ଫ୍ଲପ ହେବ ନା ହିଟ୍

ଫ୍ଲପ ହେବ ନା ହିଟ୍
Ipsita Picture
By: Ipsita
Published On

 

ଏକଦା ବକ୍ସ ଅଫିସରେ ସଫଳତାର ପତାକା ଉଡ଼ାଉଥିବା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ 'ଭାରତ ଭାଗ୍ୟ ବିଧାତା' ଆସନ୍ତା ଜୁନ୍ ୧୨ ରେ ରିଲିଜ ହେବ । ହେଲେ ଏହାର ବ୍ୟବସାୟିକ ସଫଳତାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି କଙ୍ଗନାଙ୍କ ନିକଟରେ ଅନେକ ଫିଲ୍ମ ଫ୍ଲପ ହେବା ଏବଂ ଜୁନ୍ ୧୨ ତାରିଖରେ ବକ୍ସ ଅଫିସରେ ଫିଲ୍ମସହ ହେବାକୁ ଥିବା ବଡ଼ ଟକ୍କର । ସୂଚନା ଅନୁସାରେ କଙ୍ଗନାଙ୍କ ଗତ ପାଞ୍ଚଟି ଚଳଚ୍ଚିତ୍ର ଯଥା— 'ଏମରଜେନ୍ସି' (୨୦୨୫), 'ତେଜସ' (୨୦୨୩), 'ଚନ୍ଦ୍ରମୁଖୀ ୨', 'ଧାକଡ଼' (୨୦୨୨) ଏବଂ 'ଥଲାଇଭି' (୨୦୨୧) ବଜେଟ୍ ତୁଳନାରେ ବହୁତ କମ୍ ରୋଜଗାର କରି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ । ଏଭଳି ସ୍ଥିତିରେ 'ଭାରତ ଭାଗ୍ୟ ବିଧାତା' ରିଲିଜ୍ ଦିନ ହିଁ ବଲିଉଡର ଅନ୍ୟ ତିନୋଟି ବଡ଼ ଫିଲ୍ମଇମତିଆଜ୍ ଅଲୀଙ୍କ 'ମୈଁ ୱାପସ ଆଉଙ୍ଗା', ମନୋଜ ବାଜପେୟୀଙ୍କ 'ଗଭର୍ଣ୍ଣର: ଦ ସାଇଲେଣ୍ଟ ସେଭିୟର' ଏବଂ ବିକ୍ରମ ଭଟ୍ଟଙ୍କ 'ହଣ୍ଟେଡ୍ ଥ୍ରିଡି: ଇକୋଜ୍ ଅଫ୍ ଦି ପାଷ୍ଟ' ସହ ସିଧାସଳଖ ମୁହାଁମୁହିଁ ହେବାକୁ ଯାଉଛି । କେବଳ ସେତିକି ନୁହେଁ, ପୂର୍ବରୁ ହଲରେ ଚାଲୁଥିବା 'ପେଡ୍ଡୀ' ଓ 'ହୈ ଜୱାନୀ ହୈ ତୋ ଇସ୍କ ହୋନା ହୈ' ସହିତ ଜୁନ୍ ମାସର ପରବର୍ତ୍ତୀ ସପ୍ତାହଗୁଡ଼ିକରେ ରିଲିଜ୍ ହେବାକୁ ଥିବା 'କକଟେଲ୍ ୨' ଏବଂ ଅକ୍ଷୟ କୁମାରଙ୍କ 'ୱେଲକମ୍ ଟୁ ଦ ଜଙ୍ଗଲ' ଭଳି ବଡ଼ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟ ଏହି ଫିଲ୍ମ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବେ । ତେବେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସତ୍ୟ ଘଟଣା ଉପରେ ଆଧାରିତ ପେନ୍ ଷ୍ଟୁଡିଓଜ୍ ପ୍ରସ୍ତୁତ ଏହି ସିନେମାରେ କଙ୍ଗନା ଜଣେ ନର୍ସ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ତାଙ୍କ ସହ ଗିରିଜା ଓକ୍, ସ୍ମିତା ତାମ୍ବେ, ଅମୃତା ନାମଦେବ, ଈଶା ଡେ, ପ୍ରିୟା ବେର୍ଡେ ଏବଂ ଆଶା ଶେଲାର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମର ଭାଗ୍ୟ ରିଲିଜ ପରେ ହିଁ ଜଣା ପଡିବ ।

Tags: