ସହଜ ନଥିଲା ସଫଳତା
ହିମାଚଳ ପ୍ରଦେଶ ଶିମଲାର ଜାତୀୟ ସ୍ତରର ଡିବେଟ୍ ଚାମ୍ପିଅନ୍ ଓ ‘ମିସ୍ ଶିମଲା’ ହୋଇଥିବା ଟେଲି ଅଭିନେତ୍ରୀ ରୁବିନା ଦିଲୈକ ପ୍ରକୃତରେ ଜଣେ ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ । ହେଲେ ଏକ ଅଡିସନ ତାଙ୍କର କ୍ୟାରିୟର ବଦଳାଇଦେଇଥିଲା । ‘ଛୋଟି ବହୁ’ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ତେବେ କ୍ୟାରିୟରର ଆରମ୍ଭ ତାଙ୍କପାଇଁ ଏତେ ସହଜ ନଥିଲା ଯେଉଁ ସମ୍ପର୍କରେ ନିଜେ ରୁବିନା ପ୍ରକାଶ କରିଛନ୍ତି । କ୍ୟାରିୟରର ପ୍ରଥମ ସଟ୍ରେ ୧୭ଟି ରିଟେକ୍ ଦେବା ଯୋଗୁଁ ନିର୍ଦ୍ଦେଶକଙ୍କ କଟୁ ସମାଲୋଚନା ଓ ଅପମାନ ସହିବା ପରେ, ୨୦୧୧ରେ ସେ ଜଣେ ପ୍ରଯୋଜକଙ୍କ ପ୍ରତାରଣାର ଶିକାର ହୋଇଥିଲେ । ୧ ଲକ୍ଷ ୪୫ ହଜାର ଟଙ୍କାର ଚିକିତ୍ସା ଜନିତ ବିଳମ୍ବ ସହ ମୋଟ ୧୬ ଲକ୍ଷ ଟଙ୍କାର ମିଛ ଜରିମାନା ଯୋଗୁଁ ତାଙ୍କୁ ନିଜର ଦୁଇଟି ଘର ଓ ଗାଡ଼ି ବିକ୍ରି କରିବାକୁ ମଧ୍ୟ ପଡ଼ିଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଏହି ଆର୍ଥିକ ସଙ୍କଟ ଓ ସେହି ସମୟରେ ହୋଇଥିବା ବ୍ରେକଅପ୍ ଯୋଗୁଁ ସେ ଡିପ୍ରେସନକୁ ଚାଲିଯାଇ ଆତ୍ମହତ୍ୟା ଭଳି ଚିନ୍ତା କରିଥିଲେ । ହେଲେ ଯୋଗ ଓ ଧ୍ୟାନ ବଳରେ ସେ ନିଜକୁ ସମ୍ଭାଳିଥିବା ପ୍ରକାଶ କରିଛନ୍ତି । ଏହାପରେ ‘ଶକ୍ତି’ ଧାରାବାହିକରେ ଜଣେ କିନ୍ନର ଭୂମିକାରେ ଅଭିନୟ କରି ସେ ଶୀର୍ଷକୁ ଫେରିଥିଲେ । ୨୦୧୮ରେ ଅଭିନେତା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ ।



