ଛତୁରୁ ଚେୟାର
ନିକଟରେ ଏକ ଷ୍ଟାର୍ଟଅପ ଖୁବ ଚର୍ଚ୍ଚାରେ ରହିଛି । ଏହି ଷ୍ଟାର୍ଟଅପ ନିଜର ସ୍ବତନ୍ତ୍ରତା ପାଇଁ ଲାଇମ୍ ଲାଇଟକୁ ଆସିଛି । କାରଣ ଏହି ଷ୍ଟାର୍ଟଅପ ଅଧୀନରେ ଛତୁରୁ ଚେୟାର ପ୍ରସ୍ତୁତ ହେଉଛି, ଯାହାର କ୍ରେଜ ଏବେ ସବୁସ୍ଥାନରେ ଦେଖିବାକୁ ମିଳୁଛି ।
ଅନେକ ସମୟରେ ବିଭିନ୍ନ ଉଦ୍ଭିଦ ଓ ଆବର୍ଜନାକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଆସବାବ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାରେ ରହିଛି, ଯିଏ ଛତୁରୁ ଚେୟାର ପ୍ରସ୍ତୁତ କରୁଛି । ଏହାର ପ୍ରସ୍ତୁତି ଖୁବ ଭିନ୍ନ ଓ ସ୍ବତନ୍ତ୍ର ରହିଛି । ମାଇସେଲିୟମ , ଯାହା କି କବକ ବା ଛତୁର ଚେର ପରି ଏକ ଜାଲ, ଏହାକୁ ଏକ ଅଦ୍ଭୁତ କ୍ଷମତା ସମ୍ପନ୍ନ ସାମଗ୍ରୀ ଭାବରେ ଦୀର୍ଘ ସମୟ ଧରି ଅଧ୍ୟୟନ କରାଯାଉଛି। ବିଶ୍ୱସ୍ତରରେ ଏହାକୁ ପ୍ୟାକେଜିଂ ଏବଂ କପଡ଼ା ଶିଳ୍ପରେ ବ୍ୟବହାର କରାଯାଉଥିବା ବେଳେ ଭାରତରେ ଆସବାବପତ୍ର ତିଆରିରେ ଏହାର ପ୍ରୟୋଗ ଏବେ ମଧ୍ୟ ବିରଳ। ‘ଆନୋମାଲିଆ’ ନାମକ ସଂସ୍ଥା ସ୍ଥାୟୀ ବିକାଶ ବା ସଷ୍ଟେନେବିଲିଟିକୁ ଲକ୍ଷ୍ୟ ରଖି କୃଷି ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରୁଛି, ଯାହା ସାଧାରଣତଃ ପ୍ରଦୂଷଣର କାରଣ ହୋଇଥାଏ । ଏହି ସଂସ୍ଥାର ପ୍ରତିଷ୍ଠାତା ଭକ୍ତି ଲୁନାୱତ ଏବଂ ସୁୟଶ ସାୱନ୍ତ ମୁମ୍ବାଇରେ ଏହି କାର୍ଯ୍ୟ କରୁଛନ୍ତି ଯାହା ଅନେକଙ୍କ ପାଇଁ ପ୍ରେରଣା ସାଜିଛି । ପ୍ରଥମେ ‘ଛତୁରେ ତିଆରି ଆସବାବପତ୍ର’ ଶୁଣିବାକୁ ଟିକେ ଅଜବ ଲାଗିପାରେ, କିନ୍ତୁ ଏହା ଆଗକୁ ଏକ ବଡଶିଳ୍ପରେ ପରିଣତ ହେବାକୁ ଯାଉଥିବା ଏମାନେ ବିଶ୍ବାସ ରଖିଛନ୍ତି । ତାଙ୍କର ଗ୍ରାହକମାନେ ମଧ୍ୟ ଏହାକୁ ନେଇ ବେଶ୍ ଆଗ୍ରହୀ ଅଛନ୍ତି। ଲୋକମାନେ ଖୁବ ଆଗ୍ରହରେ ଏହି ସାମଗ୍ରୀକୁ କିଣୁଥିବା ଷ୍ଟାର୍ଟଅପ ପକ୍ଷରୁ କୁହାଯାଇଛି । ଏହି ଆସବାବପତ୍ରଗୁଡ଼ିକ ସ୍ଥାୟୀ ଏବଂ ମଜଭୁତ। ଏଗୁଡିକ ପ୍ରାୟ ୭୦ ରୁ ୮୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ସହିବାକୁ ସକ୍ଷମ। ‘ଆନୋମାଲିଆ’ ଷ୍ଟାର୍ଟଅପରେ ଏହି ଦମ୍ପତି ଆସବାବପତ୍ର ନିର୍ମାଣ କରନ୍ତି ନାହିଁ, ବରଂ ଏହାକୁ ଚାଷ କରନ୍ତି। ସେମାନଙ୍କର ପ୍ରଥମ ସଂଗ୍ରହ ‘ଗ୍ରୋନ୍ ନଟ୍ ବିଲ୍ଟ’ ରେ କୃଷି ବର୍ଜ୍ୟବସ୍ତୁ ଏବଂ ମାଇସେଲିୟମର ମିଶ୍ରଣରେ ପ୍ରସ୍ତୁତ ମଡ୍ୟୁଲାର୍ “ମାଇକ୍ରୋବ୍ଲକ୍ସ” ବ୍ୟବହାର କରାଯାଇଛି । ଏହି ପ୍ରତ୍ୟେକ ବ୍ଲକର ଓଜନ ମାତ୍ର ୧.୫ କିଲୋଗ୍ରାମ, କିନ୍ତୁ ଏହା ୧.୫ ଟନ୍ ପର୍ଯ୍ୟନ୍ତ ଚାପ ସହିବାର କ୍ଷମତା ରଖିଛି । ଏହି ବ୍ଲକଗୁଡ଼ିକୁ ସଂଯୋଗ କରି ଷ୍ଟୁଲ୍, ଟେବୁଲ୍, ସେଲଫ୍ କିମ୍ବା ପାର୍ଟିସନ କାନ୍ଥ ତିଆରି କରାଯାଇପାରିବ । ଆନୋମାଲିଆର ଉତ୍ପାଦ ତାଲିକାରେ ମାଇସେଲିୟମରୁ ପ୍ରସ୍ତୁତ ହାଲୁକା ତଥା ମଜଭୁତ ବ୍ଲକ୍ ଏବଂ କପଡ଼ା ସାମିଲ ରହିଛି। ସେହିଭଳି ଏହି ଉତ୍ପାଦ ମାତ୍ର ୧୮୦ ଦିନ ମଧ୍ୟରେ ନିରାପଦରେ ମାଟିରେ ମିଶିଯାଇପାରିବ । ତେଣୁ ଏହା ପରିବେଶ ପାଇଁ ମଧ୍ୟ ଉପକାରୀ । ଏହା ରିସାଇକେଲ ହୋଇପାରୁଥିବାରୁ ଏହାର ଚାହିଦା ବେଶି ରହିଛି । ଏହାର ସ୍ଥାୟିତ୍ୱ ବଢ଼ାଇବା ପାଇଁ ଏହି ଦମ୍ପତି ପ୍ରସ୍ତୁତ ବ୍ଲକଗୁଡ଼ିକୁ ଚୁଲିରେ ସେକି ଦିଅନ୍ତି କିମ୍ବା ଖରାରେ ଶୁଖାଇ ଦିଅନ୍ତି, ଯାହାଫଳରେ ମାଇସେଲିୟମ ନିଷ୍କ୍ରିୟ ହୋଇଯାଏ ଏବଂ ଏହାର ଗଠନ ଦୃଢ଼ ହୁଏ। ବାହାରେ ବ୍ୟବହାର କରାଯାଉଥିବା ଆସବାବପତ୍ର ପାଇଁ ସେମାନେ ମହୁଫେଣାର ମହମ କିମ୍ବା ଚୂନ ପଲସ୍ତରା ଭଳି ପ୍ରାକୃତିକ ପ୍ରଲେପ ବ୍ୟବହାର କରନ୍ତି। ଏହି ଆସବାବପତ୍ରର ବର୍ତ୍ତମାନ ଦେଶ ସହିତ ବିଦେଶରେ ମଧ୍ୟ ଚାହିଦା ବଢିବାରେ ଲାଗିଛି ।
Related Posts



