ଫିଲ୍ମ ବଦଳାଇଦେଇଛି ଚିନ୍ତାଧାରା
ନିକଟରେ ‘ଟକ୍ସିକ୍’ ଫିଲ୍ମ ରିଲିଜ ହୋଇଥିବାବେଳେ ଏଥିରେ ଅଭିନୟ କରିଥିବା ଅଭିନେତା ଅକ୍ଷୟ ଓବରଏ ଫିଲ୍ମରେ ନିଜର ଅନୁଭୂତିକୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ଯେ ଏହି ଫିଲ୍ମଟି ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ତାଙ୍କୁ ନିଜ କ୍ୟାରିୟରକୁ ଦେଖିବାର ଦୃଷ୍ଟିକୋଣ ବଦଳାଇବା ସହ ବଡ଼ ସ୍ୱପ୍ନ ଦେଖିବା ଓ ବଡ଼ ଚିନ୍ତା କରିବାର ଶିକ୍ଷା ଦେଇଛି । ଅନେକ ସମୟରେ ଆମେ ନିଜର ଭୟ ଓ ସୀମାବଦ୍ଧତା ମଧ୍ୟରେ ବାନ୍ଧି ହୋଇଯାଉ, କିନ୍ତୁ ୟଶ୍ ଏବଂ ନିର୍ଦ୍ଦେଶକ ଗୀତୁ ମୋହନଦାସଙ୍କ ସହ କାମ କରିବା ପରେ କୌଣସି ସୀମା ନଥାଏ ଏବଂ ସବୁ ପ୍ରତିକୂଳ ପରିସ୍ଥିତି ବିରୋଧରେ ଯାଇ ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଉଚିତ୍ ବୋଲି ସେ ଶିଖିବାକୁ ପାଇଛନ୍ତି । ଏକ ଫିଲ୍ମ ନିର୍ମାଣ ମାଧ୍ୟମରେ ମିଳିଥିବା ଏହି ଅମୂଲ୍ୟ ଶିକ୍ଷା ତାଙ୍କ ସହ ସବୁଦିନ ପାଇଁ ରହିବ । ବର୍ଷ ବର୍ଷ ପରେ ବି ଯେତେବେଳେ ସେ ଏହି ଫିଲ୍ମ ବିଷୟରେ ଭାବିବେ, ଏହା ତାଙ୍କୁ ପ୍ରେରଣା ଦେବ ବୋଲି ଅକ୍ଷୟ କହିଛନ୍ତି । ଏହା ତାଙ୍କ ପାଇଁ କେବଳ ଏକ ସିନେମା ନୁହେଁ ବରଂ ଏକ ଲାଇଫଟାଇମ ଅନୁଭୂତି ଥିଲା, ଯାହା ନିଜ କ୍ୟାରିୟରକୁ ଦେଖିବାର ନଜରିଆକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।




