ଅଦିନେ ଅସ୍ତ
ବଲିଉଡରେ ଏଭଳି ଅନେକ ଷ୍ଟାର ଅଛନ୍ତି, ଯେଉଁମାନଙ୍କର ଜୀବନ ଯାତ୍ରା ଖୁବ କମ ସମୟ ହୋଇଥିଲେ ମଧ୍ୟ ସେମାନଙ୍କର କର୍ମଯାତ୍ରା ଖୁବ ଲମ୍ବା ହୋଇଥାଏ । ଖୁବ କମ ଦିନର କ୍ୟାରିୟରରେ ସେମାନେ ନିଜ ପାଇଁ ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିଥାଆନ୍ତି ଯାହା ତାଙ୍କୁ ମୃତ୍ୟୁପରେ ମଧ୍ୟ ଦର୍ଶକଙ୍କ ସ୍ମୃତିରେ ଜୀବନ୍ତ ରଖିଥାଏ । ଏଭଳି ଅନେକଷ୍ଟାରଙ୍କର ଲମ୍ବା ତାଲିକାରେ ବଡ ପରଦା ଠାରୁ ଆରମ୍ଭ କରି ଟେଲିଭିଜନର ଅନେକ କଳାକାର ସାମିଲ ଅଛନ୍ତି । ବର୍ଷ ପରେ ବର୍ଷ ଗଡିବାରେ ଲାଗିଛି, ଏବଂ ଏହି ସମୟରେ ଅନେକ ସେଲିବ୍ରିଟି ଇହଜଗତରୁ ବିଦାୟ ନେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏମାନଙ୍କ ମୃତ୍ୟୁରେ ଫ୍ୟାନମାନେ ଖୁବ ନିରାଶ ଓ ହତାଶ ହେଉଥିବାର ଦେଖିବାକୁ ମିଳିଥାଏ । ଏମାନଙ୍କ ହଠାତ୍ ମୃତ୍ୟୁ ସବୁବେଳେ ଜୀବନର ଅନିଶ୍ଚିତତାକୁ ସୂଚାଇଥାଏ । ସେହିଭଳି କିଛି କଳାକାର ତାଙ୍କର କ୍ୟାରିୟର ଆରମ୍ଭ କରିବା ସମୟରେ ହିଁ ଇହଜଗତରୁ ବିଦାୟ ନେଇଥାଆନ୍ତି । କେତୋଟି ହାତ ଗଣତି ଫିଲ୍ମରେ ସେମାନେ ନିଜର ଦମଦାର ଅଭିନୟ ଦେଖାଇଥାଆନ୍ତି । ଏହି କିଛି ଫିଲ୍ମରୁ ହିଁ ତାଙ୍କର ଅଭିନୟର ବଳିଷ୍ଠତା ନେଇ ଜଣାପଡିଥାଏ ହେଲେ ଏହି ଯାତ୍ରା ସେମାନଙ୍କର ଅଧୁରା ରହିଯାଇଛି । ଦର୍ଶକଙ୍କର ଅନେକ ଆଶା ଆଶାରେହିଁ ରହିଯାଇଛି । ନିଜ ପ୍ରିୟ କଳାକାରଙ୍କର ଶେଷ ଅଭିନୟକୁ ଶେଷ ବୋଲି ଜାଣିବା ଆଗରୁ ସେମାନେ ଆରପାରିକୁ ଚାଲିଯାଇଛନ୍ତି । ତେବେ ସେହିଭଳି କଳାକାରମାନେ ପଛରେ ଅନେକ କାହାଣୀ ଛାଡି ଯାଇଛନ୍ତି । ସେମାନଙ୍କର ପରିଶ୍ରମ, ଅଭିନୟ ପାଇଁ ଭଲପାଇବା, କିଛି କରି ଦେଖାଇବାର ଇଚ୍ଛା ଭଳି ଅନେକ କାହାଣୀ ଛାଡି ଯାଇଛନ୍ତି ଏହି କଳାକାରମାନେ । ଆସନ୍ତୁ ସେହିଭଳି କିଛି ସେଲିବ୍ରିଟିଙ୍କ କାହଣୀକୁ ବିସ୍ତୃତରେ ଜାଣିବା ।
ଦିବ୍ୟା ଭାରତୀ
ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ନାଁ ଆସିଲେ ପ୍ରଥମେ ନାଁ ଆସିଥାଏ ଦିବ୍ୟା ଭାରତୀଙ୍କର ନାଁ ଆଗରେ ଆସିଥାଏ । ୯୦ ଦଶକର ପ୍ରାରମ୍ଭରେ ଅନେକ ସଫଳ ହିନ୍ଦୀ ଏବଂ ତେଲୁଗୁ ଫିଲ୍ମରେ ସେ ଅଭିନୟ କରିଥିଲେ । ସେ ତାଙ୍କର କାର୍ଯ୍ୟ ପାଇଁ ଅଳ୍ପଦିନ ମଧ୍ୟରେ ଭାରତରେ ଲୋକପ୍ରିୟତା ହାସଲ କରିପାରିଥିଲେ ଏବଂ ଜଣେ ନାମୀ ଅଭିନେତ୍ରୀ ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ଦିବ୍ୟା ପିଲାଦିନରୁ ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ମାତ୍ର ୧୪ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ କିଛିଟା ବିଫଳତା ପରେ ସେ ୧୬ ବର୍ଷ ବୟସରେ ୧୯୯୦ ମସିହାରେ ତେଲୁଗୁ ଫିଲ୍ମ ବବିଲି ରାଜା ଜରିଆରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ତେଲୁଗୁ ଫିଲ୍ମ ଜଗତରେ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିସାରିବା ପରେ ଦିବ୍ୟା ୧୯୯୨ରେ ହିନ୍ଦୀ ଫିଲ୍ମ ବିଶ୍ୱାତ୍ମା ଚଳଚ୍ଚିତ୍ର ଜରିଆରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ଦିବ୍ୟା ଅଭିନେତା ଗୋବିନ୍ଦ ଏବଂ ଋଷି କପୁରଙ୍କ ଭଳି ଅଭିନେତାମାନଙ୍କ ସହ ସୋଲା ଓର ସାବନ ଏବଂ ଦିୱାନା ଭଳି ଫିଲ୍ମରେ ଅଭିନୟ କରିଥିଲେ । ସେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ନାୟିକା ପୁରସ୍କାର ମଧ୍ୟ ପାଇଥିଲେ । ସେ ୧୯୯୨ ଏବଂ ୧୯୯୩ରେ ୧୪ଟି ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ । ହେଲେ ଦିବ୍ୟାଙ୍କର ଏହି ଷ୍ଟାରଡମ ଖୁବ କମ ଦିନ ପାଇଁ ଥିଲା କାରଣ ୫ ଅପ୍ରେଲ ୧୯୯୩ରେ ମୁମ୍ବାଇଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭେରସୋଭା, ମୁମ୍ବାଇର ତୁଳସୀ ବିଲ୍ଡିଂସ୍ର ପାଞ୍ଚ ମହଲା ବାଲ୍କୋନୀରୁ ଦିବ୍ୟା ପଡ଼ିଯାଇଥିଲେ, ଯାହା ଫଳରେ ତାଙ୍କର ମୁଣ୍ଡରେ ବହୁତ ଜୋର୍ରେ ଆଘାତ ଲାଗିଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ । ହେଲେ ଦିବ୍ୟାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । କିଛି ଏହାକୁ ହତ୍ୟା ବୋଲି ଅଭିଯୋଗ ମଧ୍ୟ ଆଣିଥିଲେ । ଦିବ୍ୟାଙ୍କର ଏହି ମୃତ୍ୟୁ ପଛରେ ଥିବା କୌଣସି ରହସ୍ୟ ମିଳିପାରି ନ ଥିଲା । ଏହା ଏକ ଦୁର୍ଘଟଣା କି ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ସଠିକ କିଛି ବି ଜଣା ପଡ଼ି ନ ଥିଲା । ଦିବ୍ୟାଙ୍କର ପିତାମାତା ଏହି ଘଟକୁ ଏକ ଦୁର୍ଘଟଣା କହିଥିଲେ ଏବଂ ମୁମ୍ବାଇ ପୋଲିସ ୧୯୯୮ରେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ତାଙ୍କର ଅନୁସନ୍ଧାନ ବନ୍ଦ କରିଥିଲେ । ଦିବ୍ୟାଙ୍କର ଜୀବନ ଯାତ୍ରା ଖୁବ କମ ଥିଲା, ମାତ୍ର ୧୯ ବର୍ଷରେ ସେ ମୃତ୍ୟୁବରଣ କରିଥିଲେ । ହେଲେ ୧୯ ବର୍ଷରେ ମଧ୍ୟ ଭାରତୀୟ ସିନେଜଗତରେ ତାଙ୍କୁ ଏଭଳି ସଫଳତା ମିଳିଥିଲା ଯାହା ଆଜି ବି ରହିଛି । ଆଜି ବି ତାଙ୍କର ଫ୍ୟାନମାନ ତାଙ୍କ ଫିଲ୍ମ ଦେଖିବାକୁ ଭଲ ପାଇଥାଆନ୍ତି ।
ମଧୁବାଲା
ଭାରତୀୟ ସିନେମାର ହିରୋଇନଙ୍କ ନାଁକୁ ନେଇ ଆଲୋଚନା ଆରମ୍ଭ ହେଲେ ପ୍ରଥମେ ସାମନାକୁ ଆସିଥାଏ ଅଭିନେତ୍ରୀ ମଧୁବାଲାଙ୍କ ନାଁ । ଯିଏ କିଛି ଦଶନ୍ଧି ଧରି ବଲିଉଡରେ ରାଜ କରିଥିଲେ । ଖୁବ କମ ବୟସରେ ସେ ନିଜ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଥିଲେ । ୧୯୩୩ରେ ଜନ୍ମିତ ମଧୁବାଲା ୧୯୫୦ ସମିହାରେ ବଲିଉଡର ସବୁଠାରୁ ଅଧିକ ଫିସ ନେଉଥିବା ଅଭିନେତ୍ରୀ ପାଲଟିଥିଲେ । ନିଜ କ୍ୟାରିୟରରେ ସେ ପାଖାପାଖି ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ତାଲିକାରେ ବିଭିନ୍ନ ପ୍ରକାରର ଫିଲ୍ମ ସାମିଲ ରହିଛି । ତେବେ ତାଙ୍କର ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟର କଳାକୁ ସମସ୍ତେ ଖୁବ ଭଲପାଇବା ଦେଉଥିଲେ । ମାତ୍ର ୮ବର୍ଷରେ ସେ ନିଜ ପରିବାର ସହିତ ମୁମ୍ବାଇକୁ ଆସିଥିଲେ । ପ୍ରଥମରୁ ସେ ଖୁବ ଛୋଟଛୋଟ ଚରିତ୍ରରୁ ନିଜର ଅଭିନୟର ଆରମ୍ଭ କରିଥିଲେ । ୧୯୪୨ରେ ବସନ୍ତ ଫିଲ୍ମରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏହାପରେ ୧୯୪୭ରେ ନିଲ କମଲ ତାଙ୍କ ଖୁବ ସଫଳତା ଦେଇଥିଲା । ଏହାପରେ ଲୋକତାଙ୍କୁ ଲିଡ ରୋଲରେ ପସନ୍ଦ କରିବାକୁ ଲାଗିଲେ । ଏହାପରେ ତାଙ୍କର ଅନେକ ଫିଲ୍ମ ଯେପରି ଅମର, ମହଲ, ବାଦଲ ଓ ତରାନା ଭଳି ଫିଲ୍ମରେ ରିଲିଜ ହୋଇଥିଲା । ଯେଉଁ ସବୁ ଫିଲ୍ମରେ ତାଙ୍କର ନିଖୁଣ ଓ ବଳିଷ୍ଠ ଅଭିନୟର ଝଲକ ଦର୍ଶକ ଦେଖିଥିଲେ । ଏହାପରେ ଆଉ ସେ ପଛକୁ ଫେରିନାହାନ୍ତି । ଅନେକ ଭଲଭଲ ଫିଲ୍ମ ଓ ଚରିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କର ମୁଗଲେ ଏ ଜାମ ଡ୍ରାମାରେ ଅନାରକଲ୍ଲୀ ଚରିତ୍ର ଆଜି ବି ଲୋକଙ୍କ ମନରେ ଜୀବନ୍ତ । ତେବେ ଏହି ମହାନ ଅଭିନେତ୍ରୀଙ୍କର ମୃତ୍ୟୁ ମାତ୍ର ୩୬ ବର୍ଷରେ ହୋଇଥିଲା । ତାଙ୍କର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ସେ ହୃତପିଣ୍ଡ ସମସ୍ୟାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ । ତେବେ ତାଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଥାଏ । ଆଜି ବି ସେ ବଲଉଡ ସିନେମାର ଛବିଭାବେ ସାରା ବଶ୍ବରେ ପରିଚିତ । ତାଙ୍କର ଜୀବନ ଠାରୁ ତାଙ୍କର କର୍ମ ଖୁବ ବଡ, ଯାହା ତାଙ୍କୁ ମୃତ୍ୟୁପରେ ବି ଦର୍ଶକଙ୍କ ହୃଦୟରେ ଜୀବନ୍ତ ରଖିଛି ।




