ଭୁଲିପାରିବେନି ସେହି ରାତି
ଚର୍ଚ୍ଚିତ ଚାଟ୍ ଶୋ’ 'କଫି ୱିଥ୍ କରନ୍'ର ନୂତନ ଏପିସୋଡ୍ରେ ବଲିଉଡ୍ର ଚର୍ଚ୍ଚିତ ଦମ୍ପତି ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁରଙ୍କୁ ଦେଖିବାକୁ ମିଳିବ । ଏଥିରେ ଉଭୟ ତାଙ୍କ ଜୀବନର ସବୁଠାରୁ ଭୟାନକ ଘଟଣା ସମ୍ପର୍କରେ ସାଂଘାତିକ ଖୁଲାସା କରିଛନ୍ତି । ୨୦୨୫ ଜାନୁଆରୀ ମାସରେ ସୈଫ୍ଙ୍କ ଉପରେ ହୋଇଥିବା ଛୁରାମାଡ଼ ଘଟଣାକୁ ମନେ ପକାଇ ଉଭୟ ଏଥିରେ କଥା ହୋଇଛନ୍ତି । କରୀନା କହିଛନ୍ତି ଯେ, ସେହି ରାତିରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସୈଫ୍ଙ୍କୁ ହସ୍ପିଟାଲ୍ ନେବା ପାଇଁ ସେ ନାଇଟ୍ ଟି-ସାର୍ଟ ପିନ୍ଧି ଗୋଟିଏ ଅଟୋ-ରିକ୍ସା ପାଇଁ ରାସ୍ତାରେ ଆକୁଳ ହୋଇ ଚିତ୍କାର କରୁଥିଲେ। ସେହି ଘଟଣା ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସେ ସଠିକ୍ ଭାବେ ଶୋଇପାରିନଥିଲେ ବୋଲି କରୀନା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ସୈଫ୍ ନିଜର ସାନ ପୁଅ ଜେହ୍କୁ ବଞ୍ଚାଇବା ପାଇଁ ଆକ୍ରମଣକାରୀ ସହ ସାହସର ସହ ଲଢ଼େଇ କରିଥିଲେ ଏବଂ ଏହି ସଂଘର୍ଷ ସମୟରେ ଆକ୍ରମଣକାରୀ ତାଙ୍କୁ ପ୍ରାୟ ୧୦ ଥର ଛୁରୀରେ ଆଘାତ କରିଥିଲାବୋଲି ମତ ଦେଇଛନ୍ତି । ପୂରା ଘଟଣାଟି ତାଙ୍କ ସାନପୁଅ ଜେହ୍ ଆଖି ଆଗରେ ଘଟିଥିବାରୁ, ସେ ନିଜ ବାପାଙ୍କୁ ଜଣେ ସୁପରମ୍ୟାନ ଭାବେ ଦେଖୁଛନ୍ତି ଏବଂ ଘଟଣା ପରେ ସୈଫ୍ଙ୍କୁ ଏକ ପ୍ଲାଷ୍ଟିକ୍ ଖଣ୍ଡା ଦେଇ ପୁଣି ଚୋର ଆସିଲେ ଏହାକୁ ବ୍ୟବହାର କରିବାକୁ କହିଥିବା ସୈଫ୍ କହିଛନ୍ତି । ଉକ୍ତ ରାତିକୁ କରୀନା ଜୀବନରେ କେବେ ବି ଭୁଲି ପାରିବେ ନାହିଁ ବୋଲି ମତ ଦେଇଛନ୍ତି ।




