ସାଇଙ୍କୁ ଅପେକ୍ଷା

ସାଇଙ୍କୁ ଅପେକ୍ଷା
Ipsita Picture
By: Ipsita
Published On

 

ନିଜର ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚିତ ଥିବା ସାଇ ପଲ୍ଲବୀ ବର୍ତ୍ତମାନ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଖୁବଶୀଘ୍ର ତାଙ୍କୁ ବଲିଉଡର ମେଗା ପ୍ରୋଜେକ୍ଟ ରାମାୟଣରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ମାଆ ସୀତାଙ୍କ ଚରିତ୍ରରେ ନଜର ଆସିବେ ।

ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଏବଂ ମେଗା ବଜେଟ୍ ଚଳଚ୍ଚିତ୍ର 'ରାମାୟଣ'ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁରଙ୍କ ସହ ମା' ସୀତାଙ୍କ ଚରିତ୍ରରେ ସାଈ ପଲ୍ଲବୀ ନଜର ଆସିବେ । ତେବେ ଏହି ପ୍ରୋଜେକ୍ଟଟି ତାଙ୍କ ବୃତ୍ତିଗତ ଜୀବନରେ ଅନ୍ୟତମ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଲୋଚନା ଜାରି ରହିଛି । ୧୯୯୨ ମସିହା ମେ ୯ ତାରିଖରେ ତାମିଲନାଡୁର କୋଟାଗିରିରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସାଈ ପଲ୍ଲବୀ ସେନ୍ତାମରାଇଙ୍କ ଜୀବନ କାହାଣୀ ଖୁବ ରୋମାଞ୍ଚକର । ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ସାଈଙ୍କର ଶୈଶବରୁ ନୃତ୍ୟ ପ୍ରତି ଗଭୀର ଦୁର୍ବଳତା ଥିଲା । ତେବେ ସେ କୌଣସି ପ୍ରାତିଷ୍ଠାନିକ ନୃତ୍ୟ ତାଲିମ ନେଇନଥିଲେ, କେବଳ ମା'ଙ୍କ ପ୍ରେରଣା ଏବଂ ନିଜର ଆଗ୍ରହ ବଳରେ ସେ ୨୦୦୮ରେ ନୃତ୍ୟ ରିଆଲିଟି ସୋ 'ଉଙ୍ଗଲିଲ ପ୍ରଭୁଦେବା' ଏବଂ 'ଡାନ୍ସ ଇଣ୍ଡିଆ ଡାନ୍ସ' ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ତେବେ ଚଳଚ୍ଚିତ୍ର ଜଗତରେ ନିଜର ସ୍ଥାନ ପକ୍କା କରିବା ସାଈଙ୍କ ପାଇଁ ଆଦୌ ସହଜ ନଥିଲା ।  ସାଈଙ୍କର ଆଉ ଏକ ପରିଚୟ ହେଲା ତାଙ୍କ ସୌନ୍ଦର୍ଯ୍ୟ । ସେ ସବୁବେଳେ ପ୍ରାକୃତିକ ଲୁକ ଯାହା ( ବିନା ମେକଅପ ) ରେ ନଜର ଆସିଥାଆନ୍ତି । ଗ୍ଲାମର, ମେକଅପ୍, ଏବଂ ବାହ୍ୟ ଚେହେରାକୁ ପ୍ରାଧାନ୍ୟ ଦେଉଥିବା ଆଜିର ଗ୍ଲାମରସ ଦୁନିଆରେ ନିଜର ପ୍ରାକୃତିକ ଚେହେରା, ମୁହଁର ବ୍ରଣ  ଏବଂ ସାଧାରଣ ପୋଷାକକୁ ନେଇ ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ଆକ୍ଷେପ ଓ ସଂଘର୍ଷର ସାମ୍ନା କରିଥିଲେ। ସମସ୍ତ ପ୍ରତିକୂଳତାକୁ ଏଡ଼ାଇ ୨୦୧୫ ମସିହାରେ ମାଲାୟାଲମ୍ ସିନେମା 'ପ୍ରେମମ୍'ରେ 'ମଲାର୍' ଚରିତ୍ର ମାଧ୍ୟମରେ ସେ ଯେଉଁ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ, ତାହା ରାତିରାତି ତାଙ୍କୁ ଷ୍ଟାର ବନେଇଥିଲା । ଏହା ତାଙ୍କୁ ସାରା ଦେଶରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ଦେଇଥିଲା । ଏହାପରେ 'ଫିଦା', 'ଗାର୍ଗୀ', 'ଶ୍ୟାମ ସିଂହା ରୋୟ' ଏବଂ 'ଲଭ୍ ଷ୍ଟୋରୀ' ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ନିଜର ଜୀବନ୍ତ ଅଭିନୟ ଏବଂ 'ରାଉଡି ବେବି' ଗୀତରେ ନିଜର ନୃତ୍ୟଶୈଳୀ ଦ୍ୱାରା ସେ ସମଗ୍ର ଭାରତୀୟ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। କେବଳ ସଫଳତା ନୁହେଁ, ନିଜର ନୋ ଗ୍ଲାମର କମିଟମେଣ୍ଟ ପାଇଁ ସେ ସଦାସର୍ବଦା ଜଣାଶୁଣା । କୋଟି କୋଟି ଟଙ୍କାର ସୌନ୍ଦର୍ଯ୍ୟ ବର୍ଦ୍ଧକ କ୍ରିମ୍ ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ସେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଥିବା ବିଶ୍ୱାସର ପରିଚୟ ଦେଇଛନ୍ତି । ଚର୍ମର ରଙ୍ଗ କିମ୍ବା ମେକଅପ୍ ନୁହେଁ, ବରଂ ଜୀବନ୍ତ ଅଭିନୟ ଓ ଦୃଢ଼ ବ୍ୟକ୍ତିତ୍ୱ ହିଁ ଜଣେ କଳାକାରଙ୍କ ପ୍ରକୃତ ପରିଚୟ  ଏହାକୁ ସେ ପ୍ରମାଣିତ କରିଛନ୍ତି । ତେଣୁ ଆଗକୁ ତାଙ୍କୁ ସୀତା ଭୂମିକାରେ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି ।

Tags: