ବାୟୁରୁ ପାନୀୟ ଜଳ

ବାୟୁରୁ ପାନୀୟ ଜଳ
Ipsita Picture
By: Ipsita
Published On

 

ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଟୋପାଏ ପିଇବା ପାଣି ଆଣିବାକୁ ପ୍ରତ୍ୟେକ ଥର ଲୋକଙ୍କୁ ଏକ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ପଡ଼ୁଛି । ଖରାଦିନର ପ୍ରଖର ଗ୍ରୀଷ୍ମପ୍ରବାହ ମଧ୍ୟରେ ଏହି ପାଣି ସଂଗ୍ରହ କ୍ଲାନ୍ତିକର ଯାତ୍ରା ପାଲଟିଯାଏ । ତେବେ ଏହାର ଏକ ସରଳ ସମାଧାନ କାଢିଛନ୍ତି ମହାରାଷ୍ଟ୍ରର ଏକ ଗ୍ରାମବାସୀ । ବାୟୁରୁ ପ୍ରସ୍ତୁତ ହେଉଛି ପାନୀୟ ଜଳ ।

ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା ଅନ୍ତର୍ଗତ ୱାଡଜୀ ଗ୍ରାମର ପରିବାରଗୁଡ଼ିକରେ ବର୍ଷ ବର୍ଷ ଧରି ରହିଥିଲା ଜଳ ଅଭାବ । ଗ୍ରାମବାସୀଙ୍କୁ ପିଇବା ପାଣି ଟୋପାଏ ପାଇଁ ୧.୫ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା । ବିଶେଷକରି ଗ୍ରୀଷ୍ମଋତୁରେ ଜଳଉତ୍ସସବୁ ଶୁଖିଯାଉଥିବାରୁ ଏହି ସଂଗ୍ରାମ ଆହୁରି କଷ୍ଟକର ହୋଇପଡ଼ୁଥିଲା । ତେବେ , ଯଦି ଏହି ଜଳ ସମସ୍ୟାର ସମାଧାନ ସେମାନଙ୍କ ଚାରିପାଖରେ ଥିବା ବାୟୁମଣ୍ଡଳରେ ହିଁ  ସେମାନଙ୍କୁ ମିଳିଛି । ଏହି ଚିନ୍ତାଧାରାକୁ ନେଇ ବିକଶିତ ହୋଇଛି 'ମେଘଦୂତ' । ଏହା ଏକ ଅତ୍ୟାଧୁନିକ ଜ୍ଞାନକୌଶଳ, ଯାହା ବାୟୁମଣ୍ଡଳରୁ ଆର୍ଦ୍ରତାକୁ ପରିବର୍ତ୍ତିତ କରି ପିଇବା ପାଣିରେ ପରିଣତ କରିଥାଏ । ୱାଡଜୀ ଗ୍ରାମରେ ସ୍ଥାପିତ ଏହି ସିଷ୍ଟମ୍ ଦୈନିକ ୫୦୦ ଲିଟର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ ଉତ୍ପାଦନ କରିପାରୁଛି । ଫଳରେ ନଳକୂପ କିମ୍ବା ଭୂତଳ ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ଗ୍ରାମବାସୀଙ୍କୁ ଏକ ନୂତନ ଜଳଉତ୍ସ ମିଳିପାରିଛି ।

 

ଚାଲିବାକୁ ପଡୁଥିଲା ଅନେକ ବାଟ

ପ୍ରାୟ ୨,୦୦୦ ଜନସଂଖ୍ୟା ବିଶିଷ୍ଟ ୱାଡଜୀ ଗ୍ରାମ ଗମ୍ଭୀର ଜଳସଙ୍କଟର ସାମ୍ନା କରୁଥିଲା । ଏହି ସମସ୍ୟା କେବଳ ଗୋଟିଏ ଗାଁରେ ସୀମିତ ନୁହେଁ ଏହା ଆଖପାଖ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଥିଲା । ବିଶେଷକରି ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଇବା ସହ ସୁରକ୍ଷିତ ପିଇବା ପାଣି ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଏ । ପାଣି ଟିକେ ପାଇଁ ସେମାନଙ୍କ ଅନେକ ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡିଥାଏ । ତେବେ 'ମେଘଦୂତ' ନାମକ ଏହି ସିଷ୍ଟମ୍ 'ଆଟମୋସଫେରିକ୍ ୱାଟର ଜେନେରେସନ୍'  ଟେକ୍ନୋଲୋଜି ମାଧ୍ୟମରେ ବାୟୁରୁ ଆର୍ଦ୍ରତାରୁ ଜଳ ପ୍ରସ୍ତୁତ କରିଥାଏ । ଏହି ପ୍ରକ୍ରିୟାରେ ପ୍ରଥମେ ଫ୍ୟାନ୍ ସାହାଯ୍ୟରେ ବାୟୁମଣ୍ଡଳର ଆଦ୍ର ବାୟୁକୁ ମେସିନ୍ ଭିତରକୁ ନିଆଯାଏ । ବିଶେଷ ଫିଲ୍ଟର୍ ଗୁଡ଼ିକ ଧୂଳି ଏବଂ ପରାଗ ରେଣୁ ଭଳି କଣିକାକୁ ବାହାର କରିଦିଅନ୍ତି । ଏହାପରେ ଏକ ରେଫ୍ରିଜିରେସନ୍ - ଭିତ୍ତିକ ବ୍ୟବସ୍ଥା ବାୟୁକୁ ତାର 'ଶିଶିରାଙ୍କ' ବା ଡିୟୁ ପଏଣ୍ଟ ପର୍ଯ୍ୟନ୍ତ ଥଣ୍ଡା କରିଥାଏ । ବାୟୁ ଥଣ୍ଡା ହେବା ମାତ୍ରେ, ଜଳୀୟବାଷ୍ପ ଜଳବିନ୍ଦୁରେ ପରିଣତ ହୁଏ । ଯେପରି ଏକ ଥଣ୍ଡା କାଚ ଗ୍ଲାସ୍ ବାହାରେ ପାଣି ଜମିଯାଏ । ହାଇଦ୍ରାବାଦସ୍ଥିତ ସିଏସଆଇଆର ଆଇଆଇସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା ମୈତ୍ରୀ ଆକ୍ୱାଟେକର ସହଯୋଗରେ ବିକଶିତ ଏହି 'ମେଘଦୂତ' ପିଇବା ପାଣିର ଏକ ବିକଳ୍ପ ସାଧନ ସାଜିଛି । ଏହାପରେ ସଂଗୃହିତ ଜଳକୁ ଅଧିକ ବିଶୋଧନ କରାଯାଏ । ଆକ୍ଟିଭେଟେଡ୍ କାର୍ବନ୍ ଫିଲ୍ଟରେସନ୍, ଅଲ୍ଟ୍ରାଭାୟୋଲେଟ୍ ବିଶୋଧନ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଦ୍ୱାରା ଏହାକୁ ପିଇବା ଉପଯୋଗୀ କରାଯାଏ । ଶେଷରେ ଏହି ବିଶୁଦ୍ଧ ଜଳକୁ ସଂରକ୍ଷିତ କରି ଲୋକଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଏ । ଏହି ୟୁନିଟ୍‌ର ଦୈନିକ ଉତ୍ପାଦନ କ୍ଷମତା ପ୍ରାୟ ୫୦୦ ଲିଟର। ତେବେ ବାସ୍ତବ ଉତ୍ପାଦନ ବାୟୁମଣ୍ଡଳର ଆର୍ଦ୍ରତା, ତାପମାତ୍ରା ଏବଂ ମେସିନ୍‌ର ପରିଚାଳନା ଉପରେ ନିର୍ଭର କରେ । ଭୂତଳ ଜଳ କିମ୍ବା ପାରମ୍ପରିକ ଜଳଉତ୍ସ ଉପରେ ନିର୍ଭର ନକରି ଏହି ପ୍ରଯୁକ୍ତିବିଦ୍ୟା ବାୟୁମଣ୍ଡଳରୁ ଜଳ ସଂଗ୍ରହ କରୁଥିବାରୁ, ଜଳସଙ୍କଟ ଥିବା ଅଞ୍ଚଳରେ ଏହା ଏକ ଅତିରିକ୍ତ ଏବଂ ଭରସାଯୋଗ୍ୟ ଉତ୍ସ ଭାବେ କାର୍ଯ୍ୟ କରୁଛି । ଯଦିଓ ଏହି ଟେକ୍ନୋଲୋଜି ଭୂତଳ ଜଳ ସଂରକ୍ଷଣ କିମ୍ବା ବର୍ଷା ଜଳରୁ ସଂରକ୍ଷିତ କରି ଏଥିରୁ ପାନୀୟ ଜଳ ଉତ୍ପାଦନ ଭଳି ଦୀର୍ଘକାଳୀନ ସମାଧାନର ସମ୍ପୂର୍ଣ୍ଣ ବିକଳ୍ପ ହୋଇପାରିବ ନାହିଁ । ତଥାପି ଏହା ଜଳସଙ୍କଟ ଦୂର କରିବାର ଏକ ନୂତନ ରାସ୍ତା ଦେଖାଇଛି । ସଠିକ୍ ରକ୍ଷଣାବେକ୍ଷଣ ଏବଂ ଆଞ୍ଚଳିକ ପରିସ୍ଥିତି ସହ ଖାପଖୁଆଇ ବ୍ୟବହୃତ ହେଲେ, ଏହିଭଳି ଅଭିନବ ଉଦ୍ଭାବନ ଅନେକ ଗ୍ରାମକୁ ଜଳସଙ୍କଟରୁ ମୁକ୍ତି ଦେବାରେ ସହାୟକ ହୋଇପାରିବବୋଲି ମତ ପ୍ରକାଶ ପାଇଛି ।

Tags: