କିଏ ହେବ ମଧୁବାଲା
ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ନିର୍ମିତ ହେବାକୁ ଥିବା ବାୟୋପିକକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ତେବେ ନିକଟରେ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ 'ସୈୟାରା' ଫେମ୍ ଅଭିନେତ୍ରୀ ଅନୀତ ପଡ୍ଡା ଏହି ଚଳଚ୍ଚିତ୍ରରେ ମଧୁବାଲାଙ୍କ ଭୂମିକା ନିଭାଇବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନର ସୂଚନା ଅନୁଯାୟୀ ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଗୁଜବ। ବର୍ତ୍ତମାନ ସୁଦ୍ଧା ଫିଲ୍ମର କାଷ୍ଟିଂ ପ୍ରକ୍ରିୟାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ଏବଂ ଏବେ ମଧ୍ୟ ମେକର୍ସ ଏହି ପ୍ରୋଜେକ୍ଟପାଇଁ ହିରୋଇନ ସନ୍ଧାନରେ ଅଛନ୍ତି । ପୂର୍ବରୁ ମଧ୍ୟ ମଧୁବାଲାଙ୍କ ପରି ଏକ ଆଇକନିକ୍ ଚରିତ୍ର ପାଇଁ ଦୀପିକା ପାଦୁକୋନ, କଙ୍ଗନା ରଣାୱତ, ମାଧୁରୀ ଦୀକ୍ଷିତ ଏବଂ କିୟାରା ଆଡଭାନୀଙ୍କ ଭଳି ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ନାମ ଆସିଥିଲେ ହେଁ କୌଣସି ନାମ ଉପରେ ମୋହର ବାଜି ନାହିଁ। ଯାହା ଫଳରେ ଏହି ଆଇକନିକ ଚରିତ୍ରରେ କାହାକୁ ଦେଖିବାକୁ ମିଳିବ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି। ଭାରତୀୟ ସିନେମାର ସବୁଠାରୁ ସୁନ୍ଦରୀ ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ଭାବେ ପରିଚିତ ମଧୁବାଲା ନିଜ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କର 'ମୁଗଲ-ଏ-ଆଜମ' ଆଜି ବି ବିଶ୍ୱ ସିନେମାର ଏକ ଅନନ୍ୟ କୃତି ଭାବେ ବିବେଚିତ ହୋଇଥାଏ । ତେଣୁ ତାଙ୍କ ଜୀବନୀକୁ ପରଦାରେ ଦେଖିବାକୁ ଫିଲ୍ମ ପ୍ରେମୀମାନେ ବହୁତ ଆଶାବାଦୀ ଅଛନ୍ତି। ସେହିଭଳି ସଠିକ୍ ସମୟ ଆସିଲେ ହିଁ ଏହି ମେଗା ପ୍ରୋଜେକ୍ଟର କାଷ୍ଟିଂ ଏବଂ ଅନ୍ୟାନ୍ୟ ସବିଶେଷ ତଥ୍ୟ ଆନୁଷ୍ଠାନିକ ଭାବେ ସାର୍ବଜନୀନ କରିବେ ବୋଲି ମେକର୍ସଙ୍କ ପକ୍ଷରୁ ସୂଚନା ମିଳିଛି ।



