ଟାଲେଣ୍ଟେଡ ଦୁଲକର

ଟାଲେଣ୍ଟେଡ ଦୁଲକର
Ipsita Picture
By: Ipsita
Published On

 

ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣେ ଆଗଧାଡ଼ିର ତଥା ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତା ଦୁଲକର ସଲମାନ ନିଜର ଚମତ୍କାର ଅଭିନୟପାଇଁ ଦର୍ଶକଙ୍କର ମନ ଜିଣିଛନ୍ତି ।  ଚକ୍ଲେଟ୍ ବୟ୍ ଲୁକ୍ ଯୋଗୁଁ ଆଜି କେବଳ ମାଲାୟାଲମ୍ ସିନେମା ନୁହେଁ, ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

 ମାଲାୟାଲମ୍ ସୁପରଷ୍ଟାର୍ ମାମୁଟିଙ୍କ ପୁତ୍ର ହୋଇଥିଲେ ବି ଦୁଲକରଙ୍କୁ ଇଣ୍ଡଷ୍ଟ୍ରିରେ  ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା ।  ଜଣେ ମେଗାଷ୍ଟାରଙ୍କ ପୁଅ ହୋଇଥିବାରୁ ପ୍ରଶଂସକଙ୍କ ଆଶା ଓ ଚାପ ସବୁବେଳେ ତାଙ୍କ ଉପରେ ରହିଆସିଥିଲା । ପିଲାଦିନୁ ସିନେମା ପ୍ରତି ଆକର୍ଷିତ ଥିବା ଦୁଲକର ଯୁକ୍ତରାଷ୍ଟ୍ର ଆମେରିକାର ପୁର୍ଡୁ ୟୁନିଭର୍ସିଟିରୁ ବିଜନେସ୍ ମ୍ୟାନେଜମେଣ୍ଟରେ ସ୍ନାତକ ହାସଲ କରିବା ପରେ କିଛି ସମୟ ପାଇଁ ଦୁବାଇରେ ବ୍ୟବସାୟ କରିଥିଲେ । କିନ୍ତୁ ଅଭିନୟ ପ୍ରତି ଥିବା ଦୁର୍ବଳତା ତାଙ୍କୁ ସିନେମା ଜଗତକୁ ଟାଣି ଆଣିଥିଲା । ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଆକ୍ସନ-ଡ୍ରାମା ଫିଲ୍ମ 'ସେକେଣ୍ଡ ଶୋ' ମାଧ୍ୟମରେ ସେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ଏହାପରେ 'ଉସ୍ତାଦ୍ ହୋଟେଲ୍', 'ଚାର୍ଲି', 'ଓକେ କାନମାନୀ', 'ମହାନଟୀ' ଏବଂ 'ସୀତା ରାମମ୍' ଭଳି ସୁପରହିଟ୍ ଚଳଚ୍ଚିତ୍ର ଜରିଆରେ ସେ ବ୍ୟବସାୟିକ ସଫଳତା ସହ ଦର୍ଶକଙ୍କ ପ୍ରଚୁର ଭଲପାଇବା ସାଉଁଟିଥିଲେ। ବର୍ତ୍ତମାନ ଦୁଲକର ନିଜ କ୍ୟାରିୟରର ଏକ ବହୁତ ବ୍ୟସ୍ତବହୁଳ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ।  ସେ ନିକଟରେ ସେଲଭାମଣି ସେଲଭାରାଜଙ୍କ ନିର୍ଦ୍ଦେଶିତ 'କାନ୍ଥା' ଚଳଚ୍ଚିତ୍ରରେ ସୁପରଷ୍ଟାର ଟି.କେ. ମହାଦେବନ ଭୂମିକାରେ ନଜର ଆସିଥିଲେ । ଏହା ସହିତ ଆଗକୁ ତାଙ୍କର ବହୁପ୍ରତୀକ୍ଷିତ ଆକ୍ସନ-ଥ୍ରୀଲର୍ ଫିଲ୍ମ 'ଆଇମ୍ ଗେମ୍'  ରିଲିଜ ଅପେକ୍ଷାରେ ରହିଛି ।   ନିର୍ଦ୍ଦେଶକ ନହାସ ହିଦାୟତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଣ୍ଟୋନି ଭାର୍ଗୀସ୍ ପେପେ, ସାଣ୍ଡି ମାଷ୍ଟର, କାଥିର, କାୟାଦୁ ଲୋହାର ଏବଂ ମାଇସ୍କିନ୍ଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି ।  ଏହା ବ୍ୟତୀତ ଦୁଲକର ଆଗାମୀ ଦିନରେ ଶ୍ରୁତି ହାସନ ଏବଂ ନବାଗତା ସାତ୍ବିକା ବୀରବଲ୍ଲୀଙ୍କ ସହ ଏକ ଆଡଭେଞ୍ଚର ଡ୍ରାମା 'ଆକାଶମ ଲୋ ଓକା ତାରା' ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି, ଯାହା ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । ବ୍ୟକ୍ତିଗତ ସରଳତା ଏବଂ ବୃତ୍ତିଗତ ନିଷ୍ଠା ଯୋଗୁଁ ସେ ସିନେ ଇଣ୍ଡଷ୍ଟ୍ରୀରେ ଏକ ଅଦ୍ଭୁତ ସଫଳତା ସହ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Tags: