ତ୍ରିଷାଙ୍କ ହିଣ୍ଟ
ସାଉଥ୍ ସୁପରଷ୍ଟାର ଥଲପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତ୍ରିଷାଙ୍କର ଏକ ପୋଷ୍ଟ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ନିକଟରେ ତ୍ରିଷା ଇନଷ୍ଟାଗ୍ରାମରେ "ପ୍ରେମ ସବୁକିଛି ନୁହେଁ, କିନ୍ତୁ ପ୍ରେମ ବିନା ସବୁକିଛି ବେକାର" ବୋଲି ଏକ ପୋଷ୍ଟ ସେୟାର କରିଥିଲେ, ଯାହାକୁ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡ଼ୁଛନ୍ତି । ବିଶେଷ କରି ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ବିବାହ ବିଚ୍ଛେଦର ଗୁଜବ ଏବଂ ସଙ୍ଗୀତାଙ୍କ ପକ୍ଷରୁ ମାନସିକ ନିର୍ଯାତନା ଅଭିଯୋଗ ଆସୁଥିବା ସମୟରେ ଏହି ପୋଷ୍ଟ ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ଚେନ୍ନାଇର ଏକ ହାଇ-ପ୍ରୋଫାଇଲ ବିବାହ ଉତ୍ସବରେ ବିଜୟ ଏବଂ ତ୍ରିଷାଙ୍କୁ ଏକାଠି ଦେଖିବାକୁ ମିଳିଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆହୁରି ବଢାଇଥିଲା । ସୂଚନା ଅନୁସାରେ ଏହି ଯୋଡ଼ି 'ଘିଲି', 'ଥିରୁପାଚି' ଏବଂ 'ଆଥୀ' ଭଳି ସୁପରହିଟ୍ ଫିଲ୍ମରେ କାମ କରିବା ପରେ ୨୦୨୩ର ବ୍ଲକବଷ୍ଟର ଫିଲ୍ମ 'ଲିଓ'ରେ ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଥିଲେ। ଯଦିଓ ପୂର୍ବରୁ ସେମାନେ ନିଜକୁ କେବଳ ଭଲ ବନ୍ଧୁ ବୋଲି କହି ଆସିଛନ୍ତି, ତଥାପି ବର୍ତ୍ତମାନର ସମସ୍ତ ଘଟଣା ପରେ ଉଭୟଙ୍କର ପ୍ରେମ ସମ୍ପର୍କ ଥିବାନେଇ ଆଲୋଚନା ଜାରି ରହିଛି । ତେବେ ଏହି ସମସ୍ତ ଘଟଣାରେ ଉଭୟଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନଥିବାରୁ କିଛି ସ୍ପଷ୍ଟ ହୋଇନାହିଁ ।



