିବା ମୁଖ୍ୟ ସେନ୍ସରଗୁଡ଼ିକ ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରୁଥିଲା। ୨୦୨୧ର କୋଭିଡ୍ ଲକଡାଉନ୍ ସମୟରେ ଏହି ଉଦ୍ଭାବନର ମୂଳଦୁଆ ପଡିଥିଲା । ଏହି ତିନିଜଣ ଇଞ୍ଜିନିୟର ଅନୁଭବ କଲେ ଯେ ଯେଉଁ ସୂକ୍ଷ୍ମ ପ୍ରଯୁକ୍ତି ମଣିଷର ଦୃଷ୍ଟିଶକ୍ତି ଫେରାଇ ଆଣିପାରୁଛି, ତାହା ଦ୍ୱାରା ପୃଥିବୀକୁ ପର୍ଯ୍ୟବେକ୍ଷଣ କରୁଥିବା ଟେଲିସ୍କୋପ୍ ମଧ୍ୟ ନିର୍ମାଣ କରାଯାଇପାରିବ। ଏହି ସଂକଳ୍ପରୁ ଜନ୍ମ ନେଇଥିଲା 'ଇଓଏନ୍ ସ୍ପେସ ଲାବ', ଯେଉଁଠାରେ ସେମାନେ 'ମୋନୋଲିଥିକ୍ ଅପ୍ଟିକ୍ସ' ବ୍ୟବହାର କରି 'ଏମ୍ଆରଆଇଏ  ୫୦ ଏଫଏସ' ନାମକ ଏକ କମ୍ପାକ୍ଟ ମହାକାଶ ଟେଲିସ୍କୋପ୍ ବିକଶିତ କରିଛନ୍ତି। ଏହି ଟେଲିସ୍କୋପ୍ର ଓଜନ ମାତ୍ର ୫୦୨ ଗ୍ରାମ ହୋଇଥିବା ବେଳେ ଏହା ଇନଫ୍ରାରେଡ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଘୋର କୁହୁଡ଼ି, ଧୂଆଁ ଏବଂ ରାତିର ଅନ୍ଧକାର ମଧ୍ୟରେ ମଧ୍ୟ ସ୍ପଷ୍ଟ ଭାବେ ୨ କିଲୋମିଟର ଦୂରରୁ ଡ୍ରୋନ୍ ଏବଂ ୧୧ କିଲୋମିଟର ଦୂରରୁ ସମୁଦ୍ରରେ ଜାହାଜ ଚିହ୍ନଟ କରିପାରୁଛି। ଏହି ଉପକରଣର ୯୦ ପ୍ରତିଶତରୁ ଅଧିକ ଅଂଶ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି, ଯାହା ଭାରତର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ । ଇଓଏନର ସିଷ୍ଟମଗୁଡ଼ିକ ଉନ୍ନତମାନର କ୍ୟାମେରା ଭଳି କାର୍ଯ୍ୟ କରିଥାଏ। ଏହା ଅତି ସୂକ୍ଷ୍ମ ଚିତ୍ର ଉତ୍ତୋଳନ କରୁଥିବା ବେଳେ, ଇନଫ୍ରାରେଡ୍ ପ୍ରଯୁକ୍ତି ମାଧ୍ୟମରେ ଏହା ଉତ୍ତାପକୁ ଚିହ୍ନଟ କରିପାରେ, ଯାହାଫଳରେ ଏହା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବି ସ୍ପଷ୍ଟ ଦେଖିବାରେ ସକ୍ଷମ ହୁଏ। ଏହାକୁ ବିଶେଷଭାବେ ମହାକାଶର କକ୍ଷପଥରୁ ଜାହାଜଗୁଡ଼ିକୁ ଟ୍ରାକ୍ କରିବାସହ, ଫସଲ ଏବଂ ଜଙ୍ଗଲ ଉପରେ ନଜର ରଖିବାନେଇ ପ୍ରସ୍ତୁତ କରାଯାଇଛି । ଏହି ଷ୍ଟାର୍ଟଅପ୍ ସଂସ୍ଥାଟି ନିଜର କ୍ଷୁଦ୍ର ଓ ହାଲୁକା ଅପ୍ଟିକାଲ୍ ଟେକ୍ନୋଲୋଜିକୁ ନୂତନ ପୃଥିବୀ-ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ସହିତ ସଂଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ କରିବ ବୋଲି କମ୍ପାନୀ ଦାବି କରିଛି । ଏଥିରେ ଏଆଇ ଜ୍ଞାନକୌଶଳକୁ ବ୍ୟବହାର କରାଯାଇ ଏହାକୁ ଖୁବ ଶକ୍ତିଶାଳୀ କରାଯାଇଛି । ଏହା ଆଗକୁ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଲଟିବ ବୋଲି କମ୍ପାନୀ ମତ ଦେଇଛି ।

 

Tags:

Related Posts