କ୍ୟାରିୟରରେ ପଡିବ କି ପୂର୍ଣ୍ଣଛେଦ
ପ୍ରୟାଗରାଜ କୁମ୍ଭମେଳାରୁ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥିବା ମୋନାଲିସା ଭୋସଲେଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହିଁ ଶେଷ ହେବା ପରିସ୍ଥିତି ସୃଷ୍ଟି ହୋଇଛି । କେରଳର କୋଚିଠାରେ ଏକ ପ୍ରେସ୍ କନଫରେନ୍ସ କରି ମୋନାଲିସା ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ 'ଦି ଡାଏରୀ ଅଫ୍ ମଣିପୁର' ଫିଲ୍ମ ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କୁ ଅନେକ ଥର ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲେ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ମଧ୍ୟ ସେମାନେ ମୋନାଲିସାଙ୍କୁ ସାହାଯ୍ୟ କରିନଥିଲେ । ଏହା ସହିତ ମୋନାଲିସାଙ୍କ ସ୍ୱାମୀ ଫରମାନ ଖାନଙ୍କୁ ନିର୍ଦ୍ଦେଶକ ଜଣକ 'ଆତଙ୍କବାଦୀ' କହିବା ସହ ସେମାନଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବାରୁ ସେମାନେ କେନ୍ଦ୍ର ସରକାର, କେରଳ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ପାଖରୁ ସୁରକ୍ଷା ମାଗିଛନ୍ତି । ତେବେ ପ୍ରଥମ ଫିଲ୍ମକୁ ନେଇ ଏଭଳି ବିବାଦ ଉପୁଜିଥିବାରୁ ତାଙ୍କ କ୍ୟାରିୟର ଏବେ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛିବୋଲି ଆଲୋଚନା ହେଉଛି । ସୁରକ୍ଷା ଓ ନ୍ୟାୟ ନମିଳିଲେ ଦମ୍ପତି ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ କୁମ୍ଭମେଳାରେ ଭାଇରାଲ ହେବାପରେ ମୋନାସିଲାଙ୍କୁ 'ଦି ଡାଏରୀ ଅଫ୍ ମଣିପୁର' ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ଫିଲ୍ମଟି ଖୁବ ଶୀଘ୍ର ରିଲିଜ ହେବାକୁ ଥିବା ସମୟରେ ହିଁ ମୋନାଲିସା ନିଜର ମୁସଲିମ ବନ୍ଧୁଙ୍କୁ ବିବାହ କରିଥିଲେ । ଯାହାପରେ ନିର୍ଦ୍ଦେଶକ ଫିଲ୍ମର ରିଲିଜ୍କୁ ଘୁଞ୍ଚାଇଥିଲେ, ବର୍ତ୍ତମାନ ଫିଲ୍ମଟି ରିଲିଜ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ।



