ନିଆରା ଆକସନ୍ ଥ୍ରିଲର
ବଲିଉଡ୍ ଅଭିନେତା ବବି ଦେଓଲ୍ ତାଙ୍କର ଆଗାମୀ ବହୁପ୍ରତୀକ୍ଷିତ ଆକ୍ସନ ଚଳଚ୍ଚିତ୍ର 'ଆଲ୍ଫା'ରେ କାମ କରିବାର ଅଭିଜ୍ଞତା ବାଣ୍ଟିବା ସହ ଏହାକୁ ଭାରତୀୟ ସିନେମା ଜଗତର ଅନ୍ୟତମ ସବୁଠାରୁ ନିଆରା ଆକ୍ସନ ଫିଲ୍ମ ବୋଲି ଅଭିହିତ କରିଛନ୍ତି । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନା ଓ ଶିବ୍ ରୱୈଲ୍ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସ୍ପାଏ-ୟୁନିଭର୍ସ ଚଳଚ୍ଚିତ୍ରଟି ମୁଖ୍ୟତଃ ଦୁଇ ଜଣ ମହିଳା ପ୍ରୋଫେସନାଲ୍ ଆକ୍ସନ ଟ୍ରେନିଂପ୍ରାପ୍ତ ଏଜେଣ୍ଟଙ୍କ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଆଲିଆ ଭଟ୍ଟ ଏବଂ ଶରଭରୀ ମୁଖ୍ୟ ଭୂମିକାରେ ଥିବା ବେଳେ ବବି ଦେଓଲ୍ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ପ୍ରଥମ ଥର ପାଇଁ ଆଲିଆ ଭଟ୍ଟଙ୍କ ସହ କାମ କରିବା ନେଇ ବବି ନିଜର ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ, ସେ ରଣବୀର କପୁର ଏବଂ ଆଲିଆଙ୍କୁ ସେ ବହୁତ ପସନ୍ଦ କରନ୍ତି । ଉଭୟଙ୍କ ସହ କାମ କରିବାକୁ ସେ ସର୍ବଦା ଚାହୁଁଥିଲେ । ଯେଉଁଠି ପୂର୍ବରୁ ସେ ରଣବୀରଙ୍କ ସହ 'ଆନିମଲ୍' କରିଥିଲେ, ଏବେ ଆଲିଆଙ୍କ ସହ 'ଆଲ୍ଫା' କରି ସେ ଅତ୍ୟନ୍ତ ଆନନ୍ଦିତ। ଏଥିସହ ସେ ଆଲିଆ ଭଟ୍ଟଙ୍କ କଠିନ ପରିଶ୍ରମ ଓ ନିଷ୍ଠାକୁ ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ, ଆଲିଆ ସେଟ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସନ୍ତି । ପୂର୍ବରୁ କେବେ ଏଭଳି ହାଇ-ଭୋଲଟେଜ୍ ଆକ୍ସନ କରିନଥିଲେ ସୁଦ୍ଧା ସେ ପରଦାରେ ନିଜର ଶତପ୍ରତିଶତ ଦେଇଛନ୍ତି। ଫିଲ୍ମର ଆକ୍ସନ ଦୃଶ୍ୟଗୁଡ଼ିକୁ କୃତ୍ରିମ ନକରି ସମ୍ପୂର୍ଣ୍ଣ ବାସ୍ତବବାଦୀ ଓ ରଫ୍ ଆଣ୍ଡ ଟଫ୍ ରଖିବା ପାଇଁ ନିର୍ଦ୍ଦେଶକଙ୍କ ସ୍ପଷ୍ଟ ଦୂରଦୃଷ୍ଟି ଥିଲା । ଯେଉଁଥିପାଇଁ ଏହି ସୁଟିଂ ଅତ୍ୟନ୍ତ କଷ୍ଟକର ଥିଲେ ମଧ୍ୟ ସିନେମା ହଲ୍ରେ ଦର୍ଶକମାନଙ୍କୁ ଏକ ଚମତ୍କାର ଓ ନୂଆ ଭିଜୁଆଲ୍ ଅନୁଭୂତି ପ୍ରଦାନ କରିବ ବୋଲି ବବି ଦେଓଲ୍ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।



