ବଢୁଛି ବିବାଦ
ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତୀକ୍ଷିତ ଆଗାମୀ ଚଳଚ୍ଚିତ୍ର 'ସ୍ପିରିଟ୍'ରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବାଦ୍ ପଡ଼ିବାକୁ ନେଇ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଭାଇ ତଥା ନିର୍ମାତା ପ୍ରଣୟ ରେଡ୍ଡୀ ୱାଙ୍ଗା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଦୀପିକା ନିଜେ ଏହି ପ୍ରକଳ୍ପ ଛାଡ଼ିନାହାନ୍ତି, ବରଂ ତାଙ୍କୁ ଫିଲ୍ମରୁ ବାହାର କରାଯାଇଛି । ପ୍ରଣୟଙ୍କ କହିବା ଅନୁଯାୟୀ, ସନ୍ଦୀପ ପ୍ରାୟ ଦେଢ଼ ବର୍ଷ ଧରି ଦୀପିକାଙ୍କ ସହ ଆଲୋଚନା କରିଆସୁଥିଲେ । ମାତ୍ର ଦୀପିକା ମୋଟା ଅଙ୍କର ପାରିଶ୍ରମିକ ସହ ଫିଲ୍ମର ମୋଟ ଲାଭରୁ ୧୦ ପ୍ରତିଶତ ଅଂଶ ଗ୍ରହଣ କରିବା ପାଇଁ ଜିଦ୍ ଧରିଥିଲେ । ଯାହା ନିର୍ମାତାଙ୍କ ବଜେଟ୍ ସହ ଆଦୌ ମେଳ ଖାଉନଥିଲା । ଏହି କାରଣରୁ ମେକର୍ସ ଅନ୍ୟ ଅଭିନେତ୍ରୀଙ୍କ ବିକଳ୍ପ ସନ୍ଧାନ କରିବା ଆରମ୍ଭ କରିବା ପରେ ଦୀପିକା କ୍ରୋଧାନ୍ୱିତ ହୋଇ ଫିଲ୍ମର ମୂଳ କାହାଣୀ ଓ ଚରିତ୍ର ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଦେଇଥିଲେ । ବର୍ତ୍ତମାନ ଦୀପିକାଙ୍କ ବାଦ୍ ପଡ଼ିବା ପରେ ପ୍ରଭାସଙ୍କ ସହ ଏଥିରେ ତ୍ରିପ୍ତି ଡିମରୀଙ୍କୁ ସାଇନ୍ କରାଯାଇଛି । ଅନ୍ୟପଟେ ଦୀପିକା ଏହି ସମସ୍ତ ବିବାଦ ମଧ୍ୟରେ କହିଛନ୍ତି ଯେ ସେ ନିଜର ଲଢ଼େଇ ସବୁବେଳେ ନୀରବରେ ଲଢ଼ିବାକୁ ପସନ୍ଦ କରନ୍ତି, ମାତ୍ର କିଛି କାରଣରୁ ବାହାରେ ଏହିସବୁ ଚର୍ଚ୍ଚା ସୃଷ୍ଟି ହୋଇଥାଏ ।




