ଭଏସ ଆର୍ଟିଷ୍ଟରୁ ଅଭିନେତ୍ରୀ

ଭଏସ ଆର୍ଟିଷ୍ଟରୁ ଅଭିନେତ୍ରୀ
Ipsita Picture
By: Ipsita
Published On

 

ଅଭିନୟ କରିବାର ଥିଲେ ଯେ କୌଣସି ପରଦାବି ଅଭିନେତକୁ ପରିଚୟ ଦେଇଥାଏ ବୋଲି ମତ ଦେଇଛନ୍ତି ଟେଲିଷ୍ଟାର ସମୃଦ୍ଧି ଶୁକ୍ଳା । ଜଣେ ଭଏସ୍ ଆର୍ଟିଷ୍ଟରୁ ଅଭିନେତ୍ରୀ ହେବାର ଏହି ଯାତ୍ରା ତାଙ୍କର ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ଦେଖିବାକୁ ମିଳିଛି ।

ଭାରତୀୟ ଟେଲିଭିଜନ ଜଗତର ଜଣେ ଉଦୀୟମାନ ତାରକା ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ସମୃଦ୍ଧି ଶୁକ୍ଳାଙ୍କ କାହାଣୀ  ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ସମୃଦ୍ଧିଙ୍କର ଏହି ଗ୍ଲାମର ଦୁନିଆକୁ ଯାତ୍ରା ସାଧାରଣ ଅଭିନେତ୍ରୀଙ୍କ ଭଳି ସହଜ ନଥିଲା। ସେ ଜଣେ ଅଭିନେତ୍ରୀ ହେବା ପୂର୍ବରୁ ନିଜର କ୍ୟାରିୟର ମାତ୍ର ୧୪-୧୫ ବର୍ଷ ବୟସରୁ ଜଣେ ବୃତ୍ତିଗତ ଭଏସ୍-ଓଭର ଆର୍ଟିଷ୍ଟଭାବେ ଆରମ୍ଭ କରିଥିଲେ। ତାଙ୍କର ସ୍ୱରର ଯାଦୁ ଆଜି ମଧ୍ୟ ଅନେକ ଲୋକପ୍ରିୟ କାର୍ଟୁନ୍ ଶୋଯଥା 'ଡୋରେମନ୍' ଏବଂ ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଯଥା 'ମର୍ଟାଲ୍ କୋମ୍ବାଟ୍' ଓ 'ଦି କ୍ରୁଡ୍ସ' ର ହିନ୍ଦୀ ସଂସ୍କରଣରେ ଶୁଣିବାକୁ ମିଳେ। ଏହି ଡବିଂ ଦୁନିଆ ତାଙ୍କୁ ଶବ୍ଦର ସୂକ୍ଷ୍ମତା ଏବଂ ଭାବପ୍ରବଣତାକୁ ବୁଝିବାରେ ବହୁତ ସାହାଯ୍ୟ କରିଥିଲା, ଯାହା ପରବର୍ତ୍ତୀ ସମୟରେ ତାଙ୍କ ଅଭିନୟ ଶୈଳୀକୁ ଅଧିକ ପ୍ରଭାବଶାଳୀ କରିଥିଲା ।

ସମୃଦ୍ଧିଙ୍କ ଅଭିନୟ କ୍ୟାରିୟରର ମୂଳଦୁଆ ଓଡ଼ିଶାରୁ ହିଁ ପଡ଼ିଥିଲା ।  ସେ ହିନ୍ଦୀ ଟେଲିଭିଜନରେ ପାଦ ଥାପିଥିଲେ ଏବଂ କଲର୍ସ ଟିଭିର 'ସାଭି କି ସବାରୀ'ରେ ଜଣେ ମହିଳା ଅଟୋ ଚାଳିକାର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହେଲେ । ତେବେ ତାଙ୍କ ଜୀବନର ସବୁଠାରୁ ବଡ଼ ମୋଡ଼ ଆସିଥିଲା ଯେତେବେଳେ ଷ୍ଟାର୍ ପ୍ଲସର ସବୁଠାରୁ ଲୋକପ୍ରିୟ ଧାରାବାହିକ 'ୟେ ରିଶ୍ତା କ୍ୟା କେହଲାତା ହୈ' ର ଚତୁର୍ଥ ପିଢ଼ିରେ ତାଙ୍କୁ ମୁଖ୍ୟ ନାୟିକା 'ଅଭିରା' ଭୂମିକା ପାଇଁ ମନୋନୀତ କରାଗଲା। ହିନା ଖାନ ଓ ଶିବାଙ୍ଗୀ ଯୋଶୀଙ୍କ ଭଳି ବଡ଼ କଳାକାରଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ପ୍ରମାଣିତ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା, କିନ୍ତୁ ସମୃଦ୍ଧି ନିଜର ନିଚ୍ଛକ ଅଭିନୟ ଏବଂ ଚମତ୍କାର ବ୍ୟକ୍ତିତ୍ୱ ବଳରେ ଅଳ୍ପ ଦିନରେ ଦର୍ଶକଙ୍କ ମନକୁ ଜିଣିବାରେ ସଫଳ ହୋଇପାରିଥିଲେ । ଏହା ସହ ତାଙ୍କୁ ଅନେକ ବଡବଡ ପ୍ରୋଜେକ୍ଟର ଭଏସ ଆର୍ଟିଷ୍ଟ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା ଏବଂ ଯାହାକୁ ସେ ଖୁବ ସୁନ୍ଦର ଭାବେ ତୁଲାଇ ମଧ୍ୟ ଥିଲେ । ବ୍ୟକ୍ତିଗତ ଜୀବନରେ ସମୃଦ୍ଧି ଜଣେ ଅତ୍ୟନ୍ତ ସରଳ, ଶିକ୍ଷିତ ଏବଂ ପରିବାରପ୍ରିୟ ଯୁବତୀ । ସେ ନିଜର କ୍ୟାରିୟର ଭିତରେ  ମଧ୍ୟ ନିଜର ଶିକ୍ଷା ଓ ପରିବାରକୁ ଗୁରୁତ୍ୱ ଦିଅନ୍ତି । ଅନେକ ସଂଘର୍ଷ ଏବଂ ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ସେ କେବେ ହାର୍ ମାନିନଥିଲେ । ତାଙ୍କର ଏହି ସଫଳତା ଦର୍ଶାଉଛି ଯେ, ଯଦି କାହା ପାଖରେ କଠିନ ପରିଶ୍ରମ ଓ ଧୈର୍ଯ୍ୟ ରହିଛି, ତେବେ ସେ ଯେକୌଣସି ଶିଖରରେ ପହଞ୍ଚିପାରିବ । ଆଜି ସମୃଦ୍ଧି ଶୁକ୍ଳା କେବଳ ଜଣେ ସଫଳ ଅଭିନେତ୍ରୀ ନୁହଁନ୍ତି, ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଜଣେ ପ୍ରକୃତ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଛନ୍ତି ।

Tags: