ସଂଘର୍ଷର ଅନ୍ୟନାମ ସଫଳତା
ଶୀର୍ଷକଟି କଙ୍ଗନାଙ୍କ ଜୀବନକୁ ପୁରା ସୁହାଇଥାଏ । ଜୀବନରେ ଅନେକ ସଂଘର୍ଷ ପରେ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଆଜି ତାଙ୍କ କ୍ୟାରିୟରରେ ସେ କୌଣସି ବି ହିରୋଙ୍କ ସାହାଯ୍ୟ ବିନା ସଫଳତା ପାଇବାରେ ସମର୍ଥ ହୋଇଛନ୍ତି । ହିମାଚଳ ପ୍ରଦେଶର ଏକ ଛୋଟ ଗାଁରୁ ଆସି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। କଙ୍ଗନାଙ୍କୁ ତାଙ୍କ ପରିବାର ଜଣେ ଡାକ୍ତର ଭାବେ ଦେଖିବାକୁ ଚାହୁଁଥିଲେ ମଧ୍ୟ ନିଜର ଜିଦ୍ ଓ ଅଭିନୟ ପ୍ରତି ଥିବା ଦୁର୍ବଳତା କାରଣରୁ ସେ ମାତ୍ର ୧୬ ବର୍ଷ ବୟସରେ ଘର ଛାଡି ଦିଲ୍ଲୀ ଓ ପରେ ମୁମ୍ବାଇ ଚାଲିଆସିଥିଲେ । କ୍ୟାରିୟରରେ ପ୍ରଥମରୁ ଅନେକ ସଂଘର୍ଷ କରିଥିବା କଙ୍ଗନାଙ୍କ ଭାଗ୍ୟ ବଦଳାଇଥିଲା ମହେଶ ଭଟ୍ଟଙ୍କ ଫିଲ୍ମ 'ଗ୍ୟାଙ୍ଗଷ୍ଟର' । କଙ୍ଗନାଙ୍କୁ ଏହି ସୁଯୋଗ ରାତାରାତି ଷ୍ଟାର୍ ବନାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କ ଅଭିନୀତ 'ଫ୍ୟାଶନ' ପାଇଁ ପ୍ରଥମ ଜାତୀୟ ପୁରସ୍କାର ପାଇଥିଲେ । ଏହାପରେ ସେ ମୋଟ ୪ଟି ଜାତୀୟ ପୁରସ୍କାର ନିଜ ନାମରେ କରିଛନ୍ତି, ଯାହା ତାଙ୍କୁ ବଲିଉଡରେ ଏକ ନୂଆ ପରିଚୟ ଦେବାରେ ସକ୍ଷମ ହୋଇପାରିଥିଲା । କେବଳ ଅଭିନୟ ନୁହେଁ ରାଜନେତା ଭାବେ ମଧ୍ୟ କଙ୍ଗନା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।



