ବରଫ ଜଳର ସଂରକ୍ଷଣ
ସମସ୍ତଙ୍କୁ ଆନନ୍ଦ ଦେଉଥିବା ବରଫ କିଛି ଅଞ୍ଚଳ ପାଇଁ କିନ୍ତୁ ଅଭିଶାପ ହୋଇଥାଏ । ଏହି ବରଫ କାରଣରୁ ସେମାନେ ନାହିଁ ନଥିବା ସମସ୍ୟାର ସାମନା କରିଥାଆନ୍ତି । ତେବେ ଲଦାଖରେ ଏହି ବରଫକୁ ବ୍ୟବହାର କରି ପାନୀୟ ଜଳ ପ୍ରସ୍ତୁତିର ନିଆରା ଉଦାହରଣ ଦେଖିବାକୁ ମିଳିଛି ।
ଫେବୃଆରୀ ମାସରେ ଯଦି ଆପଣ ଲଦାଖର ଏକ ଗାଁରେ ଛିଡ଼ା ହେବେ ତେବେ, ଚାରିଆଡ଼େ କେବଳ ବରଫ - ଘର ଛାତ ଉପରେ, ପାହାଡ଼ ଢାଲୁରେ ଏବଂ ଯେଉଁଆଡ଼େ ଦୃଷ୍ଟି ପକାଇବେ ସେଠାରେ ବରଫର ଚମକ ଦେଖିବାକୁ ମିଳିବ । ବାହାରୁ ଦେଖିଲେ ମନେହେବ ଯେମିତି ଆପଣ ଜଳରାଶି ଦ୍ୱାରା ଘେରି ହୋଇ ରହିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଜୁନ୍ ମାସ ଆସିବା ବେଳକୁ ଆପଣଙ୍କ ଚାଷଜମି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବ। ସ୍ଥାନୀୟ ଲୋକମାନେ ଅନେକ ସମସ୍ୟା ଭୋଗୁଥିବେ । ଏହା ହେଉଛି ପୃଥିବୀର ଅନ୍ୟତମ ଉଚ୍ଚ, ଶୀତଳ ଏବଂ ଶୁଷ୍କ ଜନବସତି ଅଞ୍ଚଳ ଲଦାଖର ଏକ ଯନ୍ତ୍ରଣାଦାୟକ ବାସ୍ତବତା। ଏହା ଏଭଳି ଏକ ଭୂଭାଗ ଯେଉଁଠାରେ ଭାରତର ଅନ୍ୟ ଅଞ୍ଚଳର କଳ୍ପନା ବାହାରେ ଅଧିକ ବରଫପାତ ହୋଇଥାଏ, କିନ୍ତୁ ବର୍ଷା ପ୍ରାୟତଃ ଶୂନ୍ୟ। ହିମାଳୟ ପର୍ବତମାଳା ଲଦାଖ ଏବଂ ମୌସୁମୀ ମଧ୍ୟରେ ବାଧା ସୃଷ୍ଟି କରିଥାଏ, ଯେଉଁ କାରଣରୁ ୯୦% ଆଦ୍ରତାକୁ ବାଟରୁ ହିଁ ଫେରିଯାଏ । ତେବେ ଏହି ସବୁ ବରଫ ବହୁତ ଶୀଘ୍ର ତରଳିଯାଏ। ପଥୁରିଆ ନାଳ ଦେଇ ଏହା ପାହାଡ଼ ତଳକୁ ବୋହିଯାଏ ଏବଂ ଯେତେବେଳେ ଚାଷଜମି ପ୍ରସ୍ତୁତ ହୋଇନଥାଏ, ସେହି ସମୟରେ ଏହି ଜଳ ନଷ୍ଟ ହୋଇଯାଏ। ଯେତେବେଳେ ଜଣେ ଲଦାଖୀ ଚାଷୀର ଫସଲ ପାଇଁ ପାଣି ଦରକାର ହୁଏ, ସେତେବେଳକୁ ବସନ୍ତ ଋତୁର ସେହି ବରଫ ତରଳା ପାଣି ଆଉ ନଥାଏ । ବର୍ଷ ବର୍ଷ ଧରି ଏଠାକାର ବାସିନ୍ଦା ଏକ ଅସମ୍ଭବ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି । ପାଣି ବୋହିବା ସମୟର ସେହି ସ୍ୱଳ୍ପ ଓ ଅନିଶ୍ଚିତ ମୁହୂର୍ତ୍ତକୁ ଚାହିଁ ସେମାନେ ଚାଷର ନିଷ୍ପତ୍ତି ନିଅନ୍ତି। ଅଧିକ ଶୀଘ୍ର ହେଲେ ଜମି ବରଫ ପାଲଟିଥାଏ ଏବଂ ଅଧିକ ବିଳମ୍ବ ହେଲେ ନାଳ ଶୁଖିଯାଏ। ଯଦି ସେହି ସମୟ ସୀମା ଗଡିଗଲା, ତେବେ ଫସଲ ହାନି ହେବା ନିଶ୍ଚିତ । ଏବେ ଏକ ନୂତନ ପ୍ରକଳ୍ପ ଏହି ସମସ୍ୟାର ସରଳ ସମାଧାନ କାଢିଛି ।
ପ୍ରକଳ୍ପର ନାମ ହିମ ସରୋବର
‘ହିମ୍’ ର ଅର୍ଥ ବରଫ ଏବଂ ‘ସରୋବର’ର ଅର୍ଥ ହ୍ରଦ। ୨୦୨୬ରେ ଆରମ୍ଭ ହୋଇଥିବା 'ପ୍ରକଳ୍ପ ହିମ୍ ସରୋବର' ଲଦାଖରେ ବହୁତ ଶୀଘ୍ର ଆସୁଥିବା ବରଫ ତରଳ ଜଳକୁ ସଞ୍ଚୟ କରି ତାହା ଦରକାର ପଡ଼ିବା ପର୍ଯ୍ୟନ୍ତ ରଖିବା ଏହାର ଲକ୍ଷ୍ୟ। ଏଥିପାଇଁ ଲେହ ଏବଂ କାର୍ଗିଲ ଜିଲ୍ଲାରେ ୫୦ଟି ଛୋଟ ଜଳାଶୟ ନିର୍ମାଣ କରାଯାଉଛି। କୌଣସି ବଡ଼ ଡ୍ୟାମ୍ ନୁହେଁ, ବରଂ ୫୦ଟି ଛୋଟ ଓ ଯୋଜନାବଦ୍ଧ ପୋଖରୀ ଜଳର ଗତିକୁ ‘ପଜ୍’ ବଟନ୍ ଭଳି ଅଟକାଇ ଦେବ।ପୋଖରୀରେ ରହୁଥିବା ଜଳ ଭୂତଳ ଜଳସ୍ତରକୁ ବୃଦ୍ଧି କରେ ଏବଂ ଏହା ଧୀରେ ଧୀରେ ବାହାରି ଚାଷୀଙ୍କ କାମରେ ଆସେ। ଲଦାଖର ଚାଷ ପାଇଁ ବିଶାଳ ସମୁଦ୍ର ଭଳି ଜଳାଶୟ ଦରକାର ନାହିଁ; କେବଳ ଛୋଟଛୋଟ ପୋଖରୀ ହେଲେ ଏଠାରେ ଚାଷ କାମ ସମ୍ଭବ । ପୂର୍ବରୁ ଲଦାଖୀମାନେ ପାରମ୍ପରିକ ଭାବେ ‘କୁଲ୍’ ନାମକ ଏକ ନାଳ ବ୍ୟବସ୍ଥା ଦ୍ୱାରା ଗ୍ଲେସିୟର ପାଣିକୁ ନିଜ ଜମିକୁ ଆଣୁଥିଲେ । କିନ୍ତୁ ‘କୁଲ୍’ ଗୁଡ଼ିକ ଗ୍ଲେସିୟରର ନିର୍ଦ୍ଦିଷ୍ଟ ପ୍ରବାହ ଉପରେ ନିର୍ଭର କରନ୍ତି। ଗ୍ଲେସିୟରଗୁଡ଼ିକ ଏବେ ପ୍ରତିବର୍ଷ କିଛି ମିଟର ପଛକୁ ହଟିବାରେ ଲାଗିଛନ୍ତି, ଯାହା ଦ୍ୱାରା ପୁରୁଣା ବ୍ୟବସ୍ଥା ଆଉ ସଠିକ୍ ଭାବେ କାମ କରୁନାହିଁ। ହିମ୍ ସରୋବର ହେଉଛି ସେହି ଶତାବ୍ଦୀ ପୁରୁଣା ଯୁକ୍ତିର ଏକ ୨୧ଶ ଶତାବ୍ଦୀର ସଂସ୍କରଣ। ଏଠାରେ କେବଳ ଗ୍ରାମବାସୀ ନୁହଁନ୍ତି, ବରଂ ଭାରତୀୟ ସେନା, ଆଇଟିବିପି ଏବଂ ବିଆରଓ ଭଳି ଅନୁଷ୍ଠାନ ଏକାଠି ହୋଇଛନ୍ତି, ଯେଉଁମାନେ ଏଭଳି କଠିନ ଭୂଭାଗରେ କାମ କରିବା ପାଇଁ ଦକ୍ଷ।
ଭୂତଳ ଜଳସ୍ତରର ଚମତ୍କାର
ଏହି ଜଳାଶୟଗୁଡ଼ିକର ସବୁଠାରୁ ବଡ଼ କାମ କେବଳ ଚାଷଜମିକୁ ପାଣି ଦେବା ନୁହେଁ, ବରଂ ଭୂତଳ ଜଳସ୍ତରକୁ ବଢାଇବା । ପୋଖରୀରେ ଜଳ ଜମି ରହିଲେ ତାହା ଧୀରେ ଧୀରେ ମାଟି ଭିତରକୁ ଯାଏ, ଯାହା ଫଳରେ ଶୁଖିଯାଉଥିବା ଝରଣାଗୁଡ଼ିକ ପୁଣି ଜୀବନ୍ତ ହୋଇଉଠେ। ଅଧିକ ଓଦାଳିଆ ମାଟିରେ ଘାସ ଓ ଗଛଲତା ବଢ଼େ, ଯାହା ପୁଣି ଅଧିକ ଆଦ୍ରତା ଧରି ରଖେ। ଏହି ପ୍ରକଳ୍ପ ପଛରେ ଥିବା ଚିନ୍ତାଧାରା ବେଶ୍ ଚମତ୍କାର। ବରଫ ହେଉଛି ପ୍ରକୃତିର ନିଜସ୍ୱ ଜଳଭଣ୍ଡାର। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ଏହି ସଂରକ୍ଷଣ ବ୍ୟବସ୍ଥା ନଷ୍ଟ ହୋଇଯାଉଛି। ପ୍ରକଳ୍ପ ହିମ୍ ସରୋବର ହେଉଛି ପାହାଡ଼ ପୂର୍ବରୁ ଯାହା କାମ କରୁଥିଲା, ତାହା କୃତ୍ରିମ ଭାବେ କରିବା ପାଇଁ ଏକ ପ୍ରୟାସ - ଅର୍ଥାତ୍ ଆବଶ୍ୟକ ହେବା ପର୍ଯ୍ୟନ୍ତ ଜଳକୁ ସଞ୍ଚୟ କରି ରଖିବା। ସମୁଦ୍ର ପତ୍ତନରୁ ୩,୫୦୦ ମିଟର ଉଚ୍ଚରେ ଚାଷ କରୁଥିବା ପରିବାରଗୁଡ଼ିକ ପାଇଁ ସଞ୍ଚିତ ବରଫ ତରଳା ପାଣିର ଏକ ପୋଖରୀ କୌଣସି ବରଦାନଠାରୁ କମ୍ ନୁହେଁ। ସେମାନଙ୍କ ପାଇଁ ଏହା ଉପକାରୀ ପାଲଟିଛି ।



