ଭର୍ସାଟାଇଲ ରଚିତା
ଏକାଧୀକ ଭାଷାରେ ଅଭିନୟ କରି ନିଜ ପାଇଁ ଇଣ୍ଡଷ୍ଟ୍ରୀରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ରଚିତା ରାମ । ନିକଟରେ ତାଙ୍କୁ ଏକାଧିକ ହିଟ ଫିଲ୍ମରେ ଦେଖିବାକୁ ମିଳିଛି । ତେବେ ଖୁବଶୀଘ୍ର ତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଦେଖିବାକୁ ମିଳିବ, ଯାହାକୁ ନେଇ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି ।
ଟଲିଉଡର ମେଗାଷ୍ଟାର ଚିରଞ୍ଜୀବୀଙ୍କ ବହୁପ୍ରତିକ୍ଷିତ ଆଗାମୀ ଚଳଚ୍ଚିତ୍ର ମେଗା ୧୫୮କୁ ନେଇ ସିନେ ଜଗତରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଆକ୍ସନ ଓ ଇମୋସନାଲ ଡ୍ରାମା ଭିତ୍ତିକ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ କନ୍ନଡ଼ ଅଭିନେତ୍ରୀ ରଚିତା ରାମଙ୍କୁ ଚୟନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମାଲାୟାଲମ୍ ଅଭିନେତ୍ରୀ ହନି ରୋଜ୍ ଏହି ଚରିତ୍ର କରିବାର ଥିଲେ ମଧ୍ୟ ଏବେ ତାଙ୍କ ସ୍ଥାନରେ ରଚିତାଙ୍କୁ ସାମିଲ କରାଯାଇଛି । ନିଜର ପ୍ରାରମ୍ଭିକ ଜୀବନରେ ଅନେକ ସଂଘର୍ଷ, ପାରିବାରିକ ଆହ୍ୱାନ ଏବଂ କଠିନ ପରିଶ୍ରମ ମଧ୍ୟ ଦେଇ ଗତି କରିଥିବା ରଚିତା ରାମ କନ୍ନଡ଼ ସିନେମାରେ ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଏହାସହ ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର 'କୁଲି'ରେ 'କଲ୍ୟାଣୀ ଦିଲୀପ' ଚରିତ୍ରରେ ଦମଦାର ଅଭିନୟ କରି ତାମିଲ ସିନେ ଜଗତରେ ଏକ ଶାନଦାର ଡେବ୍ୟୁ ସହ ବଡ଼ ସଫଳତା ହାସଲ କରିଛନ୍ତି । ବ୍ଲକବଷ୍ଟର 'ୱାଲଟେୟାର ବୀରୟା' (୨୦୨୩) ପରେ ନିର୍ଦ୍ଦେଶକ ବବି କୋଲି ଏବଂ ଚିରଞ୍ଜୀବୀଙ୍କ ଏହା ଦ୍ୱିତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି । ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ଥମନ ଏସ୍ ସଙ୍ଗୀତ ଦେଉଥିବା ବେଳେ ଅଭିନେତ୍ରୀ ଅନଶ୍ୱରା ରାଜନ ମେଗାଷ୍ଟାରଙ୍କ ଝିଅ ଭୂମିକାରେ ନଜର ଆସିବେ । ନିଜର ବ୍ୟକ୍ତିଗତ ଜୀବନକୁ ସର୍ବଦା ଲାଇମଲାଇଟ୍ରୁ ଦୂରେଇ ରଖୁଥିବା ରଚିତା ରାମଙ୍କ ପାଇଁ ଏହି ମେଗା ପ୍ରୋଜେକ୍ଟ ଏକ ବଡ଼ ମାଇଲଖୁଣ୍ଟ ସଦୃଶ ହେବ । ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବେ କନ୍ନଡ଼ ଓ ତାମିଲ ପରେ ଏବେ ତେଲୁଗୁ ସିନେମାରେ ଚିରଞ୍ଜୀବୀଙ୍କ ଭଳି ମହାନ କଳାକାରଙ୍କ ସହ ସ୍କ୍ରିନ ଶେୟାର ରଚିତାଙ୍କ କ୍ୟାରିୟରର ସଫଳତାକୁ ଏକ ନୂଆ ଶିଖର ପ୍ରଦାନ କରିଛି। କନ୍ନଡ଼ ଚଳଚ୍ଚିତ୍ର ଜଗତରେ 'ଡିମ୍ପଲ୍ କୁଇନ୍' ଭାବେ ବେଶ୍ ଜଣାଶୁଣା ରଚିତାଙ୍କର ସିନେମା ଜଗତର ସଫଳତା ପଛରେ ରହିଛି କଠିନ ସଂଘର୍ଷର ଏକ ଲମ୍ବା କାହାଣୀ । ଏକ ପାରମ୍ପରିକ କଳାକାର ପରିବାରରୁ ଆସିଥିବା ରଚିତା ଜଣେ ପ୍ରଶିକ୍ଷିତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏବଂ ତାଙ୍କ ପିତା ମଧ୍ୟ ଜଣେ ନୃତ୍ୟଶିଳ୍ପୀ ଥିଲେ । ସିନେମା ଜଗତରେ ପ୍ରବେଶ କରିବା ପୂର୍ବରୁ ସେ ପ୍ରାୟ ତିନି ବର୍ଷ ଧରି କନ୍ନଡ଼ ଟେଲିଭିଜନର ସୁପରହିଟ୍ ମେଗା ସିରିଏଲ୍ 'ଅରସି'ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ, ୨୦୧୩ ମସିହାରେ ସେ କନ୍ନଡ଼ ସୁପରଷ୍ଟାର ଦର୍ଶନଙ୍କ ବିପକ୍ଷରେ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବୁଲବୁଲ୍' ପାଇଁ ପ୍ରାୟ ୧୦୦ ଜଣ ଆଶାୟୀ ଅଭିନେତ୍ରୀଙ୍କୁ ପଛରେ ପକାଇ ଅଡିସନ ମାଧ୍ୟମରେ ମନୋନୀତ ହୋଇଥିଲେ, ଯାହା ତାଙ୍କ କ୍ୟାରିୟରକୁ ଏକ ବଡ଼ ବ୍ରେକ୍ ଦେଇଥିଲା । ଏହାପରେ 'ଦିଲୱାଲା', 'ରନ୍ନ', 'ଭରଜରୀ' ଏବଂ 'ଆୟୁଷ୍ମାନ ଭବ' ଭଳି ଅନେକ ସୁପରହିଟ୍ ସିନେମା ଦେଇ ସେ କନ୍ନଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିଲେ । ନିଜର ବ୍ୟକ୍ତିଗତ ଜୀବନରେ ସରଳ ଏବଂ ସ୍ପଷ୍ଟବାଦୀ ରଚିତା ଅଭିନେତ୍ରୀ ହେବା ସହ ଜଣେ ସଫଳ ରିଆଲିଟି ସୋ ବିଚାରପତି ଭାବେ ମଧ୍ୟ ପରିଚିତ । ବର୍ତ୍ତମାନ କନ୍ନଡ଼ ବ୍ୟତୀତ ସେ ସୁପରଷ୍ଟାର ରଜନୀକାନ୍ତଙ୍କ 'କୁଲି' ଜରିଆରେ ତାମିଲ ଏବଂ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସିନେମା ଚର୍ଚ୍ଚା ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ପାଦ ଥାପି ନିଜର ବୈଭବକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାକୁ ଯାଉଛନ୍ତି ।




