ଅକାଳ ବିୟୋଗ

ବଲିଉଡରେ ଏପରି ଅନେକ ପ୍ରତିଭା ଅଛନ୍ତି, ଯେଉଁମାନେ ଖୁବ୍ କମ୍ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି। କିନ୍ତୁ, ନିଜର ଏହି ସ୍ୱଳ୍ପ ଯାତ୍ରା ସମୟରେ ମଧ୍ୟ ସେମାନେ ନିଜର ନିଖୁଣ ଓ ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଅକାଳ ବିୟୋଗ
Ipsita Picture
By: Ipsita

ବଲିଉଡରେ ଏଭଳି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ହେଲେ ତାଙ୍କର ଏହି ସ୍ବଳ୍ପ ଯାତ୍ରା ସମୟରେ ମଧ୍ୟ ସେମାନେ ନିଜ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କର ନିଖୁଣ ବଳିଷ୍ଠ ଅଭିନୟକୁ ଆଜି ବି ଦର୍ଶକ ଝୁରି ହେଉଥିବାର ନଜିର ରହିଛି । ସେହିଭଳି କିଛି ଅଭିନେତାଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।

Read More ଗର୍ଭବତୀ କଥା ଗୁଜବ

ସିଲ୍କ ସ୍ମିତା

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଅଶୀ ଓ ନବେଦଶକର ଆରମ୍ଭରେ ଭାରତୀୟ ସିନେମାରେ ବୋଲ୍ଡ ନେସକୁ କିଭଳି ସ୍କ୍ରିନରେ ଖୁବ ଭଲ ନିଖୁଣ ଅନ୍ଦାଜରେ ପ୍ରତିପାଦିତ କରାଯାଇପାରିବ ତାକୁ ନେଇ ପରୀକ୍ଷାର ଆରମ୍ଭ ହେଉଥାଏ । ତେବେ ଏହି ସମୟରେ ସିଲ୍କ ସ୍ମିତାଙ୍କୁ ବୋଲ୍ଡ ଅନ୍ଦାଜର ଅଭିନେତ୍ରୀଭାବେ ଗଣା ଯାଉଥିଲା । ସ୍ମିତା କେବଳ ହିନ୍ଦୀ ନୁହେଁ ତାମିଲ, ତେଲୁଗୁ, କନ୍ନଡ, ମଲାୟଲମ ଭାଷାରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ନିଜ କ୍ୟାରିୟରରେ ସେ ପାଖାପାଖି ୪୫୦ଟି ଫିଲ୍ମରେ ଅଭିନୟ କରିଛନ୍ତି । ୧୯୭୯ରେ ତାମିଲ ଫିଲ୍ମ ସିଲ୍କରୁ ନିଜର କ୍ୟାରିୟର ସେ ଆରମ୍ଭ କରିଥିଲେ । ଏଥିରେ ଲିଡ୍ ରୋଲରେ ନଥିଲେ ହେଲେ ତାଙ୍କ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଥିଲା । ପ୍ରଥମେ ଜଣେ ଟଚ୍ଅପ ଆର୍ଟିଷ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସିଲ୍କ ସ୍ମିତା । ଏହାପରେ ଛୋଟଛୋଟ ଭୂମିକାରେ ଅଭିନୟ କରିବାପରେ ମଲାୟଲମ ଫିଲ୍ମ ଇନାୟେ ଥେଡ୍ଡିରେ ତାଙ୍କୁ ପ୍ରଥମେ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ କ୍ୟାରିୟରେ  ଅନେକ ବାଦ ବିବାଦ ଦେଖିବାକୁ ମିଳିଥିଲା । କିନ୍ତୁ ଦର୍ଶକଙ୍କ ହୃଦୟରେ ତାଙ୍କର କିଛି ଭିନ୍ନ ଛାପ ରହିଥିଲା । ତାଙ୍କର ଡ୍ୟାନ୍ସର ଅନେକ ଦିବାନା ରହିଥିଲେ । ସେ ଏକାଧିକ  ଡ୍ୟାନ୍ସ ନମ୍ବରରେ ନୃତ୍ୟକରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ନିଜର ବୋଲ୍ଡ ଡ୍ୟାନ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚିତ ଚେହେରା ପାଲଟୁଥିଲେ । ତେବେ ପରଦାରେ ଏତେ ହିଟ୍ ଓ ବୋଲ୍ଡ ଥିଲେ ମଧ୍ୟ ନିଜ ବାସ୍ତବ ଜୀବନରେ ଖୁବ ବିସାଦରେ ଥିଲେ ସେ । ଏପରିକି ସେ ୧୯୯୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ଆତ୍ମହତ୍ୟା କରିଥିବାନେଇ ସୂଚନା ମିଳିଥିଲା । ମାତ୍ର ୩୫ ବର୍ଷରେ ସେ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ଯାହାଫଳରେ ଇଣ୍ଡଷ୍ଟ୍ରୀ ଏକ ଭଲ କଳାକାର ସହିତ ନୃତ୍ୟଶିଳ୍ପୀଙ୍କୁ ହରାଇଥିଲା ।

Read More ନୂଆ ଯୋଡି

ଗୁରୁଦତ୍ତ

ଭାରତୀୟ ସିନେମାର ଜଣେ ଦିଗଜ୍ ଅଭିନେତା ଭାବେ ଗୁରୁଦତ୍ତଙ୍କର ରହିଛି ଭିନ୍ନ ପରିଚୟ । ତାଙ୍କର କେବଳ ନାଁ ହିଁ ତାଙ୍କ ପରିଚୟ ପାଇଁ ଖାପି ହୋଇଥାଏ । ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, କୋରିଓଗ୍ରାଫର ଭାବେ ରହିଛି ତାଙ୍କର ପରିଚୟ । ଭାରତୀୟ ସିନେମାର ସେ ଜଣେ ବିଶିଷ୍ଟ ସିନେମା ନିର୍ମାତା ଭାବେ ତାଙ୍କର ଖ୍ୟାତି ରହିଛି । ସେ ତାଙ୍କ କ୍ୟାରିୟରରେ ଖୁବ କମ ସିନେମା ଅର୍ଥାତ ୮ଟି ସିନେମା ପ୍ରସ୍ତୁତ କରିଛନ୍ତି ହେଲେ ସମସ୍ତ ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ଆଦୃତ ଲାଭ କରିଛି । ତାଙ୍କ ଫିଲ୍ମ ପାୟସ ଯାହା ୧୯୫୭ରେ ନିର୍ମାଣ ହୋଇଥିଲା, ଏହି ସିନେମାଟି ଟାଇମ୍ ମାଗାଜିନରେ ସ୍ଥାନ ପାଇଥିଲା । ଏହିଭଳି ଅନେକ ସିନେମା ତାଲିକାରେ ରହିଛି ଯାହା ଆନ୍ତର୍ଜାତୀୟ ସ୍ତରରେ ଆଦୃତି ଲାଭ କରିଛି । ୧୯୨୫ରେ ଜନ୍ମିତ ଗୁରୁଦତ୍ତଙ୍କର ଶ୍ରଦ୍ଧାନାମ ଭସନାଥ କୁମାର ଶିବଶଙ୍କର ପାଦୁକୋଣ ଥିଲା, ଯାହାପରେ ଗୁରୁଦତ୍ତ ହୋଇଥିଲା । ପିଲାଟିଦିନରୁ ନୃତ୍ୟ ଓ ନାଟକପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ତାଙ୍କର ପାଠପଢା ଉଦୟ ଶଙ୍କର ନୃତ୍ୟ ସ୍କୁଲରେ ହୋଇଥିଲା । ସେ ପ୍ରଥମେ ନିଜ କ୍ୟାରିୟର କୋରିଓଗ୍ରାଫରରୁ ଆରମ୍ଭ କରିଥିଲେ । ଏହାପରେ ତାଙ୍କର ଫିଲ୍ମ ଯାତ୍ରାର ଆରମ୍ଭ ହୋଇଥିଲା । ୧୯୪୫ରେ ଦତ୍ତ ବିଶ୍ରମ ବେଡକରଙ୍କର ଲଖରାନିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଏହି ଫିଲ୍ମରେ ତାଙ୍କ ଚରିତ୍ର ଖୁବ ଛୋଟ ଥିଲା । ଏହାପରେ ସେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ତାଙ୍କର ଫିଲ୍ମରେ ସୁପରଷ୍ଟାର ଦେବ ଆନନ୍ଦ ଆକ୍ଟିଂ ଡେବ୍ୟୁ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ତଥା ଲିଖିତ ବାଜି, ଜାଲ,ବାଜ, ପ୍ୟାସ ଫିଲ୍ମ ଖୁବ ଲୋକପ୍ରିୟ ହୋଇପାରିଥିଲା । ଏହି ତାଲିକାରେ ଆହୁରି ଅନେକ ଫିଲ୍ମ ଯେପରି ଆର ପାର, ମି. ଆଣ୍ଡ ମିସେସ ୫୫, କାଗଜ କେ ଫୁଲ ଆଦି ସାମିଲ ଅଛି । ଏଗୁଡିକୁ ସେ ପ୍ରଯୋଜନା ମଧ୍ୟ କରିଥିଲେ । ହେଲେ ଏହି ମହାନ ଫିଲ୍ମ ନିର୍ମାତା ତଥା ଅଭିନେତାଙ୍କ ଜୀବନ ଯାତ୍ରା ଖୁବ କମ ଦିନର ଥିଲା । ୧୯୬୪ ଅକ୍ଟୋବର ୧୦ରେ ଗୁରୁଦତ୍ତଙ୍କୁ ନିଜ ଘରେ ମରିପଡିଥିବାର ଦେଖିବାକୁ ମିଳିଥିଲା । ତେବେ ତାଙ୍କର ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ମୃତ୍ୟୁ ସମୟରେ ତାଙ୍କୁ ମାଚ୍ର ୪୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ତାଙ୍କର ଅନେକ ପ୍ରୋଜେକ୍ଟ ଅଧାରେ ରହିଯାଇଥିଲା, ଯେଉଁଗୁଡିକ ସେ ଅଧା କରି ରଖିଥିଲେ ।

==-098

ସୌନ୍ଦର୍ଯ୍ୟା

ତେଲୁଗୁ ଅଭିନେତ୍ରୀ ସୌନ୍ଦର୍ଯ୍ୟା ନିଜର ନିଖୁଣ ଅଭିନୟ ପାଇଁ ଖୁବ ପରିଚିତ । ତେଲୁଗୁ ସିନେମା ଇତିହାସରେ ତାଙ୍କ ନାଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଯାଇ ରଖାଯାଇଛି । ତେବେ କେବଳ ତେଲୁଗୁ ନୁହେଁ କନ୍ନଡ, ତାମିଲ, ହିନ୍ଦୀ, ମଲାୟଲମ ଫିଲ୍ମରେ ମଧ୍ୟ ତାଙ୍କ ସୁନ୍ଦର ଅଭିନୟର ଅନେକ ଫ୍ୟାନ ରହିଛନ୍ତି । ହିନ୍ଦୀର ସୂର୍ଯ୍ୟବଂଶମ ସିନେମା ପାଇଁ ସେ ଘରେଘରେ ପରିଚିତ । ୧୯୭୨ରେ ଜନ୍ମିତ ସୌନ୍ଦର୍ଯ୍ୟା ପିଲାଦିନୁ ନୃତ୍ୟ ଓ କଳା ପ୍ରତି ଆକର୍ଷିତ ଥିଲେ । ତାଙ୍କ କାର୍ଯ୍ୟ ପାଇଁ ଖୁବ କମ ଦିନର କ୍ୟାରିୟରେ ମଧ୍ୟ ତାଙ୍କୁ ଅନେକ ବଡବଡ ସମ୍ମାନରେ ସମ୍ମାନୀତ କରାଯାଇଛି । ନବେଦଶକର ପପୁଲାର ତେଲୁଗୁ ହିରୋଇନ ଭାବେ ତାଙ୍କ ନାଁ ତାଲିକାରେ ସବୁଠାରୁ ଆଗରେ ଆସିଥାଏ । ବେଙ୍ଗାଲୁରୁରେ ବଢିଥିବା ସୌନ୍ଦର୍ଯ୍ୟାଙ୍କର ବାପା ଜଣେ କନ୍ନଡ ସିନେମା ଲେଖକ ସହ ନିର୍ମାତା ମଧ୍ୟ ଥିଲେ । ତେଣୁ ପିଲାଦିନୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ସୌନ୍ଦର୍ଯ୍ୟାଙ୍କର ପ୍ରଥମ ଫିଲ୍ମ ଥିଲା କନ୍ନଡ ଫିଲ୍ମ ବା ନାନା ପ୍ରିଥିସୁ, ଯାହା ୧୯୯୨ରେ ରିଲିଜ ହୋଇଥିଲା । ଯାହା ଖୁବ ହିଟ ହୋଇଥିଲା । ଏହାପରେ ଆଉ ପଛକୁ ଫେରିନଥିଲେ ଏହି ଅଭିନେତ୍ରୀ । ଅନେକ ଫିଲ୍ମରେ ତାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିଥିଲା । ତାଙ୍କ ଫିଲ୍ମ ଆମ୍ମା ଡୋଙ୍ଗା, ସିପାୟି, ପବିତ୍ର ବନ୍ଧନମ, ଡୋଙ୍ଗତା, ଅରାଓ ପ୍ରଣାମ ଆଦି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ତାଙ୍କୁ ପୂରା ଭାରତରେ ସମସ୍ତ ଇଣ୍ଡଷ୍ଟ୍ରୀର ଲୋକ ଖୁବ ପସନ୍ଦ କରୁଥିଲେ । ତାଙ୍କୁ ସମସ୍ତେ ନିଜ ଫିଲ୍ମ ପାଇଁ ଲକି ଭାବୁଥିଲେ । ହେଲେ ଏହି ପ୍ରତିଭାବାନ ଅଭିନେତ୍ରୀଙ୍କର ଆୟୁଷ ଥିଲା ଖୁବ କମ । ୨୦୦୪ ମସିହାରେ ମାତ୍ର ୩୧ ବର୍ଷ ବୟସରେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସୁଶାନ୍ତ ସିଂହ ରାଜପୁତ

ଜଣେ ଭାରତୀୟ ଅଭିନେତା ଭାବେ ସୁଶାନ୍ତ ସିଂଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ଜଣେ ଟେଲି କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ଖୁବ କମ ଦିନରେ ସଫଳତାର ଶୀର୍ଷକୁ ଛୁଇଁ ପାରିଥିଲେ । ସୁଶାନ୍ତ ତାଙ୍କର ଅଭିନୟ ଜୀବନ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ଷ୍ଟାର ପ୍ଲସ୍ର ରୋମାଣ୍ଟିକ୍ ଡ୍ରାମା କିସ୍ ଦେଶ୍ ମେ ହୈ ମେରା ଦିଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରିବା ଆରମ୍ଭ କରିଥିଲେ । ତାଙ୍କ ଚରିତ୍ର ମାନବକୁ ଘରେଘରେ ଲୋକ ଜାଣିଥିଲେ । ଟେଲି ଭିଜନରେ ସଫଳତା ମିଳିବା ପରେ ୨୦୧୩ ମସିହାରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ ।  ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା କାଇ ପୋ ଚେ!, ଯାହା ପାଇଁ ସେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ସୁଦ୍ଧ୍ ଦେଶୀ ରୋମାନ୍ସ (୨୦୧୩), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (୨୦୧୫) ଭଳି ଫିଲ୍ମରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା ଫିଲ୍ମ ପିକେରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ସିଂ ରାଜପୁତ ୨୦୧୬ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍.ଏସ୍. ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ, ଯାହାପାଇଁ ସେ ଅନେକ ସଫଳତା ଓ ଲୋକପ୍ରିୟତା ସାଉଁଣ୍ଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ । ଏହାପରେ ତାଙ୍କ ଅଭିନୀତ ଫିଲ୍ମ କେଦାରନାଥ ଓ ୨୦୧୯ର ଚିଛୋରେ ବଡ଼ ବ୍ୟବସାୟିକ ସଫଳତା ପାଇବା ସହ ସେ ହିନ୍ଦୀ ଫିଲ୍ମ ଜଗତର ଆଗଧାଡ଼ିର କଳାକାର ଭିତରେ ଗଣା ହୋଇଥିଲେ । ଭାରତ ସରକାରଙ୍କ ନୀତି ଆୟୋଗ ତାଙ୍କୁ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଜ୍ଞାପନ ପାଇଁ ନିଯୁକ୍ତ କରିଥିଲେ । ସୁଶାନ୍ତ ଅଭିନୟ ବ୍ୟତୀତ କିଛି ସେବା ସଂସ୍ଥା ସହ ଜଡ଼ିତ ଥିଲେ ।  ସୁଶାନ୍ତ ଫର୍ ଏଜୁକେସନ୍  ଜରିଆରେ ଯୁବ ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ସାହାଯ୍ୟ କରୁଥିଲେ । ତେବେ ଏହି ପ୍ରତିଭାବାନ କଳାକାର ୨୦୨୦ ମସିହାର ଜୁନ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ମୁମ୍ବାଇରେ ବାଣ୍ଡ୍ରାସ୍ଥିତ ନିଜସ୍ୱ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାକୁ ନେଇ ବାଦ ବିବାଦ ଦେଖିବାକୁ ମିଳିଥିଲା । ଇଣ୍ଡଷ୍ଟ୍ରୀରେ ତାଙ୍କ ଭଳି ଉଦୀୟମାନ କଳାକାରଙ୍କ ମୃତ୍ୟୁରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।

ପ୍ରତ୍ୟୁଷା ବାନାର୍ଜୀ  

ବାଲିକା ବଧୁ ଧାରାବାହିକ ଜରିଆରେ ଘରେଘରେ ପରିଚିତ ହୋଇଥିଲେ ପ୍ରତ୍ୟୁଷା ବାନାର୍ଜୀ । ତାଙ୍କ ଚରିତ୍ର ଆନନ୍ଦୀକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ । ୨୦୧୦ ମସିହାରେ ତାଙ୍କୁ ଧାରାବାହିକ ବାଳିକା ବଧୁରେ ପ୍ରଥମଥର ଦେଖିବାକୁ ମିଳୁଥିଲା ।  ଆନନ୍ଦି ଭୂମିକାରେ ତାଙ୍କର ଏହି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟତା ପାଇଥିଲେ । ଏହାସହ ସେ ବିଗ୍ ବସ୍ ୭ ରିଆଲିଟି ଶୋ'ରେ ମଧ୍ୟ ଭାଗ ନେଇଥିଲେ । ରକ୍ତ ସମ୍ବନ୍ଧ ଧାରାବାହିକ ଜରିଆରେ ସେ ଏକ ଚରିତ୍ର ଅଭିନେତ୍ରୀ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ୟେ ରିସ୍ତା କ୍ୟା କେହଲାତା ହୈରେ ଅଭିନୟ କରିଥିଲେ । ୨୦୧୦ ମସିହାରେ, ସେ ବାଳିକା ବଧୁ ଧାରାବାହିକରେ ଅବିକା ଗୋର୍ଙ୍କ ବଦଳରେ ଆନନ୍ଦି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ଅନେକ ରିଆଲିଟି ଶୋ ଯଥା ଝଲକ୍ ଦିଖ୍ଲା ଜାର ସିଜିନ୍ ୫ରେ ଭାଗ ନେଇଥିଲେ । ଏହାପରେ ୨୦୧୩ ମସିହାରେ, ସେ ବିଗ୍ବସ୍ ୭ରେ ଭାଗ ନେଇଥିଲେ । ପାୱାର୍ କପୁଲ୍ ଧାରାବାହିକରେ, ସେ ରାହୁଲ ରାଜ ସିଂହଙ୍କ ସହ ଅଭିନୟ କରିଥିଲେ । ସେ ହମ୍ ହୈଁ ନା, ଶଶୁରାଲ୍ ସିମର୍ କା, ଗୁଲ୍ମୋହର୍ ଗ୍ରାଣ୍ଡ୍ ଆଦି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ପ୍ରତ୍ୟୁଷା ଝାଡ଼ଖଣ୍ଡର ଜାମସେଦପୁରଠାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।  ୨୦୧୦ ମସିହାରେ, ସେ ଅଭିନୟ ପାଇଁ ଜାମସେଦପୁର ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ । ତେବେ ଏହି ଅଭିନେତ୍ରୀଙ୍କର କ୍ୟାରିୟର ଖୁବ ଛୋଟଥିଲା । ୨୦୧୬ ମସିହାର ଅପ୍ରେଲ ୧ ତାରିଖରେ, ମାତ୍ର ୨୪ ବର୍ଷ ବୟରେ, ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଥିଲେ । ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମରେ ତାଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି ଜଣାପଡ଼ିଥିଲା । ଯାହାକୁ ନେଇ ଅନେକ ବାଦ ବିବାଦ ଉପୁଜିଥିଲା ।  ତାଙ୍କ ବାପାମାଆ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ତାଙ୍କ ପୁରୁଷସାଥୀ, ଅଭିନେତା-ପ୍ରଯୋଜକ ରାହୁଲ ରାଜ ସିଂହ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଥିଲେ ।

ସିଦ୍ଧାର୍ଥ ଶୁକ୍ଲା

ବିଗବସ ୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଦର୍ଶକ ଏବେ ବି ମନେ ରଖିଛନ୍ତି । ତାଙ୍କ ବଳିଷ୍ଠ ନିଖୁଣ ଅଭିନୟକୁ ତାଙ୍କ ଫ୍ୟାନ ଆଜି ବି ଝୁରୁଛନ୍ତି । ୧୯୮୦ରେ ଜନ୍ମିତ ସିଦ୍ଧାର୍ଥ ଛୋଟ ପରଦାରୁ ବଡପରଦା ସବୁସ୍ଥାନରେ ନିଜର ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସିଦ୍ଧାର୍ଥ ସକ୍ଷମ ହୋଇଥିଲେ । ତାଙ୍କୁ ଟେଲିଭିଜନର ଅନେକ ଧାରାବାହିକ ଯେପରି ବାବୁଲ କା ଆଙ୍ଗନ ଛୋଟେ, ଲଭ ୟୁ ଜିନ୍ଦେଗୀ, ସିଆଇଡି, ବାଲିକା ବଧୁ, ସାବଧାନ ଇଣ୍ଡିଆ, ଫିଲ୍ମ ହମ୍ପଟି ସର୍ମା କି ଦୁଲହନିଆରେ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୟକୁ ସବୁବେଳେ ଦର୍ଶକ ଖୁବ ଭଲ ପାଇବା ଦେଇଥାଆନ୍ତି । ତାଙ୍କୁ ନିଜ କ୍ୟାରିୟରରେ ଅନେକ ଚରିତ୍ରରେ ଦର୍ଶକ ଦେଖିଛନ୍ତି ଯାହାକୁ ସେ ଜୀବନ୍ତ ଭାବେ ଅଭିନୟ କରିଛନ୍ତି । ହେଲେ ଏହି ଟାଲେଣ୍ଟେଡ ଅଭିନେତାଙ୍କର ମାତ୍ର ୪୦ ବର୍ଷରେ ୨୦୨୧ରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ହୃଦଘାତ ଥିଲାବୋଲି ଜଣା ପଡିଥିଲା ।

ତେବେ ଏହି ତାଲିକା ଖୁବ ଲମ୍ବା ରହିଛି । ବିଗତ ଦିନରେ ଭାରତୀୟ ଅଭିନୟ ଜଗତ ଅନେକ କଳାକାରଙ୍କୁ ଖୁବ କମ ବୟସରେ ହରାଇଛି । ଏହି ତାଲିକାରେ ବଲିଉଡର ଇରଫାନ୍ ଖାନ୍, ଜିଆ ଖାନ୍, କୁଲଜିତ ରନ୍ଧୱା, ନଫିସା ଜୋସେଫ, ତରୁଣି ସଚ୍ଚଦେବ, କେକେ, ମୀନା କୁମାରୀ, ପୁନିତ ରାଜକୁମାର, ଚୀରଞ୍ଜିବ ସରଞ୍ଜା, ଆରତୀ ଅଗ୍ରୱାଲ, ମୁକୁଲ ଦେବ, ଇନ୍ଦ୍ର କୁମାର ଆଦି ସାମିଲ ଅଛନ୍ତି । ଯେଉଁମାନଙ୍କର ଅଭିନୟଯାତ୍ରା ଠାରୁ ଜୀବନ ଯାତ୍ରାର ସମୟ ଖୁବ କମ ଥିଲା। ଖୁବ କମ ବୟସରେ ଇଣ୍ଡଷ୍ଟ୍ରୀ ଏଭଳି କଳାକାରଙ୍କୁ ହରାଇଛି ଯେଉଁମାନେ ଦିନେ ଭାରତୀୟ ସିନେମାକୁ ଖୁବ ଆଗକୁ ନେଇଥାଆନ୍ତେ ।

Related Posts

ଅଦିନେ ଅସ୍ତ

ଅଦିନେ ଅସ୍ତ